ନୂଆଦିଲ୍ଲୀ: ଚଳିତ ବର୍ଷ ବାଂଲାଦେଶରେ ୨୨୦୦ରୁ ଅଧିକ ହିନ୍ଦୁ ବିରୋଧୀ ହିଂସା ସଂଗଠିତ ହୋଇଛି । ସେହିଭଳି ପାକିସ୍ତାନରେ ୧୧୨ଟି ଘଟଣା ଘଟିଛି ବୋଲି ଶୁକ୍ରବାର ରାଜ୍ୟସଭାରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ହିଂସା ମାମଲା ବଢ଼ୁଛି । ତେଣୁ ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରାଇବାକୁ ଦୁଇ  ଦେଶର ସରକାରଙ୍କୁ ଭାରତ ପକ୍ଷରୁ ଜଣାଇ ଦିଆଯାଇଛି ।  

ହିନ୍ଦୁଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଭାରତ ସରକାର ସ୍ବର ଉଠାଇଛନ୍ତି । ବାଂଲାଦେଶ ଓ ପାକିସ୍ତାନର ସରକାରଙ୍କୁ ଏନେଇ ଅବଗତ କରାଇ ଦିଆଯାଇଛି ବୋଲି ଏମଇଏ ପକ୍ଷରୁ କୁହାଯାଇଛି । ବଂଲାଦେଶ ସମେତ ପାକିସ୍ତାନ ସରକାରଙ୍କୁ ଧାର୍ମିକ ଅସହିଷ୍ଣୁତା, ସାଂପ୍ରଦାୟିକ ହିଂସା, ସଂଗଠିତ ଉତ୍ପୀଡ଼ନ ଏବଂ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ଭାରତ ପକ୍ଷରୁ କୁହାଯାଇଛି । ଏହା ସହ ସେଠାକାର ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ  ସମୃଦ୍ଧି ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଭାରତ ସରକାର । 

ବୈଦେଶିକ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ୨୦୨୨ରେ ବାଂଲାଦେଶରେ ୪୭ଟି ହିନ୍ଦୁ ବିରୋଧୀ ହିଂସା ଘଟିଥିଲା । ଏହା ପରେ ୨୦୨୩ରେ ୩୦୨ଟି ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ୨୦୨୪ରେ ହସିନା ସରକାରର ପତ୍ତନ ଏବଂ ୟୁନୁସ୍‌ ସରକାର ଆସିବା ପରେ ଏହି ସଂଖ୍ୟା ୨୨୦୦ରେ ପହଞ୍ଚିଯାଇଛି ।  ସେପଟେ ପାକିସ୍ତାନରେ ହିନ୍ଦୁ ବିରୋଧୀ ହିଂସା ମଧ୍ୟ ଚିନ୍ତାର କାରଣ ପାଲଟିଛି । ୨୦୨୨ରେ ୨୪୧ ମାମଲା, ୨୦୨୩ରେ ୧୦୩ ଏବଂ ୨୦୨୪ରେ ଏବେ ସୁଦ୍ଧା ୧୧୨ଟି ହିନ୍ଦୁ ବିରୋଧୀ ହିଂସା ମାମଲା ସାମ୍ନାକୁ ଆସିଛି । ପାକିସ୍ତାନ ଏବଂ ବାଂଲାଦେଶ ବ୍ୟତୀତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ହିଂସା ହେଉନାହିଁ ବୋଲି  କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନରେ ଲିଖିତ ଜବାବ ଦେଇଛନ୍ତି ।