ଡର୍ବାନ,୦୮/୧୧:ଶୁକ୍ରବାର ଘରୋଇ ଦକ୍ଷିଣ  ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୪ମ୍ୟାଚ୍‌ ବିଶିଷ୍ଟ  ଟି-ଟ୍ୱେଣ୍ଟି ସିରିଜ । ବ୍ୟାଟିଂର ସ୍ୱର୍ଗ କୁହାଯାଉଥିବା ଡର୍ବାନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଅବଶ୍ୟ ଶୁକ୍ରବାର ବର୍ଷା ଆଶଙ୍କା ରହିଛି । ତଥାପି ପୂର୍ଣ୍ଣ ୨୦ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳକୁ ସଫଳ କରାଇବା ପାଇଁ ଗ୍ରାଉଣ୍ଡ୍‌ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ଗ୍ରାଉଣ୍ଡରେ ଅତ୍ୟାଧୁନିକ  ଜଳ ନିଷ୍କାସନ ବ୍ୟବସ୍ଥା ରହିଛି । ଫଳରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଗ୍ରାଉଣ୍ଡ ଶୁଖି ଖେଳ ଉପଯୋଗୀ ହୋଇପାରିବ ।  

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା,  ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳି  ନାହାନ୍ତି । କିନ୍ତୁ ଯୁବ ଦଳ ମଧ୍ୟ ଦକ୍ଷିଣ  ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି ।  

ଶୁକ୍ରବାର ଦକ୍ଷିଣ ଆଫ୍ରିକାର ସବୁ ବିସ୍ଫୋରକ ବ୍ୟାଟର ଗ୍ରାଉଣ୍ଡକୁ ଓହ୍ଲାଇବେ । ଡେଭିଡ୍‌ ମିଲର, ହେନରିକ  କ୍ଲାସେନ ଓ ଆଡେନ ମାରକ୍ରମ ଭାରତୀୟ  ବୋଲରଙ୍କୁ ନିର୍ମମ ପ୍ରହାର କରି ଗତ  ବିଶ୍ୱକପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ  ନେବାକୁ ପ୍ରୟାସ କରିବେ । ଶୁକ୍ରବାର  ଭାରତର ପଲା ଭାରି ରହିବ । ପୂର୍ବ ରେକର୍ଡ  ମଧ୍ୟ ଭାରତ ପକ୍ଷରେ ରହିଛି । ଦକ୍ଷିଣ  ଆଫ୍ରିକାରେ ଉଭୟ ଦଳ ପରସ୍ପରକୁ ୯ଥର  ଭେଟିଛନ୍ତି। ଏଥିରୁ ଭାରତ ୬ଟି ମ୍ୟାଚ୍‌  ଜିତିଛି ଓ ୩ଟିରେ ପରାଜିତ ହୋଇଛି ।  

ସମ୍ପ୍ରତି ଚମତ୍କାର ଫର୍ମ ଓ ବିଧ୍ୱଂସୀ  ବ୍ୟାଟିଂକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ସାଜିଥିବା ଦୁଇ ବିସ୍ଫୋରକ ବ୍ୟାଟର  ସୂର୍ଯ୍ୟକୁମାର ଯାଦବ ଓ ହେନରିକ  କ୍ଲାସେନଙ୍କ ଉପରେ ଦର୍ଶକଙ୍କ ନଜର  ରହିବ । ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାରଙ୍କ  ଷ୍ଟ୍ରାଇକ ରେଟ୍‌ ୧୬୯.୪୮ ରହିଛି ।  ସେହିପରି କ୍ଲାସେନ ୧୬୮.୦୯ ଷ୍ଟ୍ରାଇକ  ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି ।  

ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗ  ସନ୍ତୁଳିତ ରହିଥିଲେ ହେଁ ଭାରତର ବୋଲିଂ  ବିଭାଗ ଅଧିକ ଶକ୍ତିଶାଳୀ ମନେ ହେଉଛି ।  ବାମ ହାତି ପେସ୍‌ ବୋଲର ଅର୍ଶଦୀପ  ସିଂହ ଚଳିତ ବର୍ଷ ୧୪ଟି ଟି-ଟ୍ୱେଣ୍ଟି ଖେଳି  ୨୮ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଫିଟ୍‌  ହୋଇ ଫେରିଥିବା ବାମ ହାତି ବ୍ୟାଟର  ତିଳକ ବର୍ମା ଶୁକ୍ରବାର ଏକାଦଶରେ  ସ୍ଥାନ ପାଇବା ନିଶ୍ଚିତ । ଠିକ୍‌ ସେହିପରି  ଅଲରାଉଣ୍ଡର ରମଣଦୀପ ସିଂହ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଲ୍‌ରାଉଣ୍ଡର  ଆଣ୍ଡିଲ ସିମେଲିନ ଓ ଲେଗ ସ୍ପିନର  ନକାବ୍ୟୋମଜି ପିଟର ପଦାର୍ପଣ କରିବେ । ଅନ୍ୟ ଅଲରାଉଣ୍ଡର ଭାବେ ମାର୍କୋ  ଜାନସେନ ଦଳରେ ରହିଛନ୍ତି ।  

ବ୍ୟାଟିଂ ପାଇଁ ଅନୁକୂଳ ପିଚ୍‌: ଡର୍ବାନ ପିଚ୍‌ ସର୍ବଦା ବ୍ୟାଟରଙ୍କୁ  ସହାୟତା କରିଛି । ଆସନ୍ତା କାଲି ମଧ୍ୟ  ବିଶାଳ ସ୍କୋର ସଂଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଠାରେ  ଖେଳାଯାଇଥିବା ଶେଷ ୭ଟି ମ୍ୟାଚ୍‌ର  ହାରା ହାରି ପ୍ରଥମ ଇନିଂସ ସ୍କୋର ରହିଛି  ୧୮୪ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ବର୍ଷା  ମଧ୍ୟ ମ୍ୟାଚ୍‌ରେ ବାଧକ ସାଜିପାରେ ।  

ସମ୍ଭାବ୍ୟ ଦଳ 

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ,  ର‌୍ୟାନ ରିକେଲଟନ, ଆଡେନ ମାରକ୍ରମ  (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ  କ୍ଲାସେନ, ଡେଭିଡ୍‌ ମିଲର, ମାର୍କୋ  ଜାନସେନ/ଗେରାଲ୍ଡ କୋଏଜି, ଆଣ୍ଡିଲ  ସିମେଲେନ, ନକାବ୍ୟୋମଜି ପିଟର,  କେଶବ ମହାରାଜ, ଓଟିନେଲ ବାର୍ଟନେଲ ।

ଭାରତ: ସଞ୍ଜୁ ସାମସନ,  ଅଭିଷେକ ଶର୍ମା, ସୂର୍ଯ୍ୟକୁମାର  ଯାଦବ(ଅଧିନାୟକ), ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ରମଣଦୀପ  ସିଂହ, ଅକ୍ଷର ପଟେଲ, ଅଭେଶ ଖାନ,  ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।