ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ମେ ୨ ତାରିଖରେ ଉତ୍ତର ପ୍ରଦେଶର ବିମାନ ଅବତରଣ ଅଭ୍ୟାସ ଆରମ୍ଭ କରିଛି। ଶାହଜାହାନପୁର ଜିଲ୍ଲାରେ ନିର୍ମାଣାଧୀନ ଗଙ୍ଗା ଏକ୍ସପ୍ରେସୱେରେ ୩.୫ କିଲୋମିଟର ଲମ୍ବର ଏକ ଏୟାର ଷ୍ଟ୍ରିପରେ ଐତିହାସିକ "ଲ୍ୟାଣ୍ଡ ଆଣ୍ଡ ଗୋ" ପରୀକ୍ଷଣ ଆରମ୍ଭ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ଏୟାର ଷ୍ଟ୍ରିପ ଅଟେ। ଯେଉଁଠି ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧ ବିମାନର ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ ବୋଲି ଜଣାପଡିଛି। ଏହି ପରୀକ୍ଷଣ ଯୁଦ୍ଧ କିମ୍ବା ଜାତୀୟ ଜରୁରୀ ପରିସ୍ଥିତିରେ ଏକ୍ସପ୍ରେସୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରିବାର ସମ୍ଭାବନା ମୂଲ୍ୟାଙ୍କନ କରିବା ପାଇଁ ଆୟୋଜିତ ହୋଇଛି।
ଏହି ପରୀକ୍ଷଣ ଦିନ ଓ ରାତି ଭଳି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଛି। ଦିନ ପର୍ଯ୍ୟାୟରେ ଆଇଏଏଫର ରାଫେଲ, ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ମିଗ-୨୯, ଜାଗୁଆର ଯୁଦ୍ଧ ବିମାନ ଏବଂ ସି-୧୩୦ଜେ ସୁପର ହର୍କୁଲିସ, ଏଏନ-୩୨ ଟ୍ରାନ୍ସପୋର୍ଟ ବିମାନ ଓ ଏମଆଇ-୧୭ ଭି୫ ହେଲିକପ୍ଟର ସହ ଅଂଶଗ୍ରହଣ କରିଛି। ରାତି ପର୍ଯ୍ୟାୟ (ସନ୍ଧ୍ୟା ୭ଟାରୁ ରାତି ୧୦ଟା) ମଧ୍ୟରେ ଏହି ଏୟାର ଷ୍ଟ୍ରିପର ରାତ୍ରୀ ଅବତରଣ କ୍ଷମତା ମଧ୍ୟ ପରୀକ୍ଷା କରିଛି। ତେବେ ଉନ୍ନତ ଆଲୋକ ବ୍ୟବସ୍ଥା ଓ ନାଭିଗେସନ ସିଷ୍ଟମ ଦ୍ୱାରା ଏହି ପରିକ୍ଷଣ ମଧ୍ୟ ସମ୍ଭବପର ହୋଇ ପାରିଛି। ବିମାନଗୁଡ଼ିକ ମାତ୍ର ୧ ମିଟର ଉଚ୍ଚତାରେ ନିମ୍ନ ଉଡ଼ାଣ (ଲୋ ଫ୍ଲାଇପାସ୍ଟ) କରି ଅବତରଣ ଓ ଉଡ଼ାଣ ପରୀକ୍ଷା କରିଛନ୍ତି।
ଜାଲାଲାବାଦ ନିକଟସ୍ଥ ପିରୁ ଗାଁରେ ଅବସ୍ଥିତ ଏହି ଏୟାର ଷ୍ଟ୍ରିପ୍ ଉଚ୍ଚ-ଶକ୍ତିସମ୍ପନ୍ନ କଂକ୍ରିଟରେ ନିର୍ମିତ। ଯାହା ରାଫେଲ ଓ ସି-୧୩୦ଜେ ଭଳି ଭାରୀ ବିମାନର ଭାର ସହ୍ୟ କରିବା ପାଇଁ ଡିଜାଇନ କରାଯାଇଛି। ଏହା ସିଏଟି ଆଇଆଇ ଇନଷ୍ଟ୍ରୁମେଂଟ ଲ୍ୟାଣ୍ଡିଂ ସିଷ୍ଟମ (ଆଇଏଲଏସ) ଏବଂ ଜିପିଏସ-ଆଧାରିତ ନାଭିଗେସନ ସହିତ ସଜ୍ଜିତ। ଯେଉଁଥିପାଇଁ କମ ଦୃଶ୍ୟମାନତା ଓ ରାତିରେ ମଧ୍ୟ ଯେକୈଣସି ସେନା ବିମାନ ଏଠାରେ ନିରାପଦ ଅବତରଣ କରିପାରିବ। ଏଠାରେ ସୁରକ୍ଷା ପାଇଁ ୨୫୦ରୁ ଅଧିକ ସିସିଟିଭି କ୍ୟାମେରା ଏବଂ ବିପୁଳ ସଂଖ୍ୟକ ସଶସ୍ତ୍ର ବଳ ମୁତୟନ କରାଯାଇଛି।
୫୯୪ କିଲୋମିଟର ଲମ୍ବା ଗଙ୍ଗା ଏକ୍ସପ୍ରେସୱେ ମେରଠରୁ ପ୍ରୟାଗରାଜକୁ ସଂଯୋଗ କରୁଛି। ଏବେଯାଏ ଏହାର ୮୫% ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ଉତ୍ତର ପ୍ରଦେଶର ଚତୁର୍ଥ ଏକ୍ସପ୍ରେସୱେ ଯାହା ଆଇଏଏଫ ପାଇଁ ଏୟାର ଷ୍ଚ୍ରିପର ସୁବିଧା ଯୋଗାଇଛି। ଅନ୍ୟ ତିନୋଟି ହେଉଛି ଆଗ୍ରା-ଲକ୍ଷ୍ନୌ, ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ। ତେବେ, ରାତ୍ରୀ ଅବତରଣ ସୁବିଧା ସହିତ କେବଳ ଗଙ୍ଗା ଏକ୍ସପ୍ରେସୱେ ଦେଶରେ ପ୍ରଥମ ଏୟାର ଷ୍ଟ୍ରିପର ସୁବିଧା ଯୋଗାଇବା ପାଇଁ ସକ୍ଷମ। ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ୩୬,୨୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଏହି ପରୀକ୍ଷଣ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା, ବିଶେଷତଃ କାଶ୍ମୀରର ପହଲଗାମ ଆତଙ୍କବାଦୀ ପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏହି ପରୀକ୍ଷଣ ଭାରତର ସାମରିକ ପ୍ରସ୍ତୁତି ସମନ୍ୱୟର ଏକ ଶକ୍ତିଶାଳୀ ପ୍ରଦର୍ଶନ ଭାବେ ପରିଗଣିତ ହେଉଛି। ଏହି ଘଟଣା ଭାରତର ପ୍ରତିରକ୍ଷା ପ୍ରସ୍ତୁତି ଓ ନାଗରିକ-ସାମରିକ ସମନ୍ୱୟରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।