ନୂଆଦିଲ୍ଲୀ,୧୨/୧୨: ୨୦୩୫ ସୁଦ୍ଧା ଭାରତ ନିଜର ସ୍ପେସ୍‌ ଷ୍ଟେସନ ପ୍ରତିଷ୍ଠା କରିବ । ଏହାକୁ ‘ଭାରତ  ମହାକାଶ ଷ୍ଟେସନ’ କୁହାଯିବ । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି  ତଥା ମହାକାଶ ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ବୁଧବାର ଏହା କହିଛନ୍ତି । ଏଥିସହ ୨୦୪୦ ସୁଦ୍ଧା ଜଣେ ଭାରତୀୟଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ପାଇଁ ଯୋଜନା ଥିବା ସେ କହିଛନ୍ତି ।  

ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡା. ସିଂହ  କହିଛନ୍ତି, ୨୦୨୫ ଶେଷ କିମ୍ବା ୨୦୨୬ ପ୍ରାରମ୍ଭରେ  ଗଗନଯାନ ମିଶନରେ ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ  ମହାକାଶ ଯିବେ । ଏଥିସହ ଭାରତ ନିଜ ଗଭୀର ସମୁଦ୍ର  ମିଶନରେ ୬ ହଜାର ମିଟର ଗଭୀରତାକୁ ମାନବ ପ୍ରେରଣ  ଲାଗି ଯୋଜନା ତିଆରି କରୁଛି । 

କେନ୍ଦ୍ରମନ୍ତ୍ରୀ ଆହୁରି  କହିଛନ୍ତି, ସରକାର ମହାକାଶ କ୍ଷେତ୍ରକୁ ପରିଚାଳନା  ଲାଗି ଏକ ନୂଆ ଆଇନ ଉପରେ କାର୍ଯ୍ୟ କରୁଛନ୍ତି । ଏହି କ୍ଷେତ୍ରରେ ଗତ ୪ ବର୍ଷରେ ଘରୋଇ କମ୍ପାନି ଉପଗ୍ରହ  ନିର୍ମାଣ ଓ ପ୍ରକ୍ଷେପଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରୁଛନ୍ତି । ୨୦୧୪ରେ ମହାକାଶ ଷ୍ଟାର୍ଟଅପ୍‌ ସଂଖ୍ୟା  ଗୋଟିଏ ଥିଲା, ଯାହା ବଢ଼ି ଏବେ ୨୬୬ରେ ପହଞ୍ଚିଛି ।  ଭାରତ ଶ୍ରୀହରିକୋଟା ପ୍ରକ୍ଷେପଣ ସ୍ଥଳରୁ ଏ ପର୍ଯ୍ୟନ୍ତ  ୪୩୨ ବିଦେଶ ଉପଗ୍ରହ ପ୍ରକ୍ଷେପଣ କଲାଣି । ତନ୍ମଧ୍ୟରୁ  ୩୯୭ ଗତ ୧୦ ବର୍ଷରେ ହୋଇଛି । ଚନ୍ଦ୍ରଯାନ-୪  ଜରିଆରେ ଚନ୍ଦ୍ରପୃଷ୍ଠରୁ ନମୁନା ଆଣିବା, ଶୁକ୍ର ଗ୍ରହର  ଅଧ୍ୟୟନ ଓ ପରବର୍ତ୍ତୀ ପିଢ଼ି ପ୍ରକ୍ଷେପଣ ଯାନ ପ୍ରସ୍ତୁତ  କରିବା ପାଇଁ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଦିଆଯାଇଛି । ୨୦୪୭  ସୁଦ୍ଧା ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ବିଶ୍ୱ ଲିଡର  ହେବା ପାଇଁ ଭାରତ ଲକ୍ଷ୍ୟ ରଖିଛି।