ନୂଆଦିଲ୍ଲୀ,୧୧/୦୭; ଘରୋଇ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଏହା ପରେ ୩ଟି ମ୍ୟାଚ୍ ଜିତି ଇଂଲଣ୍ଡ ୩-୦ରେ ଆଗୁଆ ସିରିଜ୍ କବଜା କରି ସାରିଛି । ଆଜି ଅନ୍ତିମ ମ୍ୟାଚ୍ ଜିତି ଭାରତ ସମ୍ମାନ ବଞ୍ଚାଇବାକୁ ଖେଳିବ । ସାଉଥାମ୍ପଟନରେ ହେବାକୁ ଥିବା ମ୍ୟାଚ୍ ଭାରତୀୟ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ମଧ୍ୟ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ହେବ । ଟି-୨୦ ଦଳର ଦାୟିତ୍ୱ ନେବା ପରେ ସେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତିନାହିଁ । ଆଜି ଅନ୍ତିମ ମ୍ୟାଚ ଜିତି ସମ୍ମାନ ରଖିବାକୁ ଚାହିଁବ ଟିମ୍ ଶ୍ରେୟସ । ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ପରେ ପ୍ଲେଇଂ ଇଲେଭେନ ବଦଳାଇବାକୁ ପ୍ରସ୍ତୁତି କରୁଛି ଭାରତ । ବାଦ୍ ପଡିଥିବା ୱିକେଟ୍ କିପର ବ୍ୟାଟର ସଞ୍ଜୁଙ୍କୁ ଏକାଦଶରେ ସାମିଲ କରିପାରେ ଭାରତ । ଇଶାନ କିଷନଙ୍କୁ ବିଶ୍ରାମ ଦିଆଯାଇପାରେ ।

ପ୍ଲେଇଂ ଇଲେଭେନ୍ରେ ୩ ବଡ଼ ପରିବର୍ତ୍ତନ ସମ୍ଭାବନା- ଭାରତ ପୂର୍ବରୁ ସିରିଜ ହାରି ସାରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ସମ୍ମାନ ବାଜିରେ ଲାଗିଛି । ଆୟୋଜକ ଇଂଲଣ୍ଡ ସିରିଜରେ ୩-୦ରେ ଆଗୁଆ ଅଛି । ଆଜି ଶେଷ ମ୍ୟାଚ୍ ଜିତି ୪-୦ କରିବାକୁ ଚେଷ୍ଟା କରିବ । ମ୍ୟାଚଟି ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହେବ । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଏପର୍ଯ୍ୟନ୍ତ ବିଜୟ ହାସଲ କରିନାହିଁ । ଭାରତୀୟ ଅଧିନାୟକ ସାଉଥାମ୍ପଟନରେ ପରାଜୟ ଧାରାକୁ ଭାଙ୍ଗିବା ପାଇଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଶେଷ ମ୍ୟାଚ୍ ଜିତି ୧-୩ କରିବାକୁ ଚାହିଁବ ଟିମ୍ ଇଣ୍ଡିଆ । ପରାସ୍ତ ହେଲେ ୦-୪ରେ ଲଜ୍ଜାଜନକ ପରାଜୟ ଭୋଗିବାକୁ ପଡିବ ।

ମାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ଛାଡିଦେଲେ, ଭାରତୀୟ ଦଳ ଏହି ସିରିଜରେ ଇଂଲଣ୍ଡ ବିପକ୍ଷରେ ଏକ ଦୃଢ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରି ନାହିଁ। ବିଶେଷକରି ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ନଟିଂହାମରେ ଟିମ୍ ଇଣ୍ଡିଆ ମାତ୍ର ୭୬ ରନରେ ଅଲଆଉଟ୍ ହୋଇଥିଲା । ବ୍ରିଷ୍ଟଲରେ ଅଧିନାୟକ ଶ୍ରେୟସ ଆୟରଙ୍କର ଅପରାଜିତ ୮୦ ରନ ସତ୍ତ୍ୱେ ଦଳ କେବଳ ୧୫୮ ରନ୍ କରିଥିଲା । ଇଂଲଣ୍ଡ ମାତ୍ର ଗୋଟିଏ ୱିକେଟ ହରାଇ ୧୫୯ ରନର ଟାର୍ଗେଟ୍ ହାସଲ କରିନେଇଥିଲା । ଏହି ସିରିଜରେ ଜୋଫ୍ରା ଆର୍ଚର ଏବଂ ଜୋସ୍ ଟଙ୍କଙ୍କ ଗତି, ବାଉନ୍ସ ବଲ ସହିତ ଭାରତୀୟ ବ୍ୟାଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ସାଉଥାମ୍ପଟନରେ ଟିମ୍ ଇଣ୍ଡିଆ ବ୍ୟାଟରଙ୍କୁ ଏହି ଦୁର୍ବଳତା ଦୂର କରିବାକୁ ପଡ଼ିବ । ଶେଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ବୋଲିଂ ବିକଳ୍ପ ମଧ୍ୟ ସୀମିତ ହୋଇଯାଇଛି । ସ୍ପିନର ବରୁଣ ଚର୍କବର୍ତ୍ତୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣା ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ସିରିଜରୁ ବାଦ୍ ପଡିଛନ୍ତି । 

ଏହା ବି ପଢନ୍ତୁ...W IND VS ENG: ଲର୍ଡ୍ସରେ ଇତିହାସ ରଚିଲେ ସ୍ମୃତି ମନ୍ଧାନା; ଏମିତି କରିବାରେ ପ୍ରଥମ ମହିଳା କ୍ରିକେଟର, ୨୬୪ ରନ୍ ପଛୁଆ ଇଂଲଣ୍ଡ  

ଟିମ୍ ଇଣ୍ଡିଆ ଶେଷ ମ୍ୟାଚରେ ଏକାଦଶରେ ପରିବର୍ତ୍ତନ କରିପାରେ । ବ୍ୟାଟିଂ କ୍ରମକୁ ସନ୍ତୁଳିତ କରିବାକୁ ୱିକେଟକିପର ସଞ୍ଜୁ ସାମସନଙ୍କୁ ୩ ନମ୍ବରରେ ସୁଯୋଗ ଦେଇପାରେ । ଇଶାନ କିଷନଙ୍କୁ ଏକାଦଶରୁ ବାଦ ଦିଆଯାଇପାରେ । ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ଏବଂ ଲେଗ୍ ସ୍ପିନର ରବି ବିଷ୍ଣୋଇ ମଧ୍ୟ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଁ ଦାବିଦାର । ସୂର୍ଯ୍ୟାଶଂ ୱାସିଂଟନ ସୁନ୍ଦରଙ୍କ ସ୍ଥାନ ନେଇପାରନ୍ତି । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉ ଏକ ସୁଯୋଗ ଦେଇପାରେ। ସେ ସର୍ଟ ବଲ୍ ବିରୁଦ୍ଧରେ ସଂଘର୍ଷ କରିଛନ୍ତି, କିନ୍ତୁ ଭବିଷ୍ୟତକୁ ଆଖିରେ ରଖି, ତାଙ୍କୁ ନିୟମିତ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ଏକାଦଶ

ଭାରତ : ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଞ୍ଜୁସାମସନ/ଇଶାନ କିଷନ (ୱିକେଟକିପର), ଶ୍ରେୟାସ ଆୟର(ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ସୂର୍ଯ୍ୟାଶଂ ସେଗଡେ/ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ରାଜକୁମାର ଯାଦବ ।

ଇଂଲଣ୍ଡ : ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଲାଏମ ଡାଓସନ, ଆଦିଲ ରସିଦ, ଜୋଫ୍ରା ଆର୍ଚର, ଜୋସ ଟଙ୍ଗ ।