ପୁନେ,୩୦/୦୧: ଶୁକ୍ରବାର ଘରୋଇ ଭାରତ ଓ  ଇଂଲଣ୍ଡ ମଧ୍ୟରେ ଚତୁର୍ଥ  ଟି-ଟ୍ୱେଣ୍ଟି ଖେଳାଯିବ। ଭାରତ ୨-୧ରେ ସିରିଜ ଆଗୁଆ  ରହିଛି। ଶୁକ୍ରବାର ବିଜୟ ସହ ସିରିଜ  କବ୍‌ଜା କରିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ମାତ୍ର ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବା ପରେ  ଇଂଲଣ୍ଡର ମନୋବଳ ବୃଦ୍ଧି ପାଇଛି । ପୁନେର  ଇଂଲଣ୍ଡ ଦଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଫଳରେ ଶୁକ୍ରାବର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ରାଜକୋଟରେ ଟସ୍‌ ଜିତି ଫିଲ୍ଡିଂ ନେବା ସତ୍ତେ୍ୱ ଭାରତ ପରାଜିତ ହୋଇଥିଲା । ବ୍ୟାଟିଂ ବିଫଳତା ଯୋଗୁଁ ଏକ ବିଜୟ ହାତଛଡ଼ା ହୋଇଥିଲା।  କେବଳ ସେତିକି ନୁହେଁ, ବ୍ୟାଟିଂ କ୍ରମରେ ମଧ୍ୟ  ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା । ୩ନଂ ସ୍ଥାନରେ ଚମତ୍କାର ପ୍ରଦର୍ଶନ କରୁଥିବା ତିଳକ ବର୍ମାଙ୍କୁ  ଟିମ୍‌ ମ୍ୟାନେଜମେଣ୍ଟ ୪ନଂ ସ୍ଥାନରେ ବ୍ୟାଟିଂ  ପଠାଇଥିଲା । ସେହିପରି ୱାସିଂଟନ ସୁନ୍ଦର ୬, ଅକ୍ଷର ପଟେଲ ୭ ଓ ଧ୍ରୁବ ଜୁରେଲ ୮ନଂ  ସ୍ଥାନରେ ବ୍ୟାଟିଂ କରିଥିଲେ । ଜୁରେଲ ୱିକେଟ୍‌  କିପିଂ କରୁନଥିବାରୁ କେବଳ ବ୍ୟାଟର ଭାବେ ଉକ୍ତ  ମ୍ୟାଚ ଖେଳୁଥିଲେ ହେଁ ତାଙ୍କୁ ୮ନଂ ସ୍ଥାନରେ ବ୍ୟାଟିଂ  ପଠାଯିବାର କାରଣ ବୁଝା ପଡ଼ି ନଥିଲା । ଏସବୁ  ଛୋଟ ଛୋଟ ତ୍ରୁଟି ଯୋଗୁଁ ଭାରତ ବଡ଼ ପରାଜୟର  ସାମ୍ନା କରିଥିଲା । ଶୁକ୍ରବାର ଜିତିବାକୁ ହେଲେ ଏସବୁ ତ୍ରୁଟି ସୁଧାରିବାକୁ ହେବ । 

Champions Trophy: ଉଦ୍‌ଘାଟନୀ ସମାରୋହ ବିନା ହେବ ଚାମ୍ପିଅନ୍ସ ଟ୍ରଫି, ରୋହିତ ଶର୍ମା ଯିବେନି ପାକିସ୍ତାନ

ଇଂଲଣ୍ଡ ବିଜୟକୁ ଫେରିଥିଲେ ହେଁ ବ୍ୟାଟିଂ  ବିଭାଗର ତ୍ରୁଟି ଦୂର ହୋଇନାହିଁ । ଫିଲ ସଲ୍ଟ  ରନ୍‌ ପାଇଁ ସଂଘର୍ଷ କରୁଛନ୍ତି । ସେହିପରି ହ୍ୟାରୀ ବ୍ରୁକ୍‌, ଜାକବ ବେଥେଲ, ଜାମି ସ୍ମିଥ୍‌ ପ୍ରମୁଖ ଯୁବ  ବ୍ୟାଟରମାନେ ଭାରତୀୟ ସ୍ପିନରଙ୍କୁ ପରଖିବାରେ ବିଫଳ ହୋଇଛନ୍ତି ।  ପୁନେରେ ମଧ୍ୟ ଭାରତୀୟ ସ୍ପିନରଙ୍କ ଆଧିପତ୍ୟ  ଜାରି ରହିବା ଏକ ପ୍ରକାର ନିଶ୍ଚିତ । ବିଶେଷ  କରି ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଦଳ ଚିନ୍ତାରେ  ରହିବା ସ୍ୱାଭାବିକ୍‌ । ପ୍ରଥମ ୩ଟି ମ୍ୟାଚ୍‌ରେ ସେ  ୧୦ଟି ୱିକେଟ୍‌ ନେଇ ସାରିଛନ୍ତି । 

ରାଜକୋଟରେ  ସେ ୫ୱିକେଟ୍‌ ସଫଳତା ଅର୍ଜନ କରିଥିଲେ । ଆସନ୍ତାକାଲି ମଧ୍ୟ ସେ ଘାତକ ସାବ୍ୟସ୍ତ ହେବେ ।  ମହମ୍ମଦ ସାମିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଦଳ  ଚିନ୍ତାରେ ରହିଛି । ତୃତୀୟ ମ୍ୟାଚ୍‌ରେ ସେ ନିରାଶ  କରିଥିଲେ । ୧୫ମାସ ପରେ ସେ ଅନ୍ତର୍ଜାତୀୟ  ମ୍ୟାଚ୍‌ ଖେଳୁଛନ୍ତି । ଫଳରେ ଲୟକୁ ଫେରିବା  ପାଇଁ ତାଙ୍କୁ ସମୟ ଲାଗିବ । ଶୁକ୍ରବାର ସେ ପୂର୍ବ  ଚମକ ଦେଖାଇବେ ବୋଲି ଆଶା କରାଯାଇପାରେ । 

ଇଂଲଣ୍ଡ ସ୍ପିନର ଆଦିଲ ରସିଦଙ୍କ ପାଇଁ  ଭାରତୀୟ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ  କରିବାକୁ ପଡ଼ିବ । ସେହିପରି ଜୋଫ୍ରା ଆର୍ଚରଙ୍କ ଘାତକ ସର୍ଟ ପିଚ୍‌ ବୋଲିଂ ପାଇଁ ସଞ୍ଜୁ ସାମସନ  ମଧ୍ୟ ପ୍ରସ୍ତୁତ ରହିବେ । 

ଟସ ଜିତିଲେ ଫିଲ୍ଡିଂ: ମହାରାଷ୍ଟ୍ର କ୍ରିକେଟ୍‌  ଆସୋସିଏସନ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ  ରହିଥିଲେ ହେଁ ସ୍ପିନରମାନେ ଭରପୁର ଫାଇଦା  ଉଠାଇ ପାରିବେ । ରାତ୍ରିରେ କାକର ପ୍ରଭାବ ରହିବ ।  ଫଳରେ ଦ୍ୱିତୀୟ ଭାଗରେ ବ୍ୟାଟିଂ କଲେ ବିଜୟ  ସହଜ ହୋଇ ପାରିବ । ଶୁକ୍ରବାର ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଦଳ

ଭାରତ: ସଞ୍ଜୁ ସାମସନ, ଅଭିଷେକ  ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ  (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ  ଦୁବେ/ରମଣଦୀପ ସିଂହ, ୱାସିଂଟନ  ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ,  ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ । 

ଇଂଲଣ୍ଡ: ଫିଲ ସଲ୍ଟ, ବେନ ଡକେଟ୍‌, ଜୋସ  ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ  ଲିଭିଙ୍ଗଷ୍ଟୋନ, ଜାମି ସ୍ମିଥ, ଜାମି ଓଭରଟନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ  ରସିଦ, ମାର୍କ ଉଡ୍‌

ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଅଜବ ଦାବି, କୋହଲୀଙ୍କୁ ଦେଖି ଏଭଳି କହିଲେ...