ଦୁବାଇ : ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମ୍ୟାଚ୍‌ ନମ୍ୱର-୧୨ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡର ସାମ୍ନା ସାମ୍ନି ହୋଇଛନ୍ତି। ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ହେଉଛି। ଏହି ମୁକାବିଲାରେ ଭାରତୀୟ ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୨୫୦ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ପାଇଁ ଶ୍ରେୟସ ଆୟର ସବୁଠୁ ଅଧିକ ୭୯ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ର ଆକ୍ରାମକ ଇଂନିସ୍‌ ଖେଳିଛନ୍ତି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୯ ୱିକେଟ୍‌ରେ ୨୪୯ ରନ୍‌ କରିଛି। ଭାରତୀୟ ଟିମ୍‌ର ଆରମ୍ଭ ଭଲ ନଥିଲା ଏବଂ ଏହା ପ୍ରଥମେ ପାୱାରପ୍ଲେରେ ୩ଟି ୱିକେଟ୍ ହରାଇ ଥିଲା। ଭାରତକୁ ୩ୟ ଓଭରରେ ପ୍ରଥମ ଝଟକା ଲାଗିଛି। ଉପ-ଅଧିନାୟକ ଶୁଭମନ ଗିଲ୍‌ ୨ ରନ୍‌ କରି ଦ୍ରୁତ୍‌ ବୋଲ ମ୍ୟାଟ୍‌ ହେନରୀଙ୍କର ବଲ୍‌ରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇ ଥିଲେ। ୬ଷ୍ଠ ଓଭରରେ ଅଧିନାୟକ ରୋହିତ ଶର୍ମା (୧୫) ପୁଲ୍‌ ସଟ୍‌ ମାରିବାର ପ୍ରୟାସରେ କ୍ରାଇଲ୍‌ ଜେମିସନଙ୍କ ବଲ୍‌ରେ ୱିଲ୍‌ ୟଙ୍ଗଙ୍କ ହାତରେ ଧରାପଡ଼ି ଥିଲେ। ଏହାପରେ ବିରାଟ କୋହଲି ଭାବେ ଭାରତୀୟ ଟିମ୍‌କୁ ବଡ଼ ଝଟକା ଲାଗିଥିଲା, ଯିଏକି ହେନରୀଙ୍କର ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କୋହଲିଙ୍କ କ୍ୟାଚ୍‌ ଗ୍ଲେନ୍‌ ଫିଲିପ୍ସ ଏୟାରରେ ଡାଇଭ୍‌ ମାରି ଧରିଥିଲେ। କୋହଲି ଦୁଇ ଚୌକା ସାହାଯ୍ୟରେ ୧୧ରନ୍‌ କରିଥିଲେ। 

୩ଟି ୱିକେଟ୍‌ ଯିବା ପରେ ଅକ୍ଷର ପଟେଲ ଓ ଶ୍ରେୟସ ଆୟର ମିଶି ଭାରତୀୟ ଇଂନିସ୍‌କୁ ସମ୍ଭାଳି ଥିଲେ। ଉଭୟଙ୍କ ମଧ୍ୟରେ ୪ର୍ଥ ୱିକେଟ୍‌ ପାଇଁ ୯୮ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଏହି ସମୟରେ ଶ୍ରେୟସ ୭୫ଟି ବଲ୍‌ରେ ନିଜର ଫିଫ୍ଟି ପୂରଣ କରିଥିଲେ। 

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରି ସାରିଛନ୍ତି। ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି। ଆଜି ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି। ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ  ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । 


ଚୂଡ଼ାନ୍ତ ଏକାଦଶ:-

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ  ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ  ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ୱାସିଂଟନ  ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ/, ମହମ୍ମଦ ସାମି, ଅର୍ଶଦୀପ ସିଂହ । 

ନ୍ୟୁଜିଲାଣ୍ଡ: ଡେଭନ କନୱେ, ରଚିନ ରବିନ୍ଦ୍ର,  କେନ ୱିଲିୟମସନ, ଡାରିଲ ମିଚେଲ, ଟମ  ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର(ଅଧିନାୟକ), କେଲି ଜାମିସନ,  ମାଟ୍‌ ହେନରୀ, ୱିଲ ଓ’ରୁର୍କ ।