ନୂଆଦିଲ୍ଲୀ,୧୧/୧୦:  ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ  ମଧ୍ୟରେ ଦ୍ୱିତୀୟ  ଟେଷ୍ଟ ଜାରି ରହିଛି । ପ୍ରଥମ ଦିବସରେ ଭାରତ ଆଧିପତ୍ୟ ଜାରି ରଖି ବିଶାଳ ସ୍କୋର  ଅଭିମୁଖେ ଅଗ୍ରସର ହେଉଛି । ଯଶସ୍ୱୀ  ଜୈସ୍ୱାଲଙ୍କ ସପ୍ତମ ଶତକ ଓ ସାଇ  ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ  ଘରୋଇ ଦଳ ପ୍ରଥମ ଇନିଂସରେ ୨  ୱିକେଟ୍‌ ହରାଇ ୩୧୮ ରନ ସଂଗ୍ରହ କରିଛି । ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ  ସୁଦ୍ଧା ଜୈସ୍ୱାଲ ୧୭୩ ଓ ଶୁଭମନ ଗିଲ୍‌  ୨୦ ରନ କରି ଅପରାଜିତ ରହିଛନ୍ତି ।

ଶୁକ୍ରବାର ଟସ୍‌ ଜିତିଥିଲା ଭାରତ  ଓ ନେଇଥିଲା ବ୍ୟାଟିଂ ନିଷ୍ପତ୍ତି ।  ଅଧିନାୟକ ନିଯୁକ୍ତ ହେବା ପରଠୁ ଗିଲ୍‌ ପ୍ରଥମ କରି ଟସ୍‌ ଜିତିଥିଲେ । ଦୁଇ  ଓପନର କେଏଲ ରାହୁଲ ଓ ଜୈସ୍ୱାଲ  ସତର୍କତାର ସହ ବ୍ୟାଟିଂ ଆରମ୍ଭ  କରିଥିଲେ । ପେସ୍‌ ବୋଲରଙ୍କୁ ପିଚ୍‌ରୁ  ସେଭଳି କିଛି ସହାୟତା ମିଳି ନଥିଲା ।  ତଥାପି ୱେଷ୍ଟ ଇଣ୍ଡିଜର ପେସ୍‌ ବାହିନୀ  ଶୃଙ୍ଖଳିତ ବୋଲିଂ କରି ରନ୍‌ ଗତିକୁ ମନ୍ଥର କରିଥିଲେ । ୧୪ଓଭର ପରେ ସ୍ପିନର ବୋଲିଂ ଆରମ୍ଭ କରିଥିଲେ ।  ଏହାପରେ ରାହୁଲ ବଡ଼ ସଟ୍‌ ଖେଳିବା  ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ରେ  ଉଭୟ ୫୮ ରନ୍‌ ସଂଗ୍ରହ କରିଥିଲେ । ୧୮ତମ ଓଭରରେ ଜୋମେଲ ୱାରିକାନ  ଯୋଡ଼ି ଭାଙ୍ଗିଥିଲେ । ରାହୁଲ ୩୮  (୫ଚୌକା, ୧ଛକା) ରନ କରି ଷ୍ଟମ୍ପ  ଆଉଟ୍‌ ହୋଇଥିଲେ । ଏହାପରେ  ବ୍ୟାଟିଂ କରିବାକୁ ଆସିଥିବା ସାଇ  ସୁଦର୍ଶନ ଅପରାଜିତ ଜୈସ୍ୱାଲଙ୍କ  ସହ ମିଶି ଦଳୀୟ ସ୍କୋରକୁ ଆଗେଇ  ନେଇଥିଲେ । ମଧ୍ୟାହ୍ନ ବିରତି  ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ  ୯୪ରେ ପହଞ୍ଚାଇ ସାରିଥିଲେ ।

ଦ୍ୱିତୀୟ ଅଧିବେଶନରେ ଦୁଇ  ଅପରାଜିତ ବ୍ୟାଟର ଆକ୍ରମଣାତ୍ମକ ସଟ୍‌ମାନ ଖେଳି ଦ୍ରୁତ ବେଗରେ ଦଳୀୟ  ସ୍କୋରକୁ ଅଗେଇ ନେଇଥିଲେ । ପ୍ରଥମ  ୧୦ ଓଭରରେ ଉଭୟ ୫୨ ରନ ଯୋଗ  କରିଥିଲେ । ୩୮ ଓଭର ସୁଦ୍ଧା ଦଳୀୟ  ସ୍କୋର ୧୪୬ରେ ପହଞ୍ଚିଥିଲା । ୱେଷ୍ଟ  ଇଣ୍ଡିଜ ବୋଲରମାନେ ଅତିରିକ୍ତ ଦେଇ  ନଥିଲେ ହେଁ ଜୈସ୍ୱାଲ ଓ ସୁଦର୍ଶନଙ୍କ  ଆକ୍ରମଣରୁ ବର୍ତ୍ତି ନଥିଲେ । ପ୍ରତି  ଓଭରରେ ଅତି କମ୍‌ରେ ଗୋଟିଏ  ଲେଖାଏଁ ଚୌକା ବାହାରୁଥିଲା ।  ୪୫ ଓଭର ସୁଦ୍ଧା ଉଭୟ ଦଳୀୟ  ସ୍କୋରକୁ ୧୭୫ରେ ପହଞ୍ଚାଇଥିଲେ ।  ସୁଦର୍ଶନ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ  କରିବା ପରେ ପରେ ଜୈସ୍ୱାଲ୍‌ ଶତକ  ପୂରଣ କରିଥିଲେ । ଚା’ପାନ ବିରତି  ବେଳକୁ ଉଭୟ ଦଳୀୟ ସ୍କୋରକୁ  ୨୨୦ରେ ପହଞ୍ଚାଇ ସାରିଥିଲେ ।  କେବଳ ଦ୍ୱିତୀୟ ଅଧିବେଶନରେ  ଉଭୟ ସଂଗ୍ରହ କରିଥିଲେ ୧୨୬ ରନ ।

ତୃତୀୟ ଅଧିବେଶନରେ ୱେଷ୍ଟ  ଇଣ୍ଡିଜ୍‌ ରନ୍‌ ଗତିକୁ  ମନ୍ଥର କରିବାରେ ସଫଳ  ହୋଇଥିଲା । ପ୍ରଥମ  ୧୦ ଓଭରରେ ୩୧ ରନ  ପ୍ରଦାନ କରିଥିଲେ ଇଣ୍ଡିଜ  ବୋଲିଂ ବାହିନୀ । ଦଳୀୟ  ସ୍କୋର ୨୫୧ବେଳେ  ସୁଦର୍ଶନ ଧୈର୍ଯ୍ୟ ହରାଇ  ବସିଥିଲେ । ସେ ବ୍ୟକ୍ତିଗତ  ୮୭ (୧୨ଚୌକା) ରନ  କରି ୱାରିକାନଙ୍କ ବଲ୍‌ରେ  ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ।  ଜୈସ୍ୱାଲଙ୍କୁ ଆଉଟ୍‌ କରିବାରେ  ବିଫଳ ହୋଇଥିଲା ୱେଷ୍ଟ ଇଣ୍ଡିଜ୍‌ ।  ସେ ଗୋଟିଏ ପଟେ ଆକ୍ରମଣ ଜାରି  ରଖି ଦଳୀୟ ସ୍କୋରକୁ ଆଗେଇ  ନେଇଥିଲେ । ଦ୍ୱିତୀୟ ୱିକେଟ୍‌ର ପତନ  ପରେ ବ୍ୟାଟିଂ କରିବାକୁ ଆସିଥିବା  ଗିଲ୍‌ ମଧ୍ୟ ତାଙ୍କୁ ଉପଯୁକ୍ତ ସହାୟତା  ପ୍ରଦାନ କରିଥିଲେ । ଷ୍ଟମ୍ପ ସୁଦ୍ଧା ଉଭୟ  ୬୭ ରନର ଭାଗିଦାରୀ ଗଢ଼ି ଦଳୀୟ  ସ୍କୋରକୁ ୩୧୮ରେ ପହଞ୍ଚାଇଥିଲେ ।  ଆଜି ୱେଷ୍ଟ ଇଣ୍ଡିଜ୍‌ ୯୦ ଓଭର ବୋଲିଂ  କରିଥିଲେ ହେଁ ଗୋଟିଏ ହେଲେ  ଅତିରିକ୍ତ ରନ ପ୍ରଦାନ କରି ନଥିଲା ।