ନୂଆଦିଲ୍ଲୀ,୨୧/୦୧:ବିନିର୍ମାଣ ହବ୍‌ରେ ରୂପାନ୍ତର ହେବା ପାଇଁ  ଭାରତର ଉଦ୍ୟମକୁ ସାମାନ୍ୟ ଧୀମା  ରେସ୍‌ପନ୍ସ ମିଳିଛି । ଏସିଆ ବିନିର୍ମାଣ  ସୂଚକାଙ୍କ(ଏଏମ୍‌ଆଇ)-୨୦୨୬ ରିପୋର୍ଟରେ  ଭାରତ ୧୧ ପ୍ରମୁଖ ଏସୀୟ ଦେଶଙ୍କ ତାଲିକାରେ  ଷଷ୍ଠ ସ୍ଥାନରେ ରହିଛି । ୨୦୨୪ ରିପୋର୍ଟରେ ଭାରତ ୮ଟି ଦେଶ  ମଧ୍ୟରେ ଚତୁର୍ଥ ସ୍ଥାନରେ ଥିଲା, କିନ୍ତୁ ଗତବର୍ଷରୁ  ଏହା ଷଷ୍ଠ ସ୍ଥାନରେ ସ୍ଥିର ରହିଛି । ରିପୋର୍ଟ  ମୁତାବକ, ଭାରତକୁ ଗ୍ଲୋବାଲ ମାନୁଫାକ୍‌ଚରିଂ  ହବ୍‌ ବନାଇବା ଲାଗି ଏହାର ଭିତ୍ତିଭୂମି ଏବଂ  ଟିକସ ନିୟମରେ ଆହୁରି ସୁଧାର ଆଣିବାର  ଆବଶ୍ୟକତା ରହିଛି । 

ସୂଚକାଙ୍କ ମୁତାବକ, ଚୀନ୍‌  ଏବେ ଏସିଆରେ ବିନିର୍ମାଣ କ୍ଷେତ୍ରରେ ବିଶ୍ୱର  ପ୍ରଥମ ପସନ୍ଦ ରହିଛି । ସେହିଭଳି ମାଲେସିଆ  ଏଥର ବଡ଼ ସଫଳତା ହାସଲ କରିଛି । ଏହା  ଭିଏତ୍‌ନାମକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ  ହାସଲ କରିଛି । ଭିଏତ୍‌ନାମ ତୃତୀୟ, ସିଙ୍ଗାପୁର  ଚତୁର୍ଥ ଏବଂ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ  ରହିଛି । ଭାରତ ଏହି ଦେଶଗୁଡ଼ିକଠାରୁ ପଛରେ  ଷଷ୍ଠ ସ୍ଥାନରେ ରହିଛି । ଇଣ୍ଡୋନେସିଆ ସପ୍ତମ  ଏବଂ ଥାଇଲାଣ୍ଡ୍‌ ଅଷ୍ଟମ ସ୍ଥାନରେ ରହିଛି । ଏହି ରିପୋର୍ଟ ଡିଜନ୍‌ ଶିରା ଏଣ୍ଡ୍‌  ଆସୋସିଏଟ୍‌ସ ଜାରି କରିଛି । ଏଥିରେ କୌଣସି  ଦେଶର ବିନିର୍ମାଣ କ୍ଷମତାକୁ ୮ଟି ମୁଖ୍ୟ ଆଧାରକୁ  ନେଇ ପରଖାଯାଇଥିଲା । ଏଥିରେ ଅର୍ଥନୀତି, ରାଜନୈତିକ ସଂକଟ, ବ୍ୟବସାୟିକ ବାତାବରଣ,ଅନ୍ତର୍ଜାତୀୟ ବ୍ୟାପାର,ଟିକସ ନୀତି,ଭିତ୍ତିଭୂମି,ଶ୍ରମବଳ ଏବଂ ଏନ୍‌ଭାଇରନ୍‌ମେଣ୍ଟ-ସୋସିଆଲ ଗଭର୍ଣ୍ଣାଂଶ(ଇଏସ୍‌ଜି) ସାମିଲ ଅଛି । 

ଭାରତ  କେତେକ କ୍ଷେତ୍ରରେ ମଜଭୁତ ଥିବାବେଳେ  କେତେକ କ୍ଷେତ୍ରରେ ଏହାକୁ ସୁଧାର ଆଣିବାକୁ  ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି ।  ଭାରତ ପାଖରେ ବଡ଼ କାର୍ଯ୍ୟଶକ୍ତି ବା ଶ୍ରମିକ  ଉପଲବ୍ଧତା ରହିଛି । ବର୍ଦ୍ଧିତ ଘରୋଇ ଚାହିଦା  ଏହାର ବଡ଼ ଶକ୍ତି । ସରକାରଙ୍କ ଉତ୍ପାଦନ ସଂଯୁକ୍ତ  ପ୍ରୋତ୍ସାହନ(ପିଏଲ୍‌ଆଇ) ସ୍କିମ୍‌ ଭଳି ନୀତି ଯୋଗୁ  ଇଲେକ୍ଟ୍ରୋନିକ୍ସ ଏବଂ ଫାର୍ମା କ୍ଷେତ୍ରରେ ବଡ଼  ମାତ୍ରାରେ ନିବେଶ ଆସୁଛି । ତେବେ ଭିତ୍ତିଭୂମି  କ୍ଷେତ୍ରରେ ଭାରତ ଏବେ ବି ସିଙ୍ଗାପୁର ଏବଂ  ଚୀନ୍‌ ଭଳି ଦେଶଠାରୁ ବହୁ ପଛରେ ରହିଛି ।  ଏହାବ୍ୟତୀତ ଭ୍ରଷ୍ଟାଚାରକୁ ନେଇ ଧାରଣା ଏବଂ  ସଂସ୍ଥାଗତ ସ୍ଥିରତା ମାମଲାରେ ଭାରତକୁ କମ୍‌  ଅଙ୍କ ମିଳିଛି । ଟିକସ ନୀତି ଏବଂ ଲଜିଷ୍ଟିକ୍‌  ଖର୍ଚ୍ଚ କମ୍‌ କରିବା ଭାରତ ପାଇଁ ବଡ଼ ଆହ୍ୱାନ ।

ରିପୋର୍ଟରେ କୁହାଯାଇଛି ଯେ, ଭ୍ରଷ୍ଟାଚାର  ମାମଲାରେ ଭାରତ ଏହାର ୬ ପ୍ରତିସ୍ପର୍ଦ୍ଧୀ  ଦେଶଙ୍କଠାରୁ ପଛରେ ଅଛି । ସିଙ୍ଗାପୁର ଏ  ମାମଲାରେ ସବୁଠୁ ପାରଦର୍ଶୀ ଏବଂ ସୁରକ୍ଷିତ  ବୋଲି ରିପୋର୍ଟରେ କୁହାଯାଇଛି । ବିଶେଷଜ୍ଞଙ୍କ  କହିବାନୁସାରେ, ମେକ୍‌ ଇନ୍‌ ଇଣ୍ଡିଆକୁ ସମ୍ପୂର୍ଣ୍ଣ  ରୂପେ ସଫଳ କରିବା ପାଇଁ ଭାରତକୁ ନିଜର  ଆଇନଗତ ପ୍ରକ୍ରିୟାକୁ ଅଧିକ ସରଳ କରିବାକୁ  ପଡ଼ିବ । ୨୦୨୬ ସୁଦ୍ଧା ୧ ଟ୍ରିଲିୟନ ଡଲାରର  ବିନିର୍ମାଣ ଅର୍ଥନୀତି ପାଲଟିବା ଭାରତର ଲକ୍ଷ୍ୟ ।  ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ,  ଭାରତକୁ କେବଳ ଶ୍ରମ ଉପଲବ୍ଧତା ଉପରେ  ନିର୍ଭର ରହିବା ବଦଳରେ ଦକ୍ଷତା ବିକାଶ ଏବଂ  ଡିଜିଟାଲ ଭିତ୍ତିଭୂମି ଉପରେ ଧ୍ୟାନ ଦେବାକୁ  ପଡ଼ିବ । ଯଦି ଭାରତ ଏହାର ଲଜିଷ୍ଟିକ୍ସ ଖର୍ଚ୍ଚକୁ  କମ୍‌ କରିଦିଏ ତେବେ ଆଗାମୀ କିଛି ବର୍ଷରେ  ଏହା ଭିଏତ୍‌ନାମ ଏବଂ ମାଲେସିଆ ଆଦି ରାଷ୍ଟ୍ରକୁ  କଡ଼ା ଟକ୍କର ଦେବ ।