ପୁରୀ, ୧୪/୦୭: ରଥଯାତ୍ରାରେ କେମିତି ଯିବେ ପୁରୀ । କେଉଁଠି କରିବେ ଗାଡ଼ି ପାର୍କିଂ । ଜାରି ହେଲା ରୁଟ୍ ମ୍ୟାପ୍ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାରେ ପାଇଁ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି ହୋଇଛି । ADG ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ ଭଲଭାବେ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ପୁରୀ ଆସିବା ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ ଭଲଭାବେ ପଢ଼ି ଓ ବୁଝି ଯାତ୍ରା କରନ୍ତୁ। ବିଶେଷକରି ଭୁବନେଶ୍ୱର ପଟୁ ପୁରୀ ଆସୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ରୁଟ୍ ଓ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ଅବଗତ ହେବା ଆବଶ୍ୟକ।
ରଥଯାତ୍ରା ପାଇଁ ୩୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। କେବଳ ୪ ଚକିଆ ଗାଡ଼ି ପାଇଁ ୨୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ୨ ଚକିଆ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ବସ୍ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମଙ୍ଗଳବାର ସନ୍ଧ୍ୟାଠାରୁ ୬୫ଟି ସ୍ଥାନରେ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଟ୍ରାଫିକ୍ ନିର୍ଦ୍ଦେଶାବଳୀ, ରୁଟ୍ ଡାଇଭର୍ସନ୍ ଓ ଯାତାୟାତ ସମ୍ପର୍କିତ ସୂଚନା ପ୍ରସାରଣ କରାଯିବ। CCTV ଆଧାରରେ ଟ୍ରାଫିକ୍ କଣ୍ଟ୍ରୋଲ କରାଯିବ। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି। ସମସ୍ତ ଶ୍ରଦ୍ଧାଳୁଙ୍କୁ ଟ୍ରାଫିକ୍ ନିୟମ ମାନି ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ADG ସୌମେନ୍ଦ୍ର ପ୍ରିୟଦର୍ଶି ।
ଅଧିକ ପଢନ୍ତୁ-ରଥଯାତ୍ରା ବିବାଦ: ଗଜପତିଙ୍କୁ ଚିଠି ଲେଖି ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ, ପୁରୀ ପରମ୍ପରା ଅନୁସାରେ ହେବ ସବୁ ରୀତିନୀତି