ନୂଆଦିଲ୍ଲୀ, ୧୪।୭: ଜାତିସଂଘ ସୁରକ୍ଷା ପରିଷଦ (UNSC) ର ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଦୌଡ଼ରେ ଏବେ ବେଶ୍ ରୋଚକ ମୋଡ଼ରେ ପହଞ୍ଚିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆନୁଷ୍ଠାନିକ ଭାବେ ଏହି ସଦସ୍ୟତା ପାଇଁ ଭାରତର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏସିଆ-ପାସିଫିକ୍ ଗ୍ରୁପ୍ର ଏହି ଏକମାତ୍ର ଆସନ ପାଇଁ ଭାରତର ସିଧାସଳଖ ମୁକାବିଲା ତାଜିକିସ୍ତାନ ସହ ହେବାକୁ ଯାଉଛି । ସବୁଠାରୁ ବଡ଼ କଥା ହେଉଛି, ୫୭ଟି ସଦସ୍ୟ ବିଶିଷ୍ଟ ଇସଲାମିକ ସହଯୋଗ ସଂଗଠନ (OIC) ତାଜିକିସ୍ତାନକୁ ନିଜର ସମର୍ଥନ ଜଣାଇଛି, ଯାହା ଭାରତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ, ଭାରତ ସପକ୍ଷରେ ଆମେରିକା, ଅଷ୍ଟ୍ରେଲିଆ, ଫିଜି, ଶ୍ରୀଲଙ୍କା ଏବଂ ଅଷ୍ଟ୍ରିଆ ଭଳି ପ୍ରଭାବଶାଳୀ ଦେଶ ଛିଡ଼ା ହୋଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ୨୦୨୭ ଜୁନ୍ ମାସରେ ନିର୍ବାଚନ ଅନୁଷ୍ଠିତ ହେବ ।

ଆସନ୍ତୁ ଜାଣିବା ଏହି ରେସ୍‌ରେ ଦୁଇ ଦେଶର ଶକ୍ତି କ’ଣ ଏବଂ ଦୁର୍ବଳତା କ’ଣ:

UNSCରେ ଭାରତର ଦମଦାର୍ ଟ୍ରାକ୍ ରେକର୍ଡଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତର ପୂର୍ବ ରେକର୍ଡ ଅତ୍ୟନ୍ତ ଚମତ୍କାର ରହିଛି । ଭାରତ ପୂର୍ବରୁ ୮ ଥର ଅର୍ଥାତ୍ ମୋଟ୍ ୧୬ ବର୍ଷ ଧରି ଏହି ଦାୟିତ୍ୱ ତୁଲାଇ ସାରିଛି । ୧୯୫୦–୫୧, ୧୯୬୭–୬୮, ୧୯୭୨–୭୩, ୧୯୭୭–୭୮, ୧୯୮୪–୮୫, ୧୯୯୧–୯୨, ୨୦୧୧–୧୨ ଏବଂ ୨୦୨୧–୨୨ । ୨୦୧୧-୧୨ ନିର୍ବାଚନରେ ଭାରତକୁ ୧୯୦ଟି ଭୋଟ୍ରୁ ୧୮୭ଟି ଏବଂ ୨୦୨୧-୨୨ ନିର୍ବାଚନରେ ୧୯୩ଟି ଭୋଟ୍ରୁ ୧୮୪ଟି ଭୋଟ୍ ମିଳିଥିଲା । ଏଥର ମଧ୍ୟ ୟୁରୋପୀୟ ଦେଶ, ପଡ଼ୋଶୀ ରାଷ୍ଟ୍ର, କ୍ୟାରିବିଆନ୍, ଦକ୍ଷିଣ ଆମେରିକା, ଗଲ୍ଫ ଦେଶ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରୁ ଭାରତକୁ ବଡ଼ ସମର୍ଥନ ମିଳିବାର ଆଶା ରହିଛି ।

ଏହା ବି ପଢ଼ନ୍ତୁ... Iran vs US Tension: 'ମୋଜତବା ତ ୯୦ ପ୍ରତିଶତ ଶେଷ '; ଇରାନ୍ ସହ ଉତ୍ତେଜନା ଭିତରେ ଟ୍ରମ୍ପଙ୍କ ବଡ଼ ଦାବି

କାହାର ପଲ୍ଲା ଭାରି ?

ବୈଶ୍ୱିକ କୂଟନୀତି, ଆନ୍ତର୍ଜାତୀୟ ପ୍ରଭାବ ଏବଂ ଅତୀତର ଟ୍ରାକ୍ ରେକର୍ଡକୁ ଦେଖିଲେ ନିଶ୍ଚିତ ଭାବେ ଭାରତର ପଲ୍ଲା ଅଧିକ ଭାରି ମନେହେଉଛି । ଭାରତ ପାଖରେ ଆକ୍ରମଣାତ୍ମକ କୂଟନୀତି ଏବଂ ବିଶ୍ୱର ବଡ଼ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସମର୍ଥନ ରହିଛି । ଏହି ସବୁ ଦୃଷ୍ଟିରୁ ଦେଖିଲେ ତାଜିକିସ୍ତାନ ତୁଳନାରେ ଭାରତ ବହୁ ଆଗରେ ରହିଛି, କିନ୍ତୁ ଏହି ଲଢ଼େଇ ଏତେ ସହଜ ହେବ ନାହିଁ । କାରଣ, UNSC ସଦସ୍ୟତା ପାଇଁ ଜାତିସଂଘ ସାଧାରଣ ସଭାରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ଅନିର୍ବାର୍ଯ୍ୟ । OIC ର ୫୭ଟି ଦେଶର ଭୋଟ୍ ପାଇବାକୁ ଥିବାରୁ ତାଜିକିସ୍ତାନ ମଧ୍ୟ ଏକ ଶକ୍ତ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି । ଅନ୍ୟପଟେ ଭାରତର ଏହି ରାସ୍ତାକୁ ରୋକିବା ପାଇଁ ପଛପଟୁ ପାକିସ୍ତାନ ବଡ଼ ଗେମ୍ ପ୍ଲାନ କରୁଛି । ସେ ତାଜିକିସ୍ତାନ ସପକ୍ଷରେ ଇସଲାମିକ ଦେଶଗୁଡ଼ିକୁ ଏକଜୁଟ୍ କରିବାକୁ ଚେଷ୍ଟା ଚଳାଇଛି । ନିର୍ବାଚନ ଜିତିବା ପାଇଁ ଭାରତକୁ ଏବେ ଆଫ୍ରିକୀୟ, ଲାଟିନ୍ ଆମେରିକୀୟ ଏବଂ ଗଲ୍ଫ ଦେଶଗୁଡ଼ିକରେ ନିଜର ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିବାକୁ ପଡ଼ିବ ।