ନୂଆଦିଲ୍ଲୀ,୧୬।୪(ଏଜେନ୍ସି): ଭାରତୀୟ ସେନାରେ ଏବେ ୧ ଲକ୍ଷରୁ ଅଧିକ ସୈନିକଙ୍କ ଅଭାବ ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ସଂସଦର ସ୍ଥାୟୀ ସମିତିକୁ ଏହି ସୂଚନା ଦେଇଛି । ସେହି ତଥ୍ୟ ଅନୁସାରେ, ବର୍ତ୍ତମାନ ଭାରତୀୟ ସେନାରେ ମୋଟ ୧୨.୪୮ ଲକ୍ଷ ସୈନିକ ଅଛନ୍ତି । ୧ ଲକ୍ଷରୁ ଅଧିକ ପଦ ଖାଲି ରହିଛି । ବିଶେଷକରି ସେନାରେ ୯୨,୪୧୦ଜଣ ଜୁନିଅର କମିଶନ୍‌ଡ ଅଫିସର ଓ ନନ୍‌ କମିଶନ୍‌ଡ ଅଫିସରଙ୍କ ଅଭାବ ରହିଛି । ଏହା ପ୍ରାୟ ୭.୭୨ ପ୍ରତିଶତ ଅଭାବକୁ ଦର୍ଶାଉଛି । ୨୦୨୪ ଅକ୍ଟୋବର ୧ ତାରିଖ ସୁଦ୍ଧା ସେନାରେ ସୈନ୍ୟସଂଖ୍ୟା ସ୍ୱୀକୃତ ୧୧,୯୭,୫୨୦ ବଦଳରେ ୧୧,୦୫,୧୧୦ ରହିଥିଲା ।

ଏହାଛଡା ୧୬.୭୧ ପ୍ରତିଶତ ଅଫିସରଙ୍କ ମଧ୍ୟ ଅଭାବ ରହିଛି । ୨୦୨୪ ଜୁଲାଇ ୧ ତାରିଖର ପରିସଂଖ୍ୟାନ ଅନୁସାରେ ସେନାରେ ଏବେ ୪୨,୦୯୫ ଅଫିସର(ମେଡିକାଲ, ଡେଣ୍ଟାଲ ବିଭାଗ ଓ ସାମରିକ ନର୍ସିଂ ସେବାକୁ ଛାଡି଼) ଅଛନ୍ତି । ଯେତେବେଳେକି ସ୍ୱୀକୃତ ପଦ ସଂଖ୍ୟା ହେଉଛି ୫୦,୫୩୮ । ସେନାରୁ ପ୍ରତିବର୍ଷ ପ୍ରାୟ ୬୦ ହଜାର ସୈନିକ ଅବସର ନେଇଥାନ୍ତି । କୋଭିଡ୍‌ ସମୟରେ ଦୁଇ ବର୍ଷ ଧରି ନିଯୁକ୍ତି ହୋଇନଥିଲା । ସେଥିଯୋଗୁ ସେନାରେ ସିଧାସଳଖ ୧ ଲକ୍ଷ ୨୦ ହଜାର ସୈନିକଙ୍କ ଅଭାବ ସୃଷ୍ଟି ହୋଇଥିଲା । ୨୦୨୨ରେ ଅଗ୍ନିପଥ ଯୋଜନା ଆରମ୍ଭ ହେବାପରେ ପ୍ରତିବର୍ଷ ପ୍ରାୟ ୪୦ ହଜାର ଅଗ୍ନିବୀର ସୈନିକ ହିଁ ଭର୍ତ୍ତି ହେଉଛନ୍ତି । ସେଥିଯୋଗୁ କୋଭିଡ୍‌ ସମୟରେ ବନ୍ଦ ହୋଇଥିବା ନିଯୁକ୍ତିର ଅଭାବ କେବେ ପୂରା ହୋଇପାରିନାହିଁ । ଏ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଅଗ୍ନିପଥ ଯୋଜନା ଆଗକୁ ବଢ଼ିଚାଲିଲେ ସୈନିକଙ୍କ ଅଭାବ ପୂରଣ ହୋଇଯିବ ।