ନୂଆଦିଲ୍ଲୀ,୨୧/୦୧: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି (ବୁଧବାର) ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି । ୨୦୨୪ରେ ଟେଷ୍ଟ ସିରିଜ ଓ ଗତ ସପ୍ତାହରେ ଦିନିକିଆ ବିଜୟୀ ହେବା ପରେ ନ୍ୟୁଜିଲାଣ୍ଡ ଦଳର ନଜର ଏବେ ଟିଟ୍ୱେଣ୍ଟି ସିରିଜ ଉପରେ । ଭାରତରେ ହ୍ୟାଟ୍ରିକ ବିଜୟ ରେକର୍ଡ ପାଇଁ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ ରହିଛି । ଭାରତୀୟ ଦଳ ଦିନିକିଆ ସିରିଜ ପରାଜୟ ଦୁଃଖ ଭୁଲି ନୂଆ ଉତ୍ସାହର ସହ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ । ଏହି ସିରିଜ ଜରିଆରେ ଉଭୟ ଦଳ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ମଧ୍ୟ ପ୍ରସ୍ତୁତ ହେବେ ।

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହେବା ପରଠୁ ଭାରତୀୟ ଦଳ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଆଧିପତ୍ୟ ଜାରି ରଖିଛି । ଏହି ସମୟ ମଧ୍ୟରେ ଦଳ ୮ଟି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସମେତ ଏସିଆ କପ୍ ବିଜୟୀ ହୋଇ ସାରିଛି । ୨ବର୍ଷ ମଧ୍ୟରେ ଭାରତ ମୋଟ୍ ୩୪ଟି ଟି-ଟ୍ୱେଣ୍ଟି ଖେଳିଛି ଓ ୨୯ଟିରେ ବିଜୟୀ ହୋଇଛି । ମାତ୍ର ଏହି ସମୟ ମଧ୍ୟରେ ଦଳ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ପୂର୍ବରୁ ଉଭୟ ଦଳ ଏହି ଗ୍ରାଉଣ୍ଡ୍‌ରେ ଏକ ଟି-ଟ୍ୱେଣ୍ଟି ମୁକାବିଲା ଖେଳି ସାରିଛନ୍ତି । ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳ ଏହି ଗ୍ରାଉଣ୍ଡରେ ଭାରତକୁ ୭୯ ରନ୍‌ରେ ଅଲ୍ ଆଉଟ୍ କରିଥିଲା । ଆଜି ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଖେଳୁଥିବାରୁ ଭାରତୀୟ ଦଳ ବେଶ୍ ଶକ୍ତିଶାଳୀ ହୋଇଛି । ଆହତ ତିଳକ ବର୍ମାଙ୍କ ସ୍ଥାନରେ ଆଜି ଇଶାନ କିଷନ ଖେଳିବେ ବୋଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିସାରିଛନ୍ତି ।

ନ୍ୟୁଜିଲାଣ୍ଡ ଦଳକୁ ମଧ୍ୟ ଅଧିନାୟକ ମିଚେଲ ସାଣ୍ଟନର, ଜାକବ ଡଫି, ରଚିନ ରବିନ୍ଦ୍ର, ମାଟ ହେନରୀ ପ୍ରମୁଖ ଫେରିଛନ୍ତି । ତେଣୁ ଆହତ ମାଇକେଲ ବ୍ରେସୱେଲଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ନାହିଁ । ବିଦର୍ଭ କ୍ରିକେଟ୍ ଆସୋସିଏସନ ଗ୍ରାଉଣ୍ଡର ବାଉଣ୍ଡାରୀ ବେଶ୍ ବଡ଼ ଓ ପିଚ୍ ସର୍ବଦା ସ୍ପିନରଙ୍କୁ ସହାୟତା କରି ଆସିଛି । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ସମ୍ପୂର୍ଣ୍ଣ ମ୍ୟାଚ ଫ୍ଲଡ ଲାଇଟ୍‌ରେ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଏହା ବି ପଢନ୍ତୁ...କମାଲ କରିବେ କି ସ୍କାଏ ? : ୨୦୨୫ରେ ହୋଇଛନ୍ତି ଫ୍ଲପ୍, ୨୦୨୬ରେ ବଦଳିବ କି ଭାଗ୍ୟ ?

ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରିଙ୍କୁ ସିଂହ, ହର୍ଷିତ ରାଣା/ଶିବମ ଦୁବେ, ଅର୍ଶଦୀପ ସିଂହ/କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଟିମ ରବିନସନ, ଡେଭନ କନୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର (ଅଧିନାୟକ), ମାଟ ହେନରୀ, ଆଇସ ସୋଦ୍ଧି, ଜାକବ ଡଫି ।