ବ୍ୟୁରୋ ୧୨/୦୭ : ଜୁଲାଇ ମାସର ଅଧା ସରିବାକୁ ବସିଥିବା ବେଳେ ସାରା ଦେଶରେ ମୌସୁମୀ ବର୍ଷା ତାର ପୂର୍ଣ୍ଣ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଜି ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ପ୍ରାୟ୧୮ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି, ପ୍ରବଳ ପବନ ସହ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।
ଆଇଏମଡି ଅନୁଯାୟୀ ବଙ୍ଗୋପସାଗରରୁ ଉତ୍ତର ଭାରତ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିଛି । ଏହା ସହ ଏକାଧିକ ଘୂର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି।
ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଆସାମ ଓ ମେଘାଳୟ ପାଇଁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତା ବନ୍ଦ ଓ ନଦୀ ଜଳସ୍ତର ବୃଦ୍ଧିର ଆଶଙ୍କା ରହିଛି।
ବିହାର,ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବନ୍ୟା ଆଶଙ୍କା
ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକିମରେ ମଧ୍ୟ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି। ବିହାରର କେତେକ ଜିଲ୍ଲାରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବଜ୍ରପାତ ଏବଂ ପ୍ରବଳ ପବନ ସତର୍କତା ଜାରି ହୋଇଛି।
ଓଡ଼ିଶାରେ ଜାରି ରହିବ ବର୍ଷା
ଆଗାମୀ ୨୪ ଘଣ୍ଟା ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ। କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆହୁରି ପଢନ୍ତୁ ;- Weather Forecast: ରାଜ୍ୟରେ ସୋମବାରଠୁ ବଢ଼ିବ ବର୍ଷା ପରିମାଣ, ଆଜି କେନ୍ଦୁଝର ଓ ମୟୂରଭଞ୍ଜ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଦିଲ୍ଲୀ-ଏନସିଆରରେ ବର୍ଷା, ବଢ଼ିପାରେ ଆର୍ଦ୍ରତା
ଦିଲ୍ଲୀ, ହରିୟାଣା ଓ ଏନସିଆରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ତାପମାତ୍ରା କମିବା ସତ୍ତ୍ୱେ ଆଗାମୀ କିଛି ଦିନ ମଧ୍ୟରେ ଆର୍ଦ୍ରତା ବଢ଼ି ଅସହ୍ୟ ଗରମ ଅନୁଭୂତ ହୋଇପାରେ।
ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ସତର୍କତା
ପୂର୍ବ ଉତ୍ତର ପ୍ରଦେଶର ଗୋରଖପୁର, ଦେଓରିଆ, ବାରାଣସୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତରାଖଣ୍ଡର ଡେରାଡୁନ, ନୈନିତାଲ, ଚାମୋଲି, ରୁଦ୍ରପ୍ରୟାଗ ଓ ପିଥୋରାଗଡ଼ରେ ଭୂସ୍ଖଳନ ଆଶଙ୍କା ଥିବାରୁ ଚାରିଧାମ ଯାତ୍ରୀଙ୍କୁ ସତର୍କ ରହିବାକୁ କୁହାଯାଇଛି।
ମଧ୍ୟ ଓ ପଶ୍ଚିମ ଭାରତରେ ମଧ୍ୟ ବର୍ଷା
ମଧ୍ୟପ୍ରଦେଶ, ଛତିଶଗଡ଼, ବିଦର୍ଭ, ଗୁଜରାଟ, କୋଙ୍କଣ, ଗୋଆ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଦକ୍ଷିଣ ଭାରତର କେରଳ, ଉପକୂଳ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ମତ୍ସ୍ୟଜୀବୀଙ୍କ ପାଇଁ ସତର୍କବାଣୀ
ଆରବ ସାଗରରେ ଘଣ୍ଟାପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ, ଯାହା ଝଟକାରେ ୬୫ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ। ଗୁଜରାଟ ଉପକୂଳ ଓ ଉତ୍ତର ଆରବ ସାଗର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଆଇଏମଡି ପରାମର୍ଶ ଦେଇଛି।