ନୂଆଦିଲ୍ଲୀ ୧୨/୦୭: ବେଙ୍ଗାଲୁରୁର ମହାକାଶ ଷ୍ଟାର୍ଟଅପ୍ ଆଷ୍ଟ୍ରୋବେସ୍ ସ୍ପେସ୍ ଟେକ୍ନୋଲୋଜିସ୍ ଦେଶର ପ୍ରଥମ ଫୁଲ୍-ଫ୍ଲୋ ଷ୍ଟେଜ୍‌ଡ (ଏଫ୍‌ଏଫ୍‌ଏସ୍‌ସି) ରକେଟ୍ ଇଞ୍ଜିନ ନିର୍ମାଣ କରିଛି । କମ୍ପାନି ଆନ୍ଧ୍ରପ୍ରଦେଶରେ ଏହି ଇଞ୍ଜିନ୍‌ର ପରୀକ୍ଷଣ କରୁଛି । ଏହା ବିଶ୍ୱର ଅନ୍ୟତମ ସବୁଠୁ ଉନ୍ନତ ରକେଟ୍ ଇଞ୍ଜିନ ଟେକ୍ନୋଲୋଜି ବୋଲି କମ୍ପାନିର ଦାବି । ଏହି ଇଞ୍ଜିନ ସାହାଯ୍ୟରେ ଭବିଷ୍ୟତରେ ପୁନଃ ବ୍ୟବହାରଯୋଗ୍ୟ ରକେଟ୍ ନିର୍ମାଣ ହୋଇପାରିବ ଏବଂ ଅଧିକ ସାଟେଲାଇଟ୍ ମହାକାଶକୁ ପଠାଯାଇ ପାରିବ । ୨୦୨୮ ସୁଦ୍ଧା ଏହି ଇଞ୍ଜିନ ସହିତ ପ୍ରଥମ ରକେଟ୍ ଉତ୍‌କ୍ଷେପଣ କମ୍ପାନିର ଲକ୍ଷ୍ୟ । ଭାରତ ପାଖରେ ବର୍ତ୍ତମାନ ପ୍ରାୟ ୫୫ କାର୍ଯ୍ୟକ୍ଷମ ସାଟେଲାଇଟ୍ ଅଛି । ଆମେରିକା ପାଖରେ ୧୩ ହଜାରରୁ ଅଧିକ ଏବଂ ଚୀନ୍ ପାଖରେ ପ୍ରାୟ ୧୫୦୦ ସାଟେଲାଇଟ୍ ଅଛି । ଏହି ସ୍ଥିତିରେ ଆଗାମୀ ଦିନରେ ଅଧିକ ସାଟେଲାଇଟ୍ ଉତ୍‌କ୍ଷେପଣ ନିମନ୍ତେ ଭାରତକୁ ନିଜର କ୍ଷମତା ବଢ଼ାଇବାକୁ ପଡ଼ିବ । ଏ କ୍ଷେତ୍ରରେ ଏହି ଇଞ୍ଜିନ ଏକ ବଡ଼ ପ୍ରୟାସ ବୋଲି କମ୍ପାନି କହିଛି ।

ଆନ୍ଧ୍ରପ୍ରଦେଶରେ ନିର୍ମିତ ଟେଷ୍ଟ ସେଣ୍ଟର୍‌ରେ ଇଞ୍ଜିନର ଲଗାତାର ହଟ୍ ଫାୟାର ଟେଷ୍ଟିଂ ଚାଲିଛି । ଏଥିରେ ଇଞ୍ଜିନ ଭୀଷଣ ଉତ୍ତାପ ଓ ଚାପରେ ଠିକ୍‌ରେ କାମ କରୁଛି କି ନାହିଁ ପରୀକ୍ଷା କରାଯାଉଛି । କମ୍ପାନି ଅନୁସାରେ, ଇଞ୍ଜିନର ଡିଜାଇନ୍‌ଠୁ ନେଇ ୩ଡି ପ୍ରିଣ୍ଟିଂ, ନିର୍ମାଣ ଓ ଯନ୍ତ୍ରାଂଶଗୁଡ଼ିକୁ ଯୋଡ଼ିବା ସବୁକିଛି ଭାରତରେ କରାଯାଇଛି ।

ଆହୁରି ପଢ଼ନ୍ତୁ...ଦେଶବ୍ୟାପୀ ମୌସୁମୀ ସକ୍ରିୟ:୧୮ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ,ବନ୍ୟା ଓ ଭୂସ୍ଖଳନ ଆଶଙ୍କା

ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ଏଫ୍‌ଏଫ୍‌ଏସ୍‌ସି ଇଞ୍ଜିନ, ଯାହା ବିଶ୍ୱର ଅନ୍ୟତମ ସବୁଠୁ ଉନ୍ନତ ରକେଟ୍ ଇଞ୍ଜିନ ଟେକ୍ନୋଲୋଜି ରୂପେ ପରିଗଣିତ । ଏହା ପ୍ରାୟ ୮୦୦ କିଲୋନ୍ୟୁଟନ୍ ଶକ୍ତି ଉତ୍ପନ୍ନ କରିବ । ଏହାର କ୍ଷମତା ବଢ଼ିବା ଦ୍ୱାରା ରକେଟ୍ ଅଧିକ ଓଜନ ମହାକାଶକୁ ନେଇପାରିବ । ବିଶ୍ୱର ଖୁବ୍ କମ୍ ଦେଶ ଏହି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି । ତରଳ ଅମ୍ଳଜାନ ଓ ମିଥେନ୍‌ରେ ଇଞ୍ଜିନ ଚାଲିବ । କମ୍ପାନି କହିଛି, ଏହା ଭାରତର ପ୍ରଥମ ମିଥେନ ଆଧାରିତ ରକେଟ୍ ଇଞ୍ଜିନ ପରୀକ୍ଷଣ ସୁବିଧା ମଧ୍ୟ ନିର୍ମାଣ କରିଛି । ୨୦୨୫ ସେପ୍ଟେମ୍ବରରେ ଏହାର ଛୋଟ ମଡେଲର ପ୍ରଥମ ହଟ୍ ଫାୟାର ଟେଷ୍ଟ ସଫଳ ହୋଇଥିଲା । ୨୦୨୭ରେ ବୁଷ୍ଟର୍‌ର ହପ୍ ଟେଷ୍ଟ ଓ ୨୦୨୮ରେ ପ୍ରଥମ ରକେଟ୍ ଲଞ୍ଚ ଆଷ୍ଟ୍ରୋସ୍ପେସ୍‌ର ଲକ୍ଷ୍ୟ । ଏହାର ରକେଟ୍ ନିମ୍ନ କକ୍ଷରୁ ୩ ଟନ୍ ଯାଏ ପେଲୋଡ୍ ନେଇପାରିବ ବୋଲି କମ୍ପାନିର ଦାବି । ପ୍ରଥମ ଚରଣକୁ ପୁନଃବ୍ୟବହାର ଯୋଜନା ମଧ୍ୟ ଏହାର ରହିଛି । ଅନ୍ୟପକ୍ଷେ, ଇଞ୍ଜିନକୁ ୫୦ରୁ ଅଧିକ ଥର ବ୍ୟବହାରଯୋଗ୍ୟ କରିବା ଏହାର ଲକ୍ଷ୍ୟ ।