ନୂଆଦିଲ୍ଲୀ : ଭାରତୀୟ ସେନାରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେନାରେ ଅନୁଶାସନ, ପ୍ରୋଫେସନାଲିଜିମ୍ ଏବଂ ଭାରତୀୟ ସଂସ୍କୃତିକୁ ଆହୁରି ମଜବୁତ କରିବା ପାଇଁ ମହିଳା ଅଫିସରଙ୍କ ୟୁନିଫର୍ମ ଏବଂ ଗ୍ରୁମିଂ ନିୟମରେ ବଡ଼ ସଂଶୋଧନ କରାଯାଇଛି। ଏହି ନୂଆ ନିୟମ ଅନୁସାରେ, ମହିଳା ଅଫିସରମାନଙ୍କର କିଛି ନିର୍ଦ୍ଦିଷ୍ଟ ପୋଷାକ ଉପରେ କଟକଣା ଲଗାଯାଇଛି, ଯେଉଁଥିରେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି 'ସିଗାରେଟ୍ ପ୍ୟାଣ୍ଟ' (Cigarette Pants)। କିନ୍ତୁ ଆପଣ ଜାଣନ୍ତି କି ଏହି ସିଗାରେଟ୍ ପ୍ୟାଣ୍ଟ ପ୍ରକୃତରେ କଣ ? ଏବଂ ଭାରତୀୟ ସେନା ଏହାକୁ କାହିଁକି କରିଛି ବ୍ୟାନ୍ ? ଆସନ୍ତୁ ସେ ବିଷୟରେ ଜାଣିବା।
ଆଜିକାଲିର ଫ୍ୟାଶନ ଦୁନିଆରେ 'ସିଗାରେଟ୍ ପ୍ୟାଣ୍ଟ' ବେଶ୍ ଲୋକପ୍ରିୟ। ଏହା ହେଉଛି ଏକ ପ୍ରକାରର ସ୍ଲିମ୍ ଫିଟ୍ ଟ୍ରାଉଜର, ଯାହା ଅଣ୍ଟାରୁ ନେଇ ଗୋଡ଼ର ଗଣ୍ଠି ବା ଆଙ୍କଲ୍ ପର୍ଯ୍ୟନ୍ତ ଶରୀରର ଆକାର ସହ ସମ୍ପୂର୍ଣ୍ଣ ଫିଟ୍ ହୋଇ ରହିଥାଏ। ଏହା ସେଣ୍ଟରରୁ ସଂକୀର୍ଣ୍ଣ ଏବଂ ଷ୍ଟ୍ରେଟ୍ କଟ୍ ହୋଇଥାଏ। ଏହାର ପତଳା ଏବଂ ସିଧା ଆକାର ଗୋଟିଏ ସିଗାରେଟ୍ ଭଳି ଦେଖାଯାଉ ଥିବାରୁ, ଏହାକୁ 'ସିଗାରେଟ୍ ପ୍ୟାଣ୍ଟ' କୁହାଯାଏ। ଏହା ଏକ କାଜୁଆଲ୍ ଓ ୱେଷ୍ଟର୍ଣ୍ଣ ଲୁକ୍ ଦେଇଥାଏ।
ଭାରତୀୟ ସେନାର ନୂଆ ୟୁନିଫର୍ମ ୨୦୨୬ ମାନୁଆଲ୍ ଅନୁସାରେ, ଏହି ସିଗାରେଟ୍ ପ୍ୟାଣ୍ଟକୁ କାଜୁଆଲ୍ ୱେଷ୍ଟର୍ଣ୍ଣ ଷ୍ଟାଇଲ୍ ପୋଷାକ ଶ୍ରେଣୀରେ ରଖାଯାଇଛି। ସେନାର କହିବାନୁସାରେ, ସାମରିକ ଔପଚାରିକ କାର୍ଯ୍ୟକ୍ରମ ବା ଅଫିସିଆଲ୍ ଇଭେଣ୍ଟରେ ଏଭଳି ପୋଷାକ ସେନାର ଗରିମା, ଅନୁଶାସନ ଏବଂ ପ୍ରୋଫେସନାଲ୍ ଭାବମୂର୍ତ୍ତି ସହ ସମାନ ହେଉ ନାହିଁ।
ସେନା ଏବେ ଔପନିବେଶିକ ଅର୍ଥାତ୍ ବ୍ରିଟିଶ ସମୟର ପ୍ରଭାବରୁ ଦୂରେଇ ଯାଇ ଭାରତୀୟ ସାଂସ୍କୃତିକ ପରିଚୟକୁ ପ୍ରାଧାନ୍ୟ ଦେଉଛି। ସେଥିପାଇଁ ମହିଳା ଅଫିସରମାନଙ୍କୁ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଶାଢ଼ୀ, କୁର୍ତ୍ତା-ସଲୱାର୍ ସେଟ୍ ଏବଂ ଗୋଡ଼ର ଗଣ୍ଠି ପର୍ଯ୍ୟନ୍ତ ଲମ୍ବା ଥିବା ଷ୍ଟ୍ରେଟ୍ କଟ୍ ଟ୍ରାଉଜର ପିନ୍ଧିବାକୁ ଅନୁମତି ଦିଆଯାଇଛି।
ନିୟମ କେବଳ ସିଗାରେଟ୍ ପ୍ୟାଣ୍ଟରେ ସୀମିତ ନାହିଁ। ଅଫିସିଆଲ୍ କାର୍ଯ୍ୟକ୍ରମରେ ପଲାଜୋ ଏବଂ ସ୍ଲିଭଲେସ୍ ଅର୍ଥାତ୍ ବିନା ହାତ ସ୍ଲିଭ୍ ଥିବା କୁର୍ତ୍ତା ପିନ୍ଧିବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।
ସେନା ଦ୍ୱାରା ଜାରି କରାଯାଇଥିବା ଗ୍ରୁମିଂ ନିୟମ :
- ଡ୍ୟୁଟି ସମୟରେ ଲିପ୍ଷ୍ଟିକ୍ ଏବଂ ରଙ୍ଗୀନ ନେଲପଲିସ ଲଗାଇବା ମନା।
- ବିନ୍ଦି କିମ୍ବା ନୋଜ୍ ପିନ୍ (ନାକ ଚଣା) ପିନ୍ଧିବା ଉପରେ କଟକଣା।
- ବିବାହିତ ମହିଳା ଅଧିକାରୀମାନେ ସିନ୍ଦୂର ଲଗାଇ ପାରିବେ, କିନ୍ତୁ ତାହା ସେନା ଟୋପି ତଳେ ଲୁଚି ରହିବ, ବାହାରକୁ ଦେଖାଯିବା ଉଚିତ ନୁହେଁ।
ଭାରତୀୟ ସେନା ସବୁବେଳେ ନିଜର ଉଚ୍ଚ ମାନଦଣ୍ଡ ଏବଂ କଠୋର ଅନୁଶାସନ ପାଇଁ ଜଣାଶୁଣା। ଏହି ନୂଆ ଡ୍ରେସ କୋଡ୍ ସେନାରେ ଏକତା ଏବଂ ଭାରତୀୟ ପରମ୍ପରାକୁ ଆହୁରି ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।
ଆହୁରି ମଧ୍ୟ ପଢନ୍ତୁ : ଯୁଦ୍ଧରେ ମୃତ ରୁଷୀୟ ସୈନିକ ପୁଣି ଫେରୁଛନ୍ତି ଘରକୁ ! ପରିବାର ଲୋକ AIରେ ତିଆରି କରୁଛନ୍ତି ଭିଡିଓ