ନୂଆଦିଲ୍ଲୀ: ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶର କୋଟମାଲେ ଅଞ୍ଚଳରେ ଆଜି (ରବିବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଖାଈକୁ ଖସି ପଡ଼ିବା କାରଣରୁ ଏକ ବଡ ଦୁର୍ଘଟଣା ଘଟିଛି । ବସ୍ ଟି ଘାଟି ତଳକୁ ଖସି ପଡ଼ିବା ଫଳରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୩୦ ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି। ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ଅନେକ ଲୋକଙ୍କୁ ବାହାର କରି ଡାକ୍ତରଖାନାକୁ ନେଇଛି।

ପୋଲିସର କହିବା ଅନୁଯାୟୀ, ବସ୍ ଡ୍ରାଇଭର ପାହାଡ଼ି ରାସ୍ତାରେ ବାମ ମୋଡ଼ ନେବାକୁ ଚେଷ୍ଟା କରିବା ସମୟରେ ଦୁର୍ଘଟଣା ଘଟିଥିଲା। ତେବେ ନିୟନ୍ତ୍ରଣ ହରାଇ ବସ୍ ଟି ଖସିଯାଇ ଖାଈକୁ ଖସି ପଡ଼ିଥିଲା। ପୋଲିସ କହିଛି ଯେ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ପରିବହନ ସଂସ୍ଥାର ମାଲିକାନାରେ ଥିବା ଏହି ବସ୍‌ଟି ୭୫ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।

ପୋଲିସ କହିଛି ଯେ, ବସ୍‌ଟି ଦକ୍ଷିଣ ତୀର୍ଥସ୍ଥଳ କଟରାଗାମାରୁ ଉତ୍ତର-ପଶ୍ଚିମ ସହର କୁରୁନେଗାଲାକୁ ଯାତ୍ରା କରୁଥିଲା। ଶ୍ରୀଲଙ୍କାର ପରିବହନ ଏବଂ ରାଜପଥ ଉପମନ୍ତ୍ରୀ ପ୍ରସନ୍ନ ଗୁଣସେନା କହିଛନ୍ତି ଯେ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।