ନୂଆଦିଲ୍ଲୀ,୦୬/୦୯: ଦୁଇଦେଶ ମଧ୍ୟରେ ଟାରିଫ ବିବାଦ ଭିତରେ ଭାରତ ଆମେରିକା ଠାରୁ ୫ମ ପିଢ଼ିର ଜେଟ୍ ଇଞ୍ଜିନ କିଣିବ । ଏଥିପାଇଁ ହାଲ୍ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ) ଏବଂ ଆମରେକାର ଜେଇ (ଜେନେରାଲ ଇଲେକ୍ଟ୍ରିକ) କମ୍ପାନି ମଧ୍ୟରେ ୧୪ ହଜାର କୋଟି ଟଙ୍କାର ବୁଝାମଣା ହେବ । ଏଥିସହ ଅନ୍ୟ କେତେକ ପ୍ରତିରକ୍ଷା ସାମଗ୍ରୀ ମଧ୍ୟ ଆମେରିକାରୁ ଆସିବ । ଏଥିପାଇଁ ଉଭୟ ସରକାରୀ କମ୍ପାନି ମଧ୍ୟରେ କଥାବାର୍ତ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ହାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକାରୁ ଜିଇ-୪୧୪ ଜେଟ୍ ଇଞ୍ଜିନ ଅଣାଯିବ। ଏହି ଇଞ୍ଜିନ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପଞ୍ଚମ ପିଢ଼ିର ହାଲୁକା ଲଢ଼ୁଆ ବିମାନ ଏମ୍କା (ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ) ରେ ଲଗାଯିବ। ଏହି ଇଞ୍ଜିନର ୮୦ ପ୍ରତିଶତ ଜ୍ଞାନକୌଶଳ ଟ୍ରାନ୍ସଫର କରିବାକୁ ହାଲ୍ର ସର୍ତ୍ତକୁ ଜିଇ ମାନିଛି । ଏହାଫଳରେ ଭାରତରେ ଏହି ଜେଟ୍ର ଇଞ୍ଜିନ ତିଆରି ହେବ । ଅବଶ୍ୟ ହାଲ୍ ପୂର୍ବରୁ ୧୦ଟା ଜିଇ-୪୧୪ ଇଞ୍ଜିନ କିଣିସାରିଛି । କାରଣ ଏମ୍କାର ବିକାଶରେ ଯେଭଳି କୌଣସି ପ୍ରତିବନ୍ଧକ ନ ରହିବ ତାହା ସୁନିଶ୍ଚିତ କରିବାକୁ ହାଲ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।