ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ- ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଟର୍ଣ୍ଣିଂ ଟ୍ରାକ୍‌ରେ ହେବ ସ୍ପିନ୍‌ ବୋଲିଂ ଟକ୍କର, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

Published By : Prameya | October 24, 2024 8:34 AM

ବେଙ୍ଗାଲୁରୁ,୨୪/୧୦: ଗୁରୁବାର ଭାରତ ଓ  ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ଭାରତୀୟ ଦଳ ପାଇଁ ଏହି ଟେଷ୍ଟ ‘କର ବା  ମର’ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସବୁ ଶକ୍ତି ଲଗାଇ ଭାରତ ଏହି ଟେଷ୍ଟ ଜିତିବା ସହ ସିରିଜକୁ  ଫେରିବାକୁ ଲକ୍ଷ୍ୟ ରଖିଛି । ସେହିପରି ବିଜୟ ସୂତ୍ର  ପାଇ ସାରିଥିବା ନ୍ୟୁଜିଲାଣ୍ଡ ମଧ୍ୟ କଡ଼ା ଚ୍ୟାଲେଞ୍ଜ  ଦେବାକୁ ପ୍ରସ୍ତୁତ ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ  ପିଚ୍‌ ସମ୍ପ୍ରତି ଫୋକସ୍‌ରେ ରହିଥିବା ବେଳେ ଉଭୟ  ଦଳରେ ରହିଥିବା ଦକ୍ଷ ସ୍ପିନରଙ୍କ ମଧ୍ୟରେ ଅସଲ  ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି । 

ଚିନ୍ନାସ୍ୱାମୀ(ବେଙ୍ଗାଲୁରୁ) ଷ୍ଟାଡ଼ିୟମ୍‌ରେ ମଧ୍ୟ  ସ୍ପିନରଙ୍କୁ ସହାୟତା କରିବା ଭଳି କଳା ମାଟିରେ  ପିଚ୍‌ ପ୍ରସ୍ତୁତ କରାଯାଇଥିଲା । ମାତ୍ର ନିୟମିତ ବର୍ଷା  ଓ କୋହଲା ପାଗ ଯୋଗୁଁ ପିଚ୍‌ ପ୍ରାରମ୍ଭରୁ ପେସ୍‌  ବୋଲରଙ୍କୁ ସୁହାଇଥିଲା । ପ୍ରଥମ ଦିନରେ ହିଁ  ମ୍ୟାଚ୍‌ର ଫଳାଫଳ ସ୍ପଷ୍ଟ ହୋଇଯାଇଥିଲା । ମାତ୍ର  ପୁନେରେ ବର୍ଷା ନାହିଁ । ଶୁଷ୍କ ପିଚ୍‌ ଶୁଷ୍କ ଓ ସୁପର  ଫାଷ୍ଟ ଆଉଟ୍‌ ଫିଲ୍ଡ ଉଭୟ ଦଳକୁ ଏକାଦଶରେ  ପରିବର୍ତ୍ତନ କରିବାକୁ ବାଧ୍ୟ କରି ଦେଇଛି । ସ୍ପିନ୍‌  ବୋଲିଂ ହିଁ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିବ ।  ତେଣୁ ଉଭୟ ଦଳ ଅତିରିକ୍ତ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । 

ନ୍ୟୁଜିଲାଣ୍ଡ ବାମ ହାତି ସ୍ପିନର ମିଚେଲ  ସାଣ୍ଟନରଙ୍କୁ ଏକାଦଶକୁ ଫେରାଇ ଆଣିବା ଆଶା  କରାଯାଉଛି । ଫଳରେ ୱିଲ ଓ’ରୁର୍କ କିମ୍ବା ମାଟ୍‌ ହେନରୀଙ୍କ ମଧ୍ୟରୁ ଜଣେ ବାଦ ପଡ଼ିବେ । ଗ୍ଳେନ  ଫିଲିପ୍ସ ଓ ରଚିନ ରବିନ୍ଦ୍ର କାମଚଳା ସ୍ପିନର ଭାବେ  କିଛି ଓଭର ବୋଲିଂ କରିବେ । ଭାରତ ସ୍ପିନ୍‌ ବିଭାଗରେ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । ତଥାପି କୁଲଦୀପ ଯାଦବଙ୍କ ସ୍ଥାନରେ  ୱାସିଂଟନ ସୁନ୍ଦର ଖେଳିପାରନ୍ତି । 

ନ୍ୟୁଜିଲାଣ୍ଡ ଦଳରେ  ୫ଜଣ ବାମ ହାତି ବ୍ୟାଟର ରହିଥିବାରୁ ସୁନ୍ଦରଙ୍କ  ଶୃଙ୍ଖଳିତ ବୋଲିଂ ରନ୍‌ ଗତିକୁ ମନ୍ଥର କରିବାରେ  ସହାୟକ ହେବ । ପେସ୍‌ ବୋଲିଂ  ବିଭାଗରେ ମଧ୍ୟ ଭାରତ ପରିବର୍ତ୍ତନ  କରିପାରେ । କ୍ଳାନ୍ତ ମହମ୍ମଦ ସିରାଜଙ୍କ  ସ୍ଥାନରେ ଆକାଶ ଦୀପ ଏକାଦଶକୁ  ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ  ସମ୍ଭାବନା ରହିଛି । 

 ସର୍ଫରାଜ ବନାମ ରାହୁଲ 

ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦଳର  ଏକାଦଶ ଚୟନ କଷ୍ଟକର । ଶୁଭମନ  ଗିଲ୍‌ ଫିଟ୍‌ ହୋଇ ସାରିଥିବାରୁ ଦ୍ୱିତୀୟ ଟେଷ୍ଟ ଖେଳିବା ଏକ  ପ୍ରକାର ନିଶ୍ଚିତ । ତେଣୁ ସର୍ଫରାଜ ଖାନ କିମ୍ବା କେ ଏଲ  ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରୁ ବାଦ ଦିଆଯିବ ।  ସର୍ଫରାଜ ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବାରୁ  ରାହୁଲ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।  

-: କିଛି ରେକର୍ଡ :-

ଭାରତ ୨୦୧୩ରୁ ୨୦୨୨ ମଧ୍ୟରେ ଘରୋଇ  ଗ୍ରାଉଣ୍ଡରେ ମାତ୍ର ୨ଟି ଟେଷ୍ଟ ପରାଜିତ  ହୋଇଥିଲା । ମାତ୍ର ପରବର୍ତ୍ତୀ ୨ ବର୍ଷ(୨୦୨୨ରୁ ୨୦୨୪)  ମଧ୍ୟରେ  ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ୩ଟି  ଟେଷ୍ଟ ପରାଜିତ ହୋଇ ସାରିଛି ।  

ଏହି ଟେଷ୍ଟ ଖେଳିଲେ ରାହୁଲଙ୍କ  ପାଇଁ ଏକ ମାଇଲଖୁଣ୍ଟ ଅତିକ୍ରମ  କରିବାର ସୁଯୋଗ ରହିଛି । ସେ ଆଉ  ୧୯ ରନ୍‌ କଲେ ଟେଷ୍ଟ କ୍ରିକେଟ୍‌ରେ  ୩୦୦୦ ରନ୍‌ ପୂରଣ କରିବେ ।  

ମାଟ୍‌ ହେନରୀ କ୍ୟାରିୟର୍‌ର ପ୍ରଥମ ୧୭ଟି  ଟେଷ୍ଟରେ ନେଇଥିଲେ ମାତ୍ର ୫୩ଟି ୱିକେଟ୍‌ । ମାତ୍ର  ଏହାପରେ ୨୦୨୩ରୁ ଇତି ମଧ୍ୟରେ ସେ ମାତ୍ର ୯ଟି  ଟେଷ୍ଟ ଖେଳି ୫୦ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି ।  

 ଟସ୍‌ ଜିତିଲେ ବ୍ୟାଟିଂ 

ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ପିଚ୍‌ ସ୍ପିନରଙ୍କୁ  ସହାୟତା କରିବା ନିଶ୍ଚିତ । ଫଳରେ ଟସ୍‌ ନିର୍ଣ୍ଣାୟକ  ଭୂମିକା ଗ୍ରହଣ କରିବ । ଟସ୍‌ ବିଜୟୀ ଦଳ ବ୍ୟାଟିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ମ୍ୟାଚ୍‌  ଆଗେଇବା ସହ ବଲ୍‌ ଅଧିକ ଟର୍ଣ୍ଣ କରିବ ଓ ତୃତୀୟ  ଓ ଚତୁର୍ଥ ଇନିଂସରେ ବ୍ୟାଟିଂ କଷ୍ଟକର ହେବ । ପ୍ରଥମ ୨ଦିନରେ ପିଚ୍‌ ବ୍ୟାଟିଂ ପାଇଁ ଯଥେଷ୍ଟ ଅନୁକୂଳ ରହିବ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ବିରାଟ କୋହଲି, ରିଷଭ  ପନ୍ତ, କେ ଏଲ ରାହୁଲ/ସର୍ଫରାଜ ଖାନ, ରବିନ୍ଦ୍ର  ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ/ ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଆକାଶ  ଦୀପ/ମହମ୍ମଦ ସିରାଜ ।  

ନ୍ୟୁଜିଲାଣ୍ଡ: ଟମ ଲାଥମ(ଅଧିନାୟକ),  ଡେମନ କନୱେ, ୱିଲ ୟଙ୍ଗ, ରଚିନ ରବିନ୍ଦ୍ର,  ଡାରିଲ ମିଚେଲ, ଟମ ବ୍ଲଣ୍ଡେଲ, ଗ୍ଲେନ ଫିଲିପ୍ସ,  ମିଚେଲ ସାଣ୍ଟନର, ଟିମ ସାଉଦି, ୱିଲ ଓ’ରୁର୍କ/ ମାଟ ହେନରୀ, ଅଜାଜ ପଟେଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.