ନୂଆଦିଲ୍ଲୀ,୧୧/୦୫: ଅସ୍ତ୍ରବିରତିରେ ରାଜି ହେବାର ମାତ୍ର କିଛି ଘଣ୍ଟା ପରେ, ନିଜେ ଦେଇଥିବା ପ୍ରସ୍ତାବ ତଥା ଅନୁରୋଧକୁ ନିଜେ ଭାଙ୍ଗିଛି ପାକିସ୍ତାନ। ଗୋଟିଏ ପଟେ ପିଓକେ ତଥା ସୀମାନ୍ତ ଅଞ୍ଚଳରେ ଗୁଳି ଫୁଟାଇବା ଏବଂ ଡ୍ରୋନ୍ ପଠାଇ ଅସ୍ତ୍ରବିରତିକୁ ଉଲଂଘନ କରିଥିବା ବେଳେ ଅନ୍ୟପଟେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ "ଶାନ୍ତି ଆଣିବା" ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବାରେ ବ୍ୟସ୍ତ ଥିଲେ। ଶନିବାର ଘୋଷଣା କରାଯାଇଥିବା ଏହି ଅସ୍ତ୍ରବିରତି ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନର ଚାରି ଉତ୍ତେଜନାପୂର୍ଣ୍ଣ ଦିନର ଅନ୍ତ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ରାତି ସୁଦ୍ଧା, ଜମ୍ମୁ ଏବଂ କାଶ୍ମୀରର ସେକ୍ଟରଗୁଡ଼ିକରେ ତୋପ ଗୁଳି ପୁଣି ଥରେ ମାଡ଼ ହୋଇଥିଲା, ବାରାମୁଲ୍ଲା ଏବଂ କଚ୍ଛରେ ଡ୍ରୋନ୍ ଆଟାକ କରାଯାଇଥିଲା ଏବଂ ଶ୍ରୀନଗର, ବାରମେର, ଅମୃତସର, କଟରା ଏବଂ ଫିରୋଜପୁର ସମେତ ସୀମାନ୍ତ ସହରଗୁଡ଼ିକରେ ବ୍ଲାକଆଉଟ୍ ଲାଗୁ କରାଯାଇଥିଲା।
ଅସ୍ତ୍ରବିରତିର ମାତ୍ର ଦୁଇ ତିନି ଘଣ୍ଟା ଭିତରେ ଏଲ୍ଓସିରେ ପୁଣି ପାକ୍ର ଆକ୍ରମଣ ପରେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ୍ସରେ ପୋଷ୍ଟ କରିଥିଲେ,'"ଏହା କୌଣସି ଅସ୍ତ୍ରବିରତି ନୁହେଁ,ଶ୍ରୀନଗଗରେ ପୁଣି ଡ୍ରୋନ୍ ଏବଂ ଗୁଳିମାଡ଼ ଶବ୍ଦ ଶୁଣିବାକୁ ମିଳିଛି।' ଭୂମିରେ ହିଂସା ଏବଂ ଇସଲାମାବାଦରୁ ଏଭଳି ବାର୍ତ୍ତା ମଧ୍ୟରେ ବିରୋଧାଭାସକୁ ଅଣଦେଖା କିପରି କରିବୁ।' ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ "ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ନେତୃତ୍ୱ ଏବଂ ଅଞ୍ଚଳରେ ଶାନ୍ତି ପାଇଁ ସକ୍ରିୟ ଭୂମିକା ପାଇଁ ଧନ୍ୟବାଦ ଦେଉଛୁ।"
ରାତି ପ୍ରାୟ ୧୧ଟା ସମୟରେ ଏକ ବିବୃତ୍ତିରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, "ଗତ ତିନି ଘଣ୍ଟା ମଧ୍ୟରେ, ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ହୋଇଥିବା ବୁଝାମଣାର ବାରମ୍ବାର ଉଲ୍ଲଂଘନ ହୋଇଛି। ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ଜବାବ ଦେଉଛନ୍ତି ଏବଂ ଆମେ ଏହି ଉଲ୍ଲଂଘନଗୁଡ଼ିକର ଅତ୍ୟନ୍ତ ଗମ୍ଭୀରତାର ସହିତ ନୋଟିସ୍ କରୁଛୁ।"
ତେବେ ବର୍ତ୍ତମାନ ଏହି ଉତ୍ତେଜନା ପାକିସ୍ତାନରେ ଅସ୍ତ୍ରବିରତି କଥାକୁ କିଏ ନିୟନ୍ତ୍ରଣ କରେ, ସେନେଇ ପ୍ରଶ୍ନ ଉଠିଛି। ଚୁକ୍ତିନାମାରେ ମଧ୍ୟସ୍ଥତା ପାଇଁ ସରିଫ ଆମେରିକାକୁ ପ୍ରଶଂସା କରିଥିଲେ ମଧ୍ୟ, ବିଶ୍ଳେଷକମାନେ ସେନାର ପ୍ରଭାବଶାଳୀ ଭୂମିକାକୁ ଇଙ୍ଗିତ କରିଛନ୍ତି। ଏହି ଅଚଳାବସ୍ଥା ପାକିସ୍ତାନର ସେନାକୁ ତା'ର ସାର୍ବଜନୀନ ପ୍ରତିଛବି ପୁନଃନିର୍ମାଣ କରିବାର ସୁଯୋଗ ଦେଇପାରେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି।
ଇସଲାମାବାଦର ଜଣେ ସାମ୍ବାଦିକ ତଥା ଜେନ୍ସ ଡିଫେନ୍ସ ୱିକଲିର ପୂର୍ବତନ ସମ୍ବାଦଦାତା ଉମର ଫାରୁକ ବିବିସିକୁ ଏକ ସାକ୍ଷାତକାରରେ କହିଥିଲେ: "ଗମ୍ଭୀର ଭାବରେ ଭାଙ୍ଗିଯାଇଥିବା ଆମର ଏକ ରାଜନୈତିକ ସମାଜ ଅଛି, ଦେଶର ସବୁଠାରୁ ଲୋକପ୍ରିୟ ନେତା ଜେଲ ପଛରେ ଅଛନ୍ତି। ଇମ୍ରାନ ଖାନଙ୍କ ଜେଲଦଣ୍ଡ ଏକ ଦୃଢ଼ ସାମରିକ ବିରୋଧୀ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଆଜି ଜନସାଧାରଣ ସେନାକୁ ସମର୍ଥନ କରିବାକୁ ଆଗ୍ରହ ବହୁତ କମ୍ ରହିଛି। କିନ୍ତୁ ଯଦି ପଞ୍ଜାବରେ ମତ ପରିବର୍ତ୍ତନ ହୁଏ, ତେବେ ସେନା ଏହି ସାମରିକ ଅଭିଯାନ ମାଧ୍ୟମରେ ଏହାର ପ୍ରତିଛବି ପୁନଃନିର୍ମାଣ କରିପାରିଥାଆନ୍ତା।" ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ, କେଉଁଠି ନା କେଉଁଠି ପାକିସ୍ତାନରେ ନେତା ଓ ସାମରିକ କ୍ଷମତା ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ। ବୋଧହୁଏ ଉଭୟେ ଶ୍ରେୟ ନେବା ଆଳରେ ନିଜ ନିଜ ଇଛା ମୁତାବକ ବୟାନ ଏବଂ ପଦକ୍ଷେପ ନେଉଛନ୍ତି। ଯାହାକି ନା କେବଳ ଭାରତ ବରଂ ସାରା ବିଶ୍ବକୁ ଗୋଟିଏ କଥା ଭାବିବାକୁ ବାଧ୍ୟ କରୁଛି ଯେ,'ପାକିସ୍ତାନରେ କ'ଣ ଚାଲିଛି?"