ନୂଆଦିଲ୍ଲୀ ; ୨୦/୧ : ପୁଣି ଚମକିବ କି ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍ ? ଆଉଥରେ ଦେଖିବାକୁ ମିଳିବ ତ ବଡ଼ ବଡ଼ ଛକା ? ଏମିତି ଚର୍ଚ୍ଚା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି । ନୂଆବର୍ଷ ଆରମ୍ଭ ହୋଇଥିବାବେଳେ ସ୍କାଏ କିଛି ନୂଆ ରେକର୍ଡ କରିବେ ବୋଲି ପ୍ରଂଶସକମାନେ ଆଶା ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ହୋଇଥିବାବେଳେ ଟି-୨୦ରେ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖାଯାଇଛି ।

​​​​​​​ଏହାସହ ପଢ଼ନ୍ତୁ : ସାଣ୍ଟନର ଦେଲେ ବଡ଼ ସୂଚନା, ଯଦି ଏମିତି ହୁଏ ଟି-୨୦ ସିରିଜ୍ ବି ହାରିବ ଭାରତ

ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଟି-୨୦ ଖେଳିବ ଭାରତ । ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସିରିଜ୍ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଗାତାର ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ୨୦୨୫ ମସିହାରେ ସେମତି ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନାହାନ୍ତି । ମାତ୍ର ୨୦୨୬ ଆରମ୍ଭରୁ ବଡ଼ ପାଳି ଖେଳି ଦଳକୁ ବିଜୟ କରାଇବେ ବୋଲି କୁହାଯାଉଛି । ଏହାର ପ୍ରଭାବ ମଧ୍ୟ ଟି-୨୦ ବିଶ୍ବକପରେ ପଡ଼ିବ ।

୨୦୨୫ ମସିହାରେ ସ୍କାଏ ୨୧ଟି ଟି-୨୦ ମ୍ୟାଚ ଖେଳିଥିବାବେଳେ ୧୯ଟିରେ ବ୍ୟାଟିଂ କରିଛନ୍ତି । ୧୩.୬୨ ହାରରେ ମାତ୍ର ୨୨୮ ରନ କରିଛନ୍ତି । ୨୦୨୪ ମସିହାରୁ ସେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି । ଦଳ ଦମଦାର ପ୍ରଦର୍ଶନ କରୁଛି ମାତ୍ର ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ତିଲକ ବର୍ମାଙ୍କୁ ତିନି ନମ୍ବରରେ ଛାଡ଼ି ନିଜେ ଚାରି ନମ୍ବରରେ ଖେଳୁଛନ୍ତି । ଯାହାର ଫାଇଦା ବୋଲରମାନେ ଉଠାଉଛନ୍ତି । ଏଣୁ ଆଗାମୀ ଦିନରେ ନିଜର ତ୍ରୁଟିକୁ ସୁଧାରିବାକୁ ପଡ଼ିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛନ୍ତି । କିନ୍ତୁ ସୂର୍ଯ୍ୟଙ୍କୁ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ପଡ଼ିବ । ଆଗକୁ ଟି-୨୦ ବିଶ୍ବକପ ଖେଳଯିବାକୁ ଥିବାବେଳେ ଏହା ଶେଷ ଟି-୨୦ ସିରିଜ୍ । ଏଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।