ଭଦୋଦରା,୨୭/୧୨: ଭାରତୀୟ ମହିଳା ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ହରାଇଛି। ଏହିପରିଭାବେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ୩୮.୮ ଓଭରରେ ୧୬୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨୮.୨ ଓଭରରେ ୫ ୱିକେଟ୍ ହାସଲ କରିଥିଲା। ଦୀପ୍ତି ଶର୍ମା ଭାରତ ପାଇଁ ସର୍ବାଧିକ ୩୯ ରନ୍ କରିଥିଲେ। ୨୨ ଟି ବଲରେ ହାରମାନପ୍ରୀତ କୌର ୩୨ ରନ୍‌ ହାସଲ କରିଥିଲେ।

ଏହା ବ୍ୟତୀତ ଜେମିମା ରୋଡ୍ରିଗ୍ସ ୨୯ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସର ରିଚା ଘୋଷ ୧୧ ବଲରେ ୨୩ ରନ୍ କରି ଅପରାଜିତ ରହିଥିଲେ। ତେବେ ଏହା ପୂର୍ବରୁ ଭାରତୀୟ ଦଳର ଭଲ ଆରମ୍ଭ ହୋଇନଥିଲା। ୧୯ ଟି ବଲ୍‌ରେ ୪ ରନ୍ କରିବା ପରେ ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ପାଭିଲିୟନ ଫେରିଥିଲେ। ପ୍ରତୀକ ରାୱଲ ୨୩ ଟି ବଲରେ ୧୮ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଡେନ୍ଦ୍ରା ଡାଟ୍ଟିନ୍, ଏଲିୟାହ ଆଲିୟନ୍, ହେଲି ମାଥ୍ୟୁସ୍, ଏଫି ଫ୍ଲେଟର୍ ଏବଂ କରିସ୍ମା ରାମଚରକ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳି‌ଥିଲା।

ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁସ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍‌ର ଆରମ୍ଭ ବହୁତ ଖରାପ ଥିଲା। କ୍ୱେନା ଜୋସେଫ ଏବଂ ହେଲି ମାଥ୍ୟୁସ୍ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ରେଣୁକା ସିଂ ଠାକୁର ଉଭୟ ଓପନର୍‌ଙ୍କ ଓ୍ବିକେଟ ଖସାଇଥିଲେ। ତେବେ ଏହା ପରେ ଶିମାନ କ୍ୟାମ୍ପବେଲ ୬୨ ବଲରେ ୪୬ ରନର ଏକ ଭଲ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିନ୍‌ଲେ ହେନେରୀ ୭୨ ବଲରେ ୬୧ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୩ଟି ଛକା ମାରିଥିଲେ।

ଦୀପ୍ତି ଶର୍ମା ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ୧୦ ଓଭରରେ ୩୧ ରନ୍ ଦେଇ ଦୀପ୍ତି ୬ ୱିକେଟ୍ ନେଇଥିଲେ। ରେଣୁକା ସିଂହ ଠାକୁର ୯.୫ ଓଭରରେ ୨୯ ରନ୍ ଦେଇ ୪ ଓ୍ବିକେଟ ହାସଲ କରିଥିଲେ।