ଲିଡ୍ସ,୨୦/୦୬: ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବ ଯାଉଛି ଇଂଲଣ୍ଡ-ଭାରତ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଏହା କେବଳ ଏକ ସିରିଜର କିମ୍ବା ଏକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରର ଆରମ୍ଭ ନୁହେଁ, ବରଂ ଏହା ଭାରତୀୟ କ୍ରିକେଟ୍‌ ପାଇଁ  ଏକ ନୂଆ ଅଧ୍ୟାୟର ଆରମ୍ଭ। ଏଥର ଟେଷ୍ଟ ଦଳରେ  ନାହାନ୍ତି ବିରାଟ କୋହଲି, ରୋହିତ ଶର୍ମା, ରବି ଚନ୍ଦ୍ରନ  ଅଶ୍ୱିନ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ତାରକା ଖେଳାଳି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ସହ କିଛି ନୂଆ ଓ କିଛି ପ୍ରତ୍ୟାବର୍ତ୍ତନ କରୁଥିବା  ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ । 

୮ ବର୍ଷ ପରେ କରୁଣ ନାଏର ଫେରୁଛନ୍ତି । ପ୍ରସିଦ୍ଧ  କ୍ରିଷ୍ଣା,ଯଶପ୍ରୀତ ବୁମରା, ସର୍ଦୁଲ ଠାକୁରଙ୍କ ଭଳି  ପ୍ରମୁଖ ଖେଳାଳି ଆହତ ଯନ୍ତ୍ରଣାରୁ ବାହାରି ଅର୍ନ୍ତଜାତୀୟ  କ୍ରିକେଟ୍‌କୁ ଫେରୁଛନ୍ତି । ନୂଆ କରି ପ୍ରସ୍ତୁତ କରାଯାଉଛି  ମଧ୍ୟ ଭାଗ ବ୍ୟାଟିଂ କ୍ରମ । ଏଭଳି ଅନେକ ପରୀକ୍ଷା  ନିରୀକ୍ଷା ସହ ଭାରତ ନୂଆ ଟେଷ୍ଟ ଚାମ୍ପିଅନସିପ୍‌  ଅଭିଯାନ ଆରମ୍ଭ କରିବାକୁ ଯାଉଛି । 

ହେଡିଂଲେ ଭାରତ ପାଇଁ ସେଭଳି ସଫଳ ଗ୍ରାଉଣ୍ଡ  ହୋଇ ନଥିଲେ ହେଁ ଗିଲଙ୍କ ଯୁବ ଟିମ୍‌ ଇଣ୍ଡିଆ ସବୁ  ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଖାଲି ସେତିକି  ନୁହେଁ, ଦୁର୍ବଳ ବିବେଚନା କରୁଥିବା ସବୁ ସମାଲୋଚକଙ୍କୁ  ଚୁପ୍‌ କରିବାକୁ ଗିଲ୍‌ ବାହିନୀ ଅପେକ୍ଷା କରି ରହିଛି । ହେଡିଂଲେରେ ଭାରତ ୭ଟି ଟେଷ୍ଟ ଖେଳିଛି ।  ଏଥିରୁ ୨ଟି ଟେଷ୍ଟ ଜିତିଥିବାବେଳେ ୪ଟି ଟେଷ୍ଟରେ  ପରାଜିତ ହୋଇଛି । ଗୋଟିଏ ଟେଷ୍ଟ ଡ୍ର’ ରହିଛି ।  ୨୦୨୧ରେ ଭାରତ ଏଠାରେ ଏକ ଟେଷ୍ଟ ଖେଳି ପରାଜିତ  ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋହଲି ବାହିନୀ  ପ୍ରଥମ ଇନିଂସରେ ମାତ୍ର ୭୬ ରନ କରି ଅଲ୍‌ ଆଉଟ୍‌  ହୋଇଥିଲା । ଏଥର ପ୍ରଥମେ ବ୍ୟାଟିଂ ସୁଯୋଗ ମିଳିଲେ  ଗିଲ୍‌ ବାହିନୀକୁ ସତର୍କତାର ସହ ଖେଳିବାକୁ ହେବ । 

ରେକର୍ଡ ଅପେକ୍ଷାରେ ବୁମରା, ରୁଟ: ଉଭୟ  ଦଳର ଦୁଇ ଷ୍ଟାର ଖେଳାଳି ଯଶପ୍ରୀତ ବୁମରା ଓ ଜୋ  ରୁଟ୍‌ ଏହି ଟେଷ୍ଟ ସିରିଜ ଜରିଆରେ କିଛି ରେକର୍ଡ  ଭଙ୍ଗ କରିବାକୁ ଯାଉଛନ୍ତି । ବୁମରା ଆଉ ୫ଟି ୱିକେଟ୍‌  ନେଲେ ଏସୀୟ ବୋଲର ଭାବେ ସେନା ଦେଶ  (ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା)  ବିପକ୍ଷରେ ୧୫୦ ୱିକେଟ୍‌ ପୂରଣ କରିବେ । ସେ  ଉପରୋକ୍ତ ୪ଦେଶ ବିପକ୍ଷରେ ୧୪୫ଟି ୱିକେଟ୍‌  ନେଇ ସାରିଛନ୍ତି । ଏସୀୟ ବୋଲର ଭାବେ ସେନା  ଦେଶ ବିପକ୍ଷରେ ସର୍ବାଧିକ ୧୪୬ଟି ୱିକେଟ୍‌ ନେଇଛନ୍ତି  ପାକିସ୍ତାନ ପେସ୍‌ ବୋଲର ୱାସିମ ଆକ୍ରମ । ରୁଟ୍‌ ଆଉ ୧୫୪ ରନ କଲେ ପ୍ରଥମ ବିଦେଶୀ  ଖେଳାଳି ଭାବେ ଭାରତ ବିପକ୍ଷରେ ୩୦୦୦ ଟେଷ୍ଟ  ରନ୍‌ ପୂରଣ କରିବେ । ସେ ଇତି ମଧ୍ୟରେ ଭାରତ  ବିପକ୍ଷରେ ୫୮.୦୮ ହାରରେ ମୋଟ୍‌ ୨୮୪୮ ରନ  ସଂଗ୍ରହ କରିସାରିଛନ୍ତି । ଏଥିରେ ୧୦ଟି ଶତକ ରହିଛି । ଆସନ୍ତାକାଲି ଉଭୟ ବୁମରା ଓ ରୁଟଙ୍କ ମଧ୍ୟରେ  ଏକ ଲଢ଼େଇ ଦେଖିବାକୁ ମିଳିପାରେ । ରୁଟ୍‌ଙ୍କୁ ବୁମରା  କେବଳ ଟେଷ୍ଟରେ ୯ଥର ଆଉଟ୍‌ କରିସାରିଲେଣି । 

ଟସ୍‌ ଜିତିଲେ ଫିଲ୍ଡିଂ: ପିଚ୍‌ରେ ଯଥେଷ୍ଟ  ପରିମାଣର ଘାସ ରହିଛି । ଟସ ପୂର୍ବରୁ ଘାସ  କାଟିଦିଆଯିବ । ପିଚ୍‌ରେ ଅତି କମ୍‌ରେ ୮ମିଲି ମିଟର ଉଚ୍ଚ ଘାସ ରଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଆଗାମୀ ୫ଦିନ ମଧ୍ୟରେ ଦ୍ୱିପ୍ରହର ତାପମାତ୍ରା ୩୦ଡିଗ୍ରୀ  ଛୁଇଁବ । ତେଣୁ ଘାସ ଥିଲେ ମଧ୍ୟ ପିଚ୍‌ ଶୁଖିବ । ଶୁଷ୍କ  ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପ୍ରଥମ ଦିନରେ  ପେସ୍‌ ବୋଲର ପିଚର ଫାଇଦା ଉଠାଇବେ । ଫଳରେ  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର  ନିଶ୍ଚିତ । ଦ୍ୱିତୀୟ ଦିନରୁ ବ୍ୟାଟିଂ ସହଜ ହେବ ।  ଭାରତ ୪ଜଣ ବୋଲର ଓ ୨ଜଣ ଅଲ୍‌ରାଉଣ୍ଡର ନେଇ ଖେଳିବାକୁ ଯୋଜନା କରୁଛି ।

 ନୀତିଶ, ସୁଦର୍ଶନଙ୍କ ମଧ୍ୟରୁ ଜଣେ: ଇଂଲଣ୍ଡ  ଦିନକ ତଳୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି ।  ଭାରତ ଏପର୍ଯ୍ୟନ୍ତ ଏକାଦଶ ଘୋଷଣା କରିନାହିଁ ।  ଗତ ଦୁଇ ଦିନର ଅଭ୍ୟାସକୁ ଦେଖିଲେ ଯାହା ଜଣା  ପଡ଼ୁଛି, କରୁଣ ନାଏର ୩ନଂ ସ୍ଥାନରେ ବ୍ୟାଟିଂ  କରିବେ । ବ୍ୟାଟିଂ କ୍ରମର ୬ନଂ ସ୍ଥାନ ପାଇଁ ନୀତିଶ  କୁମାର ରେଡ୍ଡୀ ଓ ସାଇ ସୁଦର୍ଶନଙ୍କ ମଧ୍ୟରୁ ଜଣଙ୍କୁ  ଚୟନ କରାଯିବ । ବ୍ୟାଟିଂ ବିଭାଗକୁ ଲମ୍ବା କରିବା  ପାଇଁ ସର୍ଦୁଲ ଠାକୁରଙ୍କୁ ଏକାଦଶରେ ସ୍ଥାନ ମିଳିବ  ଓ ସେ ୮ନଂ ସ୍ଥାନରେ ବ୍ୟାଟିଂ କରିବେ ।

ସମ୍ଭାବ୍ୟ ଏକାଦଶ

ଇଂଲଣ୍ଡ ଏକାଦଶ: ଜ୍ୟାକ କ୍ରଲି, ବେନ ଡକେଟ,  ଓଲି ପୋପ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ବେନ ଷ୍ଟୋକ୍ସ  (ଅଧିନାୟକ), ଜାମି ସ୍ମିଥ୍‌, କ୍ରିସ ୱକ୍ସ, ବ୍ରାଇଡନ  କାର୍ସ, ଜୋସ ଟଙ୍ଗ, ସୋହେବ ବସିର ।  

ଭାରତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ,  କେଏଲ ରାହୁଲ, କରୁଣ ନାଏର, ଶୁଭମନ ଗିଲ୍‌  (ଅଧିନାୟକ), ରିଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ/ ସାଇ ସୁଦର୍ଶନ, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର,  ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।