ରାଜଗିର, ୦୪/୦୯: ଶକ୍ତିଶାଳୀ ଦକ୍ଷିଣ କୋରିଆ ବିପକ୍ଷରେ ୫୩ ମିନିଟରେ ମନଦୀପ ସିଂ ଏକ ଆକର୍ଷଣୀୟ ଫିଲ୍ଡଗୋଲ୍ ଦେଇ ଘରୋଇ ଦଳକୁ ପରାଜୟରୁ ରକ୍ଷା କରିଥିଲେ । ଫଳରେ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା । ଭାରତ ଓ କୋରିଆ ପଏଣ୍ଟ ଭାଗ କରିଥିଲେ ।
ରାଜଗିରରେ ଚାଲିଥିବା ପୁରୁଷ ଏସିଆ କପ୍ ହକିରେ ଭାରତ ପୁଲ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ରେ ଅପରାଜେୟ ରହିବା ପରେ ବୁଧବାର ସୁପର-୪ରେ ପ୍ରଥମ ମ୍ୟାଚ୍ ଦକ୍ଷିଣ କୋରିଆ ସହ ଖେଳିଥିଲା । ଖେଳର ଅଷ୍ଟମ ମିନିଟ୍ରେ ହାର୍ଦ୍ଦିକ ସିଂ ଦଳର ଗୋଲ ଖାତା ଖୋଲିଥିଲେ । ଫିଲ୍ଡ ଗୋଲରୁ ଦଳର ଅଭିଯାନ ଆରମ୍ଭ ହୋଇଥିଲା ।
ଦଳର ଏହି ଖୁସି ବେଶି ସମୟ ରହିନଥିଲା । ୧୨ ମିନିଟରେ କୋରିଆ ଗୋଲ ପରିଶୋଧ କରି ମ୍ୟାଚକୁ ୧-୧ରେ ବରାବର କରିଥିଲା । ଭାରତୀୟ ଦଳ ନିଜ ଡି’ସର୍କଲରେ ତ୍ରୁଟି କରି ବସିବାରୁ କୋରିଆକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ । ଏହି ନିଶ୍ଚିତ ଗୋଲ ସୁଯୋଗକୁ ଆଦୌ ହାତଛଡ଼ା କରିନଥିଲା ଦଳ । ଡ୍ରାଗ ଫ୍ଲିକର ଜିହୁନ ୟାଙ୍ଗ ଏହି ଗୋଲ୍ଟି ସ୍କୋର କରିଥିଲେ ।
ପୁଣି କୋରିଆ ୧୪ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲା । ଏଥର ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହ୍ୟାଙ୍ଗହଙ୍ଗ କିମ ଆଦୌ ତ୍ରୁଟି ନକରି ଭାରତୀୟ ଗୋଲପୋଷ୍ଟରେ ବଲ ପୂରାଇବାରେ ସଫଳ ହୋଥିଲେ । ପ୍ରଥମ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ୨-୧ ଗୋଲରେ ଅଗ୍ରଣୀ ରହିଥିଲା କୋରିଆ । କୋରିଆ ଖେଳାଳି ଭୟଙ୍କର ଆକ୍ରମଣ କରିଥିଲେ । ସେମାନଙ୍କ ରକ୍ଷଣଭାଗ ମଧ୍ୟ ଶକ୍ତ ପ୍ରାଚୀର ଭଳି ଛିଡ଼ା ହୋଇଥିଲେ । ଫଳରେ ଭାରତ ଗୋଲ ପରିଶୋଧ କରିବା ନେଇ ନାକେଦମ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ଅନ୍ତିମ କ୍ୱାର୍ଟର ମଧ୍ୟ ସଂଘର୍ଷପୂର୍ଣ୍ଣ ଥିଲା । ୫୨ ମିନିଟ ପର୍ଯ୍ୟନ୍ତ ଭାରତ ପଛୁଆ ରହିଥିଲା ।
ଘରୋଇ ଖେଳାଳି ପରାଜୟରୁ ବର୍ତ୍ତିବା ପାଇଁ ସମସ୍ତ ବଳ ଓ କୌଶଳ ଲଗାଇ ଦେଇଥିଲେ । ଶେଷରେ ୫୩ ମିନିଟରେ ମନଦୀପ କୋରିଆ ରକ୍ଷଣଭାଗ ଭେଦ କରି ଚମତ୍କାର ଗୋଲ୍ ଦେଇଥିଲେ । ମ୍ୟାଚ ୨-୨ରେ ବରାବର ହୋଇଥିଲା । ପରବର୍ତ୍ତୀ ଭାଗରେ ଦୁଇ ଦଳ ମ୍ୟାଚ ଜିତିବା ନେଇ ପ୍ରୟାସ କରିଥିଲେ ବି କାହାକୁ ଗୋଲ ସୁଯୋଗ ମିଳିନଥିଲା ।
ମ୍ୟାଚ ଅମୀମାଂସିତ ରହିବାରୁ ଦୁଇ ଦଳଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ବୁଧବାର ପ୍ରଥମ ମ୍ୟାଚରେ ୨-୦ ଗୋଲରେ ଚୀନକୁ ପରାଜିତ କରିଥିଲା । ଭାରତ ପରବର୍ତ୍ତୀ ମ୍ୟାଚରେ ଗୁରୁବାର ମାଲେସିଆକୁ ଭେଟିବ ।