ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଇରାନ-ଆମେରିକା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି। ଫଳରେ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ସଙ୍କଟ ଦେଖା ଦେବା ଆରମ୍ଭ କରିଛି। ଏଲପିଜି ନେଇ ମଧ୍ୟ ଅସୁବିଧାର ସମ୍ମୁଖୀନ ଦେବାକୁ ପଡ଼ିଛି। ଏହି ସମୟରେ, ଭାରତ ସରକାର ଗୁରୁବାର ଏଲପିଜି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପଚରା ଯାଇ ଥିଲା ଯେ, ଭାରତ ରୁଷରୁ ଏଲପିଜି କିଣୁଛି କି ? ଏହାର ଜବାବରେ ସରକାର କହିଥିଲେ ଯେ, ଯଦି ଏହା ରୁଷରେ ଉପଲବ୍ଧ ହେଉ ଥିବ, ତେବେ ସେଠାରୁ ମଧ୍ୟ କିଣାଯିବ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଉତ୍ତର ଦେଇ କହିଥିଲେ - ଯେଉଁଠାରେ ଏଲପିଜି ଉପଲବ୍ଧ ଅଛି, ଆମେ ସେଠାରୁ କିଣିବାକୁ ଚେଷ୍ଟା କରୁଛୁ। ଯଦି ଏଥିରେ ରୁଷ ସାମିଲ ଥାଏ , ତେବେ ଆମେ ସେଠାକୁ ମଧ୍ୟ ଯିବୁ, କାରଣ ବର୍ତ୍ତମାନ ପରିସ୍ଥିତି ଏପରି। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମ ଲୋକଙ୍କ ଇନ୍ଧନ ଆବଶ୍ୟକତା ପୂରଣ ହେଉ। ଏପରି ଅନେକ ଦେଶ ଅଛି ଯେଉଁଠାରୁ ଆମେ ଏଲପିଜି କିଣୁଛୁ। ଏବେ ଏହି ଦେଶଗୁଡ଼ିକର ବିବରଣୀ ଉପଲବ୍ଧ ନାହିଁ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିକ ସୂଚନା ପ୍ରଦାନ କରିବ, କିନ୍ତୁ ଆମେ ବିଭିନ୍ନ ପ୍ରକାରର ବିକଳ୍ପ ରଖିବାକୁ ଚାହୁଁଛୁ।

ଭାରତ ଉପସାଗରୀୟ ଅଞ୍ଚଳରେ ତୈଳ ଏବଂ ଗ୍ୟାସ କୂପ ଏବଂ ବିଶୋଧନାଗାର ଉପରେ ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛି। ସରକାର କହିଛନ୍ତି ଯେ, ଏହା ଗ୍ରହଣୀୟ ନୁହେଁ ଏବଂ ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ। ଗତ କିଛି ଦିନ ମଧ୍ୟରେ ଇରାନ-ଆମେରିକା ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ତୀବ୍ର ହୋଇଛି। ଇରାନ ଉପସାଗରୀୟ ଦେଶଗୁଡ଼ିକରେ ତୈଳ କୂପ ଏବଂ ବିଶୋଧନାଗାରକୁ ଟାର୍ଗେଟ କରିଛି . ଆମେରିକା ଓଇସ୍ରାଏଲ ମଧ୍ୟ ଇରାନ ତୈଳ ଉତ୍ସ ଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି ।

ଗତ କିଛି ଦିନ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର । ରଣଧୀର ଜୟସୱାଲ ଗୁରୁବାର କହିଛନ୍ତି ଯେ, ସଂଘର୍ଷ ଆରମ୍ଭ ହେବା ପର ଠାରୁ ଭାରତ କହି ଆସିଛି ଯେ ନାଗରିକ ଏବଂ ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ।