କୁଇନ୍ସ କ୍ଳବ,୧୭/୦୧: ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଡିଏଲଏସ୍ ପଦ୍ଧତି ବ୍ୟବହାର କରି ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଛି। ଏହି ବର୍ଷା ପ୍ରଭାବିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ୨୩୮ ରନରେ ଅଲଆଉଟ୍ ହୋଇଯାଇଥିଲା। ବର୍ଷା କମିବା ପରେ ଡିଏଲଏସ୍ ପଦ୍ଧତିରେ ବାଂଲାଦେଶକୁ ୨୯ ଓଭରରେ ୧୬୫ ରନର ଟାର୍ଗେଟ ଦିଆଯାଇଥିଲା। ଜବାବରେ ବାଂଲାଦେଶ କେବଳ ୧୪୬ ରନ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଜ୍ଞାନ କୁଣ୍ଡୁଙ୍କ ଅର୍ଦ୍ଧଶତକ ଆଧାରରେ ଟିମ୍ ଇଣ୍ଡିଆ ୨୩୮ ରନ ସ୍କୋରରେ ପହଞ୍ଚିଥିଲା। ସୂର୍ଯ୍ୟବଂଶୀ ୬୭ ବଲ୍ରେ ୭୨ ରନର ଇନିଂସ ଖେଳିଥିବା ବେଳେ ଅଭିଜ୍ଞାନ ୧୧୨ ବଲ୍ ୮୦ ରନ କରିଥିଲେ।
ଶେଷ ଓଭରରେ ବଦଳିଗଲା ବାଜି:
ଡିଏଲଏସ୍ ପଦ୍ଧତି ବ୍ୟବହାର କରି ବାଂଲାଦେଶକୁ ୨୯ ଓଭରରେ ୧୬୫ ରନର ଟାର୍ଗେଟ ଦିଆଯାଇଥିଲା। ଗୋଟିଏ ସମୟରେ ବାଂଲାଦେଶ ୨୧ ଓଭରରେ ୨ ୱିକେଟ ହରାଇ ୧୦୬ ରନ କରିଥିଲା। ହାତରେ ୮ ୱିକେଟ ବାକି ଥିବା ବେଳେ ବାଂଲାଦେଶ ବିଜୟ ପ୍ରାୟତଃ ସ୍ଥିର ମନେ ହେଉଥିଲା। ବିହାନ ମଲହୋତ୍ରା କଲାମ ସିଦ୍ଦିକି ଆଲିନଙ୍କୁ ଆଉଟ୍ କରିବା ମାତ୍ରେ ୱିକେଟ ପତନ ଆରମ୍ଭ ହୋଇଥିଲା। ବାଂଲାଦେଶ ମାତ୍ର ୪୦ ରନରେ ଶେଷ ୮ ୱିକେଟ ହରାଇଥିଲା।