ପ୍ରମୂଖ ଖବର
  • ବଢିଲା ଟ୍ରମ୍ପ-ମସ୍କ ଫାଟ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଭାରତର କୂଟନୈତିକ ବିଜୟ, ମାଲେସିଆରେ ଫେଲ୍ ମାରିଲା ପାକ୍‌ର ଷଡ଼ଯନ୍ତ୍ର

Published By : Swapna Ray | June 4, 2025 5:09 PM

ନୂଆଦିଲ୍ଲୀ, ୪।୬: ପୁଣିଥରେ ପାକିସ୍ତାନର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ସବୁ ଚେଷ୍ଟାକୁ ଭଣ୍ଡୁର କଲା ମାଲେସିଆ । ମାଲେସିଆରେ ଲଜ୍ଜାର ସମ୍ମୁଖୀନ ହୋଇଛି ପାକିସ୍ତାନ । ଭାରତର ସର୍ବଦଳୀୟ ପ୍ରତିନିଧି ଦଳର ମାଲେସିଆ ଗସ୍ତକୁ ରୋକିବା ପାଇଁ ପାକିସ୍ତାନ ଯଥାସମ୍ଭବ ପ୍ରୟାସ କରିଥିଲା । କିନ୍ତୁ, ମାଲେସିଆ ଏହାର 'ଧାର୍ମିକ ଏକତା'ର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଭାରତକୁ ଦୃଢ଼ ସମର୍ଥନ କରିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ନୂତନ ରଣନୀତି ବିଷୟରେ ବିଶ୍ୱକୁ ଅବଗତ କରୁଥିବା ବେଳେ, ପାକିସ୍ତାନ ନିଜର ଦାଗ ଧୋଇବା ପାଇଁ ଧାର୍ମିକ ଏବଂ ରାଜନୈତିକ ଚାଲ୍ ଚଲାଇବାକୁ ଚେଷ୍ଟା କରିଛି । ମାଲେସିଆରେ ଭାରତୀୟ ସାଂସଦଙ୍କ ଉପସ୍ଥିତି ସମ୍ପର୍କରେ ପାକିସ୍ତାନୀ ଦୂତାବାସ କହିଛି ଯେ, ମାଲେସିଆ ଏକ ମୁସଲିମ୍ ଦେଶ ଏବଂ ଏହା ଭାରତୀୟ ପ୍ରତିନିଧିମଣ୍ଡଳକୁ ଏକ ମଞ୍ଚ ଦେବା ଉଚିତ୍ ନୁହେଁ । କିନ୍ତୁ, ମାଲେସିଆ ପାକିସ୍ତାନର ଏହି ମାନସିକତାର କଡ଼ା ଜବାବ ଦେଇଛି ଏବଂ ସ୍ପଷ୍ଟ କରିଛି ଯେ, ଏହାର ବୈଦେଶିକ ନୀତି ନିରପେକ୍ଷ ଏବଂ ସନ୍ତୁଳିତ । କୌଣସି ଧର୍ମ ଆଧାରିତ ନୁହେଁ । 

ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବା ଜେଡିୟୁ ସାଂସଦ ସଞ୍ଜୟ ଝା ସ୍ପଷ୍ଟ କରିଛନ୍ତି ଯେ, ଭାରତ ପାକିସ୍ତାନକୁ ପୁଣି ଥରେ ଗ୍ରେ ତାଲିକାରେ ରଖିବା ପାଇଁ FATF (ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ) ନିକଟରେ ପ୍ରସ୍ତାବ ଦେବାକୁ ପ୍ରସ୍ତୁତ ହେଉଛି । ସେ ଏଥିରେ ସମସ୍ତ ଦେଶମାନଙ୍କଠାରୁ ସମର୍ଥନ ଲୋଡ଼ିଥିଲେ ଏବଂ କହିଥିଲେ ଯେ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବ, ସେ ପର୍ଯ୍ୟନ୍ତ ଏହା ଉପରେ ଅନ୍ତର୍ଜାତୀୟ ଚାପ ବଜାୟ ରଖିବା ଆବଶ୍ୟକ । ସଞ୍ଜୟ ଝା ଆହୁରି କହିଛନ୍ତି, ମାଲେସିଆ ସମେତ ୫ଟି ଦେଶ ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ନୂତନ ଆତଙ୍କବାଦ ନୀତି ନ୍ୟୁ ନର୍ମାଲ ଏବଂ ଅପରେସନ ସିନ୍ଦୁର ପଛରେ ଥିବା ରଣନୀତି ବିଷୟରେ ସାରା ବିଶ୍ୱକୁ ଜଣାଇବା । ସମସ୍ତ ଦେଶ ଭାରତର ଦୃଷ୍ଟିକୋଣକୁ ବୁଝିଛନ୍ତି ଏବଂ ସମର୍ଥନ ମଧ୍ୟ ଜଣାଇଥିବା ସେ କହିଛନ୍ତି । 

କହିରଖୁ କି, ପ୍ରତିନିଧି ଦଳରେ ଭାରତର ସମସ୍ତ ପ୍ରମୁଖ ଦଳର ସାଂସଦ ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ସାମିଲ ହୋଇଥିଲେ । ଏଥିମଧ୍ୟରେ ସଞ୍ଜୟ ଝା (ଜେଡିୟୁ), ଅପାରାଜିତା ସଡ଼ଙ୍ଗୀ, ବ୍ରିଜ୍‌ଲାଲ, ପ୍ରଦାନ ବାରୁଆ, ହେମାଙ୍ଗ ଯୋଶୀ (ବିଜେପି), ଅଭିଷେକ ବାନାର୍ଜୀ (ଟିଏମସି), ଜନ୍ ବ୍ରିଟାସ୍ (ସିପିଏମ୍), ସଲମାନ ଖୁରସିଦ (କଂଗ୍ରେସ), ଡକ୍ଟର ମୋହନ କୁମାର (ପୂର୍ବତନ ରାଷ୍ଟ୍ରଦୂତ) ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.