ପୁରୀ,୧୪/୦୭: ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଆସିବେ । ନିଜର ପ୍ରାଣପ୍ରିୟ ଠାକୁରଙ୍କୁ ସ୍ୱାଗତ କରିବାକୁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଝୋଟି ଚିତାରେ ଝଟକୁୁଛି ବଡ଼ଦାଣ୍ଡ । କୋଟି ଓଡ଼ିଆର ମଉଡ଼ମଣିଙ୍କୁ ସ୍ୱାଗତ କରିବାକୁ ଆଲୋକମାଳାରେ ଝଲସୁଛି ଶ୍ରୀକ୍ଷେତ୍ର । ଭକ୍ତି ଭଜନରେ ଉଛୁଳୁଛି ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର । ଏହାସହ ବଡ଼ଦାଣ୍ଡରେ ଥିବା ବିଭିନ୍ନ ବିଦ୍ୟୁତ ଓ ଲାଇଟ୍ ଖୁଣ୍ଟକୁ ସଜାଯାଇଛି । ପ୍ରତ୍ୟେକ ଖୁଣ୍ଟକୁ ପ୍ଲାଷ୍ଟିକ ଫୁଲରେ ସଜାଯାଇଛି । ରଥର ତିନି ରଙ୍ଗ ଯଥା ନାଲି, ହଳଦି ଓ ସବୁଜ ରଙ୍ଗର ଫୁଲରେ ଖୁଣ୍ଟ ସବୁ ସଜେଇ ହୋଇଛି । ଠାକୁର ଦାଣ୍ଡକୁ ଆସିବେ ବୋଲି ସତେକି ସମ୍ପୂର୍ଣ୍ଣ ପୁରୀ ସହର ସାଜିଛି ବୈକୁଣ୍ଠପୁର ।

ଅଧିକ ପଢ଼ନ୍ତୁ:-  ଅଢ଼େଇ ଶହ ବର୍ଷ ପୁରୁଣା ରଥଯାତ୍ରା: ପଡ଼ୋଶୀ ଗାଁରୁ ଭାରରେ ବୁହାହୋଇ ଦୁଇଦିନ ପାଇଁ ଆସନ୍ତି କାଳିଆ ସାଆନ୍ତ, ଏକ ଚକିଆ ରଥରେ ଗାଁ ବୁଲନ୍ତି..

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଏବଂ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶିଳ୍ପୀମାନେ ଝୋଟି ଚିତା ଆଙ୍କିଛନ୍ତି । ଏଥିପାଇଁ ସପ୍ତାହେରୁ ଅଧିକ ହେବ ରାଜ୍ୟର କୋଣ ଅନୁକୋଣରୁ ଚିତ୍ରଶିଳ୍ପୀମାନେ ଆସି ପୁରୀରେ ଏକତ୍ରିତ ହୋଇଛନ୍ତି । ରଥର ତିନି ରଙ୍ଗ ଯଥା ନାଲି, ହଳଦିଆ, ସବୁଜ ରଙ୍ଗକୁ ଝୋଟି ଚିତାରେ ପ୍ରାଥମିକତା ଦିଆଯାଇଛି । ଓଡ଼ିଶାର ପରିଚିତ ଟିପି ଚିତା, ଛଟା ଚିତା, କୋଠି ଚିତା ଆଦି ଅଙ୍କାଯାଇଛି । କେବଳ ସେତିକି ନୁହେଁ ମହାପ୍ରଭୁ ଆସିବେ ବୋଲି ବଡ଼ଦାଣ୍ଡ ଯାକ ଡାକବାଜି ଲଗାଯାଇଛି । ଏହି ଡାକବାଜିରେ ଭକ୍ତି ଭଜନ ବାଜୁଛି । ମହାପ୍ରଭୁଙ୍କର ଏହି ଭଜନ ଶୁଣିଲେ ଆପେ ଭକ୍ତର ପାଦ ନାଚି ଉଠୁଛି ।