ଭୁବନେଶ୍ୱର,୨୧/୧ : ୨୦୨୮ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ ଆୟୋଜନ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଥିବାବେଳେ ବିଶ୍ୱ ଆଥଲେଟିକ୍ସ ଏବଂ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ସେମାନେ ଷ୍ଟାଡିୟମ ପରିସର ମଧ୍ୟରେ ଥିବା ଇନଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଅନୁଧ୍ୟାନ କରିଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ରୀଡ଼ା ବିଭାଗର କମିଶନର-ତଥା-ସଚିବ ସଚିନ ଆର. ଯାଦବ, ବିଶ୍ୱ ଆଥଲେଟିକ୍ସର ଉପସଭାପତି ଆଦିଲ୍ଲେ ଜେ. ସୁମାରିୱାଲା, ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମାର୍ଟନ ଗ୍ୟୁଲାଲ୍, ବିଡିଂ ମୁଖ୍ୟ ମାର୍କ ହର୍ଷ୍ଟ, AFI ବୈଷୟିକ କମିଟି ଅଧ୍ୟକ୍ଷ ରବୀନ୍ଦ୍ର ଚୌଧୁରୀ ଏବଂ ବିଡିଂ ବିଶେଷଜ୍ଞ ବିଜୟ କୁମାର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ କ୍ରୀଡ଼ା ମନ୍ତ୍ରୀ ଓଡ଼ିଶାର ସୁଦୃଢ଼ କ୍ରୀଡା ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଓଡ଼ିଶାରେ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ଗତ ବର୍ଷ ସଫଳତାର ସହ 'ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ' ଆୟୋଜନ କରିବା ପରେ ଚଳିତ ବର୍ଷ ଆମେ 'ସିଲଭର ମିଟ୍' ଆୟୋଜନ କରିବାକୁ ଯାଉଛୁ । ମୋର ଆଶା, ବିଶ୍ୱ ଆଥଲେଟିକ୍ସ ଏବଂ AFI ସହଯୋଗରେ ଆମେ ଏହି ସମ୍ମାନଜନକ ମାଇଲଖୁଣ୍ଟ ହାସଲ କରିପାରିବୁ । ବିଶ୍ଵ ଆଥଲେଟିକ୍ସର ଉପ ସଭାପତି ଡକ୍ଟର ସୁମାରିୱାଲା ଆଲୋଚନାରେ ଅଂଶଗ୍ରହଣ କରି କହିଲେ, ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଅନୁଯାୟୀ ଭାରତ ୨୦୨୮ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ବିଡ୍ କରୁଛି । ଭୁବନେଶ୍ୱରର ଭିତ୍ତି ଭୂମି, ଆତିଥ୍ୟ ଏବଂ କ୍ରୀଡ଼ା ସଂସ୍କୃତି ବିଶ୍ୱସ୍ତରୀୟ । ଏହି ଚାମ୍ପିୟନସିପ୍ ଆୟୋଜନ ପାଇଁ ଏହା ଏକ ଆଦର୍ଶ ସ୍ଥାନ।

କ୍ରୀଡା ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଲେ ଯେ, ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ କ୍ରୀଡ଼ା କେନ୍ଦ୍ର। ଆମର ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ବହୁ ଅଭିଜ୍ଞତା ରହିଛି । ବିଶ୍ଵସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଏକ ଐତିହାସିକ ସଫଳତା ପ୍ରଦାନ କରିବା ପାଇଁ ଆମେ ଆଶା ରଖୁଛୁ ।