ନୂଆଦିଲ୍ଲୀ,୦୬/୦୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ବାଣିଜ୍ୟ ଚୁକ୍ତିର ବିବରଣୀ ଖୁବ୍ଶୀଘ୍ର ଆସିବାକୁ ଯାଉଛି । ଏହା ପରେ ଯାଇ ଚୁକ୍ତିକୁ ନେଇ ସ୍ପଷ୍ଟ ଚିତ୍ର ପ୍ରଦାନ କରାଯିବ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ପ୍ରକାଶ କରିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଦ୍ୱିପାକ୍ଷିକ ଚୁକ୍ତି ପ୍ରସ୍ତୁତ ହୋଇସାରିଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହାକୁ ନେଇ ଉଭୟ ପକ୍ଷ ଦ୍ୱାରା ମିଳିତ ବିବୃତି ପ୍ରକାଶ ପାଇବ । ଏହା ପରେ ଭାରତ ଉପରେ ଶୁଳ୍କକୁ ୧୮%କୁ ହ୍ରାସ କରିବା ପାଇଁ ଆମେରିକା ପକ୍ଷରୁ ଔପୋଚାରିକ ନିର୍ଦ୍ଦେଶନାମାର ବାଟ ପରିଷ୍କାର ହୋଇଯିବ । ତେବେ ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ଏହା ଉପରେ ଏକ ଔପୋଚାରିକ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଗୋୟଲ କହିଛନ୍ତି ।
ୱାଶିଂଟନ ସହିତ ଭାରତର ବର୍ଦ୍ଧିତ ଅର୍ଥନୈତିକ ସମ୍ପର୍କକୁ ନେଇ ଗୋୟଲ କହିଛନ୍ତି, ଆମେରିକୀୟ ବିମାନ ଏବଂ ଇଞ୍ଜିନ ପାଇଁ କେବଳ ଆମର ବରାଦ ଆକାର ୧୦୦ ବିଲିୟନ ଡଲାରରୁ ଅଧିକ ରହିଛି ।
ପ୍ରକାଶଯୋଗ୍ୟ, ୨୦୨୫ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରଠାରୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ଆଲୋଚନା ଚାଲୁ ରହିଥିଲା । ଫେବ୍ରୁଆରୀ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଟେଲିଫୋନିକ୍ ବାର୍ତ୍ତାଳାପ ପରେ ଚୁକ୍ତିକୁ ସର୍ବସାଧାରଣରେ ଘୋଷଣା କରାଯାଇଥିଲା ।
ଆହୁରି ପଢ଼ନ୍ତୁ :- ୭୫୦୦୦ ଟଙ୍କାରୁ ଅଧିକ ଜିନିଷ ଉପରେ ଲାଗିବ ଡ୍ୟୁଟି ଚାର୍ଜ, ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ
ସୂଚନାଯୋଗ୍ୟ, ଯେସାକୁ ତେସା ବାଣିଜ୍ୟ ନୀତି ବାବଦ ୨୫% ଏବଂ ରୁଷ ତେଲ କ୍ରୟ ପାଇଁ ଜରିମାନା ବାବଦ ଆଉ ୨୫% ଟାରିଫ୍ ଭାରତ ଉପରେ ଲାଗୁ କରିଥିଲା ଆମେରିକା । ଫଳରେ ମୋଟ ଟାରିଫ୍ ୫୦%ରେ ପହଞ୍ଚିଥିଲା ।