କଟକ୦୫/୧୨: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ବାରବାଟୀ ଟିକେଟ୍ ବିକ୍ରି ହୋଇଛି । ସାରା ରାତି ଉଜାଗର ରହିଥିବା କ୍ରିକେଟ୍ ପ୍ରେମୀଙ୍କୁ ମିଳିଛି ଟିକେଟ୍ । ସକାଳ ୯ଟାରୁ କାଉଣ୍ଟରରେ ଅଫ୍ଲାଇନ୍ ଟିକେଟ୍ ବିକ୍ରି ହେଉଛି । ତେବେ କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ମିଳିବ । ଏହାକୁ ନେଇ କାଉଣ୍ଟର ସାମ୍ନାରେ ଠେଲା ପେଲା ଓ ନାହିଁ ନଥିବା ଭିଡ଼ ।
ସୂଚନା ମୁତାବକ, ଶୁକ୍ରବାର ସକାଳୁ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରୁ ବାରବାଟୀ ଷ୍ଟାଡିୟମ ନିକଟରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଦର୍ଶକଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଟିକେଟ୍ ଖଣ୍ଡିଏ ପାଇଁ ଦର୍ଶକ ଚାତକ ଭଳି ଅନେଇ ଶେଷରେ ଫ୍ୟାନ୍ସ ମାନେ ଟିକେଟ୍ କିଣିଛନ୍ତି ।ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ । ରାତି ଯେତିକି ବଢ଼ିଥିଲା, ପ୍ରଶଂସକଙ୍କ ଭିଡ଼ ସେତିକି ଜମିବାରେ ଲାଗିଥିଲା । ପରିବେଶ ଲୋକାରଣ୍ୟ ହୋଇଯାଇଥିଲା । ହାତରେ ଜାତୀୟ ପତାକା ଧରି ସେମାନେ ବସି ରହିଥିଲେ । ଭିଡ଼ ଅଧିକ ଜମିବାରୁ ଶେଷରେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । କାଉଣ୍ଟରେ ମାତ୍ର ୧୦ ହଜାର ଟିକେଟ୍ ବିକ୍ରି ହେବ । କିନ୍ତୁ ଆଶାୟୀ ବହୁ ଗୁଣା । ଜଣେ ବ୍ୟକ୍ତିଙ୍କୁ ୨ଟି ଟିକେଟ୍ ମିଳିବାର ନିୟମ ରହିଛି । ତେଣୁ ଯେଉଁ ପ୍ରଥମ ୫୦୦୦ ଦର୍ଶକ ଧାଡ଼ିରେ ଆସିବେ ସେମାନେ ହିଁ ଟିକେଟ୍ ନେଇ ଘରକୁ ବାହୁଡ଼ିବେ । ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିବ ।
ପ୍ରଥମ ଥର ପାଇଁ ଲୁହା ବାଡ଼ ବ୍ୟବସ୍ଥା ସହ ଜିକ୍ଜାକ୍ ଡିଜାଇନ୍ରେ ବ୍ୟାରିକେଡିଂ କରାଯାଇଛି । ଓସିଏ କ୍ରିକେଟ ଏକାଡେମୀ ପଟେ ଦର୍ଶକ ଆସି ବ୍ୟାରିକେଡ୍ରେ ଭିତରେ ପ୍ରବେଶ କରିଥିଲେ । ଏହି ବ୍ୟାରିକେଡ୍ ଦେଇ ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ଯାଇ । ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ୍ ଲାଇନ କରାଯାଇଥିବା ବେଳେ ତା’ ପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ୍ ହୋଇଛି । ଏହି ୩ ଫୁଟ୍ ଭିତରେ ପୁଲିସ ମୁତାୟନ ହୋଇଛନ୍ତି । କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ୍ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବଦିନ ରାତିରୁ କୌଣସି କ୍ରିକେଟପ୍ରେମୀଙ୍କୁ କାଉଣ୍ଟର ପାଖରେ ଧାଡ଼ି ବାନ୍ଧିବାକୁ ସୁଯୋଗ ଦିଆଯାଇନଥିଲା । ଦର୍ଶକ କାଉଣ୍ଟର ଖୋଲିବାର ତିନିଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୬ଟାରୁ ଲାଇନ୍ ଲଗାଇଥିଲେ।