ନୂଆଦିଲ୍ଲୀ,୧୭/୦୩: ୨୦୨୮ ସୁଦ୍ଧା  ଭାରତ ପାଲଟିବ ବିଶ୍ୱର ତୃତୀୟ ବୃହତ୍‌  ଅର୍ଥବ୍ୟବସ୍ଥା । ମୋର୍ଗାନ ଷ୍ଟାନ୍‌ଲି ପକ୍ଷରୁ ଏହି  ପୂର୍ବାନୁମାନ କରାଯାଇଛି । ଉକ୍ତ ସମୟରେ ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ବଜାର ପାଲଟିବ । ମାକ୍ରୋ ଅର୍ଥନୈତିକ ସ୍ଥିରତା ଦ୍ୱାରା ସମର୍ଥିତ ନୀତି ଏବଂ ଉନ୍ନତ ଭିତ୍ତିଭୂମି ଯୋଗୁ  ଏହା ସମ୍ଭବ ହେବ ବୋଲି ରିପୋର୍ଟରେ ଉଲ୍ଲେଖ  କରାଯାଇଛି । 

ମୋର୍ଗାନ ଷ୍ଟାନ୍‌ଲି ପ୍ରକାଶ କରିଛି ଯେ,  ୨୦୨୩ରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର  ୩.୫ ଟ୍ରିଲିୟନ ଡଲାର ରହିଛି । ଏଥିସହିତ ଏହା ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥା ।  ତେବେ ୨୦୨୬ ସୁଦ୍ଧା ଭାରତୀୟ ଅର୍ଥନୀତିର  ଆକାର ୪.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ  ଏବଂ ଏହା ଆମେରିକା, ଚୀନ୍‌ ଓ ଜର୍ମାନି ପରେ  ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । 

୨୦୨୮ରେ ଏହା ୫.୭ ଟ୍ରିଲିୟନ ଡଲାର  ଆକାର ସହ ଜର୍ମାନିକୁ ପଛରେ ପକାଇ ବିଶ୍ୱର  ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବ ବୋଲି ମୋର୍ଗାନ ଷ୍ଟାନ୍‌ଲି ଏହାର ରିପୋର୍ଟରେ ଉଲ୍ଲେଖ  କରିଛି । 

ଏହା ପ୍ରକାଶ କରିଛି ଯେ,୧୯୯୦ରେ  ଭାରତ ବିଶ୍ୱର ଦ୍ୱାଦଶ ବୃହତ୍‌ ଅର୍ଥନୀତି ଥିଲା ।  ୨୦୦୦ ମସିହାରେ ଏହା ୧୩ ତମ ସ୍ଥାନକୁ ଖସିଯାଇଥିଲା । ୨୦୨୦ରେ ଏହା ନବମ ବୃହତ୍‌  ଅର୍ଥନୀତି ପାଲଟିଲା ଏବଂ ୨୦୨୩ରେ ବିଶ୍ୱର  ପଞ୍ଚମ ବୃହତ୍‌ ଅର୍ଥନୀତି । ବର୍ତ୍ତମାନ  ବିଶ୍ୱ ଜିଡିପିରେ ଭାରତର ଅଂଶ  ୩.୫% ଥିବାବେଳେ ୨୦୨୯ରେ  ଏହା ୪.୫%କୁ ବୃଦ୍ଧି ପାଇବ  ବୋଲି ମୋର୍ଗାନ ଷ୍ଟାନ୍‌ଲି ପ୍ରକାଶ କରିଛି । 

ଅନ୍ୟପକ୍ଷରେ, ମୁଣ୍ଡ  ପିଛା ଜିଡିପି ୨୦୨୫ରେ ୨,୫୧୪  ଡଲାର ଥିବାବେଳେ ୨୦୩୫ରେ  ଏହା ୪,୨୪୭ ଡଲାରକୁ ବଢ଼ିବ  ବୋଲି ଅନୁମାନ ରହିଛି । ଆଗାମୀ ଦଶନ୍ଧିରେ  ବିଶ୍ୱ ଜିଡିପିରେ ବଡ଼ ଯୋଗଦାନ ଦେବ ଭାରତ ।  ଦୃଢ଼ ଜନସଂଖ୍ୟା ଅଭିବୃଦ୍ଧି, ମାକ୍ରୋ ଅର୍ଥନୈତିକ ସ୍ଥିରତା ସମର୍ଥିତ ନୀତି, ଉନ୍ନତ ଭିତ୍ତିଭୂମି ଏବଂ  ଔଦ୍ୟୋଗିକତା ବିକାଶ ଦ୍ୱାରା ଭାରତୀୟ ଅର୍ଥନୀତି  ଦ୍ରୁତ ବେଗରେ ଅଗ୍ରସର ହେବ ବୋଲି ମୋର୍ଗାନ  ଷ୍ଟାନ୍‌ଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।  ଏବେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତି ଭାବେ ଉଭା ହୋଇଛି ।