ନୂଆଦିଲ୍ଲୀ: ଆକାଶ ମାର୍ଗରେ ଯୁଦ୍ଧାଭ୍ୟାସ ପାଇଁ NOTAM ଜାରି କରିଛି ଭାରତ । ଆସନ୍ତାକାଲି (ବୁଧବାର) ଭାରତ-ପାକିସ୍ତାନ ସୀମାରେ ଆକାଶ ମାର୍ଗରେ ଯୁଦ୍ଧାଭ୍ୟାସ କରିବ ଭାରତୀୟ ବାୟୁସେନା । ଏହି ଅଭ୍ୟାସ ଭାରତ-ପାକିସ୍ତାନ ଦକ୍ଷିଣ ସୀମାରେ ହେବ । ଭାରତୀୟ ବାୟୁସେନା ଆସନ୍ତାକାଲିଠାରୁ ଭାରତ-ପାକିସ୍ତାନ ସୀମାର ମରୁଭୂମି ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଅଭ୍ୟାସ କରିବ। ଏଥିରେ ରାଫେଲ, ମିରାଜ ୨୦୦୦ ଏବଂ ସୁଖୋଇ-୩୦ ସମେତ ଅନେକ ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ। ଭାରତ-ପାକିସ୍ତାନ ସୀମା ସଂଲଗ୍ନ ଅନେକ ଜିଲ୍ଲାରେ ଆସନ୍ତାକାଲି ମକ୍ ଡ୍ରିଲ୍ ହେବ । ଏପରି ପରିସ୍ଥିତିରେ ଭାରତ ପୂର୍ବରୁ NOTAM (ନୋଟିସ୍‌ ଟୁ- ଏୟାର ମିଶନ) ଜାରି କରିସାରିଛି । 

NOTAM ହେଉଛି ଏକ ପ୍ରକାର ନୋଟିସ୍ ଯାହା ପାଇଲଟ୍, ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ସୂଚନା ଦିଏ । ଫଳରେ ଯୁଦ୍ଧ ଅଭ୍ୟାସ ସମୟରେ କୌଣସି ପ୍ରକାରର କ୍ଷତି ହେବ ନାହିଁ । ଉଡ଼ାଣ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । NOTAM ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ର ମାନଦଣ୍ଡ ଅନୁଯାୟୀ ଜାରି କରାଯାଏ ଏବଂ ଉଡ଼ାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସୋମବାର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। 

ଆସନ୍ତାକାଲି ଦେଶର ୨୪୪ଟି ଜିଲ୍ଲାରେ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ମକ୍ ଡ୍ରିଲ୍ କରାଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନାଗରିକମାନଙ୍କୁ ତାଲିମ ଦେବାକୁ ଏହି ମକ ଡ୍ରିଲ କରାଯିବ । ମକ୍ ଡ୍ରିଲରେ ସାଇରନ୍ ପରୀକ୍ଷା ଏବଂ ବ୍ଲାକଆଉଟ୍ ପରିଚାଳନା ଅଭ୍ୟାସ ଅନ୍ତର୍ଭୁକ୍ତ । ୫୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ମକ୍ ଡ୍ରିଲ୍ କରାଯାଉଛି। ପୂର୍ବରୁ ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ବଡ଼ ଧରଣର ମକ୍ ଡ୍ରିଲ୍ କରାଯାଇଥିଲା । 




ପହଲଗାମ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଭାରତର ପ୍ରତିଜବାବ ଭୟରେ ପାକିସ୍ତାନ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲରେ, ଲୋକମାନଙ୍କୁ ନାଗରିକ ପ୍ରତିରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାର ଉପାୟ ବିଷୟରେ କୁହାଯିବ।

ନୋଟିସ୍ ଟୁ ଏୟାର ମିଶନ୍ ସିଷ୍ଟମ୍ ଏକ ପ୍ରକାରର ଯୋଗାଯୋଗ ପ୍ରଣାଳୀ, ଯାହା ସାହାଯ୍ୟରେ ବିମାନରେ କ୍ୟାବିନ କ୍ରୁଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଯାଏ । ଏହା ଏକ ଅତ୍ୟନ୍ତ ଗୋପନୀୟ ସୂଚନା ପ୍ରଣାଳୀ । ଏହାକୁ ହ୍ୟାକ୍ କରିବା ଅତ୍ୟନ୍ତ କଷ୍ଟକର । ନୋଟିସ୍ ଟୁ ଏୟାର ମିଶନ ସିଷ୍ଟମରେ ପାଣିପାଗ, ଆଗ୍ନେୟଗିରି ଉଦଗିରଣ, ଆକାଶ ସୀମା ପ୍ରତିବନ୍ଧକ, ଯେକୌଣସି ପାରାଚୁଟ୍ ଜମ୍ପ, ରକେଟ୍ ଲଞ୍ଚ୍ ଏବଂ ସାମରିକ ଅଭ୍ୟାସ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସୂଚନା ବିମାନ ପାଇଲଟ୍‌ଙ୍କୁ ପଠାଯାଇଥାଏ । ଏହା ଦ୍ଵାରା ବିମାନ ଯାତ୍ରା ସମୟରେ ଯେକୌଣସି ଅପ୍ରୀତିକର ଘଟଣାକୁ ଏଡାଇ ଦିଆଯାଇପାରେ ।