ନୂଆଦିଲ୍ଲୀ,୧୧/୦୫:ପହଲ୍‌ଗାମ ଆତଙ୍କବାଦ ହମ୍‌ଲା ଏବଂ ଅପରେଶନ ସିନ୍ଦୁର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ପାକ୍‌ର ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଚାଲିଛି ଭାରତ । ଦେଶ ପାଖରେ ରହିଛି ଆଧୁନିକ କ୍ଷେପ୍ରଣାସ୍ତ୍ର ଏବଂ ପ୍ରଯୁକ୍ତି । ସବୁ କ୍ଷେତ୍ରରେ କାଙ୍ଗାଳ ପାକିସ୍ତାନ ପଛୁଆ । ଅର୍ଥନୀତିର ଆକାର ହେଉ କିମ୍ବା ଅଭିବୃଦ୍ଧି ଭାରତ ସବୁ କ୍ଷେତ୍ରରେ ପାକ୍‌ଠାରୁ ବହୁ ଆଗରେ । ଭାରତ ଆଗରେ ପାକିସ୍ତାନ କିଛି ନୁହେଁ ସହ ସମାନ । ଶୁଣିଲେ ହାସ୍ୟାସ୍ପଦ ଲାଗିବ ଯେ, ଭାରତୀୟ ଷ୍ଟକ୍‌ ବଜାରର ଆକାର ପାକିସ୍ତାନ ଷ୍ଟକ୍‌ ବଜାର ତୁଳନାରେ ୨୪୫ ଗୁଣା ବଡ଼  । ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ପାଖାପାଖି ୭୦୦୦୦ କୋଟି ଡଲାର ରହିଥିବାବେଳେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଆକାର ୧୫୦୦ କୋଟି ଡଲାରରୁ ବି କମ୍‌ । ଅର୍ଥନୀତିର ସମସ୍ତ ମାପଦଣ୍ଡରେ ପାକିସ୍ତାନ ତଳୁଆ । ଭାରତ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ହୋଇଥିବାବେଳେ ପାକିସ୍ତାନ ରହିଛି ୪୩ ତମ ସ୍ଥାନରେ ।  ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତିରେ ଉଭୟ ଦେଶର ପୁଞ୍ଜି ବଜାର ଖସିଛି । 

କିନ୍ତୁ ଭାରତ ତୁଳନାରେ ବଡ଼ ଆକାରରେ ପ୍ରଭାବିତ ହୋଇଛି ପାକିସ୍ତାନ ଷ୍ଟକ୍‌ ବଜାର । ଏଇ ଦୁଇ ଦିନରେ କରାଚି ଷ୍ଟକ୍‌ ଏକ୍ସଚେଞ୍ଜ ୧୦,୦୦୦ ପଏଣ୍ଟରୁ ଅଧିକ ଖସିଛି । ବଜାର ଖସିବାର କାରଣ ହେଉଛି ଏହା ବାହ୍ୟ ଝଟ୍‌କା ସହିବାକୁ ସମର୍ଥ ନୁହେଁ । ଏହାର ମାକ୍ରୋ ଅର୍ଥନୈତିକ ସ୍ଥିତି ଦୁର୍ବଳ । ଉଭୟ ଦେଶର ପୁଞ୍ଜି ବଜାରକୁ ଯଦି ତୁଳନା କରାଯାଏ ତେବେ ପାକିସ୍ତାନର ଚିହ୍ନବର୍ଣ୍ଣ ନାହିଁ । ବିଶ୍ୱର ଟପ୍‌-୫ ଇକ୍ୱିଟି ବଜାର ମଧ୍ୟରେ ରହିଛି ଭାରତ । ମୋଟ ବଜାର ପୁଞ୍ଜି ବା ମାର୍କେଟ କ୍ୟାପ୍‌ ୫ ଟ୍ରିଲିୟନ ଡଲାର ନିକଟତର । ବ୍ଲୁମ୍‌ବର୍ଗ ତଥ୍ୟ ଅନୁସାରେ, ପାକିସ୍ତାନର କରାଚି ଷ୍ଟକ୍‌ ଏକ୍ସଚେଞ୍ଜ୍‌ ମାର୍କେଟ୍‌ କ୍ୟାପ୍‌ ମାତ୍ର ୨୦ ବିଲିୟନ ଡଲାର । ଭାରତୀୟ ଷ୍ଟକ୍‌ ବଜାର ପାକିସ୍ତାନର ୨୪୫ ଗୁଣା ହୋଇଥିବାବେଳେ ଭୁ-ରାଜନୈତିକ ଝଟ୍‌କା ସହିବାକୁ ଏହା ବହୁ ମାତ୍ରାରେ ସମର୍ଥ । ଆକାର କଥା ଛାଡ଼, ଭାରତୀୟ ବଜାରର ଗଭୀରତା ପାକିସ୍ତାନଠାରୁ ଢେର ଗୁଣା ବଡ଼ । ଏଠାରେ ୫୦୦୦ରୁ ଅଧିକ କମ୍ପାନି ତାଲିକାଭୁକ୍ତ । 

ମ୍ୟୁଚୁଆଲ ଫଣ୍ଡ, ଖୁଚୁରା ନିବେଶ ଏବଂ ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌(ଏସ୍‌ଆଇପି) ଜରିଆରେ ଭାରତୀୟ ପୁଞ୍ଜି ବଜାର ପାକିସ୍ତାନଠାରୁ ବହୁ ଦୂର ଆଗୁଆ । କୌଣସି ପ୍ରକାର ଅସ୍ଥିରତାକୁ ସାମ୍ନା କରିବା ପାଇଁ ଏହା ସମର୍ଥ । ଅନ୍ୟପକ୍ଷରେ, ପାକିସ୍ତାନ ବଜାରରେ ମାତ୍ର ୫୦୦ କମ୍ପାନି ତାଲିକାଭୁକ୍ତ । ରାଜନୈତିକ ଅସ୍ଥିରତାକୁ ସାମ୍ନା କରିବା ପାଇଁ ଏହା ଏକ ପରିପକ୍ୱ ବଜାର ନୁହେଁ ।ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୬୯୦ ବିଲିୟନ ଡଲାର, ପାକିସ୍ତାନର ୧୫ ବିଲିୟନ ଡଲାର ଭାରତର ମାକ୍ରୋ ଅର୍ଥନୈତିକ ସାମର୍ଥ ଏହାକୁ ବାହ୍ୟ ଝଟ୍‌କା ସହ୍ୟ କରିବାକୁ ସମର୍ଥ କରୁଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ୬୯୦ ବିଲିୟନ ଡଲାର ଆଉ ପାକିସ୍ତାନର ମାତ୍ର ୧୫ ବିଲିୟନ ଡଲାର । ସେହିଭଳି ଆଇଏମ୍‌ଏଫ୍‌ ଆକଳନ ଅନୁସାରେ, ଭାରତର ଜିଡିପି ୨୦୧୫ରେ ୨.୧ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୫ରେ ଦୁଇ ଗୁଣା ହୋଇ ୪.୨୭ ଟ୍ରିଲିୟନ ଡଲାରରେ ପହଞ୍ଚିଛି । 

ଅନ୍ୟପକ୍ଷରେ, ପାକିସ୍ତାନ ଜିଡିପି ମାତ୍ର ୩୭୦ ବିଲିୟନ ଡଲାର । ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେଉଛି ଭାରତ । ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ବାଣିଜ୍ୟିକ କଟକଣା ସତ୍ତେ୍ୱ ୨୦୨୫ରେ ଭାରତ ୬.୩% ଅଭିବୃଦ୍ଧି ହାସଲ କରିବା ଅନୁମାନ ରହିଛି । ୨୦୨୬ରେ ଦେଶ ୬.୫% ବଢ଼ିବ ବୋଲି ଅନୁମାନ । ପହଲ୍‌ଗାମ ଆତଙ୍କବାଦ ହମ୍‌ଲା ଏବଂ ଅପରେଶନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଉଭୟ ଦେଶର ଇକ୍ୱିଟି ବଜାର ପ୍ରଭାବିତ ହୋଇଛି କିନ୍ତୁ ଏକାଭଳି ନୁହେଁ । ଭାରତର ସୂଚକାଙ୍କ ନିଫ୍‌ଟି୫୦ ମେ’୬-୭ରୁ ୧.୪% ଖସିଥିବାବେଳେ ପାକିସ୍ତାନର କରାଚି ଷ୍ଟକ୍‌ ଏକ୍ସଚେଞ୍ଜ(କେଏସ୍‌ଇ)୧୦୦ ସମାନ ଅବଧିରେ ୧୦% ଖସିଛି । ଏପ୍ରିଲ ୨୨ ପହଲ୍‌ଗାମ ହମ୍‌ଲା ପରଠାରୁ ପାକିସ୍ତାନ୍‌ର ସେୟାର ବଜାର ୧୩.୫% ଖସିଛି ଏବଂ ନିଫ୍‌ଟି ମାତ୍ର ୦.୫୭% ସଂକୁଚିତ ହୋଇଛି । ଭାରତୀୟ ଇକ୍ୱିଟି ବଜାର ଉପରେ ବଡ଼ ପ୍ରଭାବ ଦେଖିବାକୁ ମିଳିନାହିଁ । ଘରୋଇ ବଜାର ଉପରେ ନିବେଶକଙ୍କ ଆସ୍ଥା ମଜଭୁତ ରହିଛି ।

ନିବେଶକଙ୍କ ଦୃଷ୍ଟିରେ ମଜଭୁତ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭାବନା ଏବଂ ପୁଞ୍ଜି ପ୍ରବାହ ସହ ଭାରତ ନିବେଶ ଲାଗି ନିରାପଦ ସ୍ଥଳ ରହିଛି । ଅନ୍ୟପକ୍ଷରେ, ଉଚ୍ଚ ମୁଦ୍ରାସ୍ଫୀତି, ଆଇଏମ୍‌ଏଫ୍‌ ଉପରେ ନିର୍ଭରତା ଏବଂ ରାଜନୈତିକ ଅସ୍ଥିରତା ସହ ପାକିସ୍ତାନ ଏକ ବିପଦପୂର୍ଣ୍ଣ ନିବେଶସ୍ଥଳ  । ଭାରତର ମାକ୍ରୋ ଅର୍ଥନୈତିକ ସ୍ଥିତି ଅନୁକୂଳ ରହିଛି । ଚଳିତ ସପ୍ତାହରେ ମୁଡିସ୍‌ ରେଟିଙ୍ଗ୍‌ ଭାରତର ଅର୍ଥନୈତିକ ସାମର୍ଥ୍ୟକୁ ନେଇ ଦୃଢ଼ ଆଶା ପ୍ରକାଶ କରିଛି । ଘରୋଇ ବଜାରରେ ଚାହିଦା ମଜଭୁତ ରହିଛି ଏବଂ ଦେଶର ବିତ୍ତୀୟ ସ୍ଥିତି ଦୃଢ଼ ରହିଥିବା ଏହା ପ୍ରକାଶ କରିଛି । ଅନ୍ୟପକ୍ଷରେ, ପାକିସ୍ତାନର ଦୀର୍ଘସ୍ଥାୟୀ ଆର୍ଥିକ ସଂକଟ ଏହାର ବାହ୍ୟ ଋଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଭାରତର ଅର୍ଥବ୍ୟବସ୍ଥା ସ୍ୱଚ୍ଛଳ ରହିଥିବାରୁ ଭାରତ ଉପରେ ନିବେଶକଙ୍କ ଆସ୍ଥା ବଜାୟ ରହିଛି ।