ନୂଆଦିଲ୍ଲୀ,୨୧/୦୪: ଭାରତୀୟମାନେ ବିଦେଶରେ ଚାକିରି କରିବା ଲାଗି ଯିବା ନିମନ୍ତେ କେନ୍ଦ୍ର ସରକାର ନୂଆ ଆଇନ ଆଣୁଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଇନ ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ଏହାର ଚିଠା ଜାରି ହେବ । ସାଧାରଣ  ଜନତା ଓ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏ ସଂକ୍ରାନ୍ତ  ବିଲ୍‌ ସଂସଦର ବର୍ଷାକାଳୀନ ଅଧିବେଶନରେ ଆଗତ  ହେବ । ଭାରତୀୟମାନେ ଚାକିରି କରିବା ଲାଗି  ବେଆଇନ ଭାବେ ଆମେରିକା ଯାଇଥିବା ଓ ସେଠାରୁ  ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରତ୍ୟର୍ପଣ ହେବା ପରେ ଏହି  ଆଇନ ଆଣିବା ଲାଗି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । 

କେନ୍ଦ୍ର ସରକାର ଆଣୁଥିବା ଏହି ନୂଆ ଆଇନ  ୧୯୮୩ ଇମିଗ୍ରେସନ ଆଇନର ସ୍ଥାନ ନେବ ।  ଏହାର ନାମ ଇମିଗ୍ରେସନ, ଓଭରସିଜ୍‌ ମୋବିଲିଟି,  ଫାସିଲିଟେସନ ଆଣ୍ଡ ୱେଲପେୟାର ବିଲ୍‌ ରହିବ ।  ଚାକିରି ବ୍ୟତୀତ ପାଠପଢ଼ା ଓ ବ୍ୟବସାୟ କରିବାକୁ  ବିଦେଶ ଯାଉଥିବା ଭାରତୀୟଙ୍କ ପାଇଁ ମଧ୍ୟ ଏହି ନୂଆ  ଆଇନ ପରିସରଭୁକ୍ତ କରାଯିବ । ବିଭିନ୍ନ ନିଯୁକ୍ତି ଏଜେଣ୍ଟଙ୍କ ବେଆଇନ ଗତିବିଧିକୁ ଏହି ନୂଆ ବିଲ୍‌ରେ  ଅପରାଧ ଭାବେ ବିବେଚନା କରାଯିବ । ପ୍ରଚଳିତ  ଆଇନରେ ନିଯୁକ୍ତି ଏଜେଣ୍ଟଙ୍କ ରେଜିଷ୍ଟ୍ରେସନ ରଦ୍ଦ  ସହ ସେମାନଙ୍କୁ କଳାତାଲିକାଭୁକ୍ତ କରାଯାଉଥିଲା । କିନ୍ତୁ ନୂଆ ଆଇନରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ  ଭାରତୀୟଙ୍କୁ ବେଆଇନ ଭାବେ ବିଦେଶକୁ ଚାଲାଣ  କରୁଥିଲେ ଏହି ନିଯୁକ୍ତି ଏଜେଣ୍ଟଙ୍କୁ ୫ରୁ ୧୦ ବର୍ଷ  ପର୍ଯ୍ୟନ୍ତ ଜେଲ୍‌ ଓ ୧ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଜରିମାନା କରାଯିବ । 

ବିଦେଶ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୨୪  ଅକ୍ଟୋବର ସୁଦ୍ଧା ଦେଶରେ ମୋଟ ୩୦୯୪ ଅଣ  ପଞ୍ଜିକୃତ ନିଯୁକ୍ତି ଏଜେଣ୍ଟଙ୍କୁ ଚିହ୍ନଟ କରାଯାଇଛି । ନୂଆ ବିଲ୍‌ରେ ସେମାନଙ୍କ ସମ୍ପର୍କରେ ତଥ୍ୟ ରଖାଯିବ । ବିଶର ବିଭିନ୍ନ ଦେଶରେ ବର୍ତ୍ତମାନ ୩.୫ କୋଟି  ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧.୫୮ କୋଟି ଏନ୍‌ଆରଆଇ ହୋଇଥିଲା ବେଳେ ୧.୯୭  କୋଟି ମୂଳ ଭାରତୀୟ ଲୋକ ଅଛନ୍ତି । କୁହାଯାଉଛି କି ଆମେରିକା ପରେ ଏବେ ଅନ୍ୟ ଦେଶରେ ମଧ୍ୟ  ଇମିଗ୍ରେସନ ଆଇନ କଠୋର ହେବାକୁ ଯାଉଛି । ଆମେରିକା ଯେଉଁ ଅବୈଧ ଭାରତୀୟଙ୍କୁ ସ୍ୱଦେଶ  ପଠାଇଥିଲା ସେମାନଙ୍କ ପାଦରେ ବେଡି ଓ ହାତରେ  କଡି ପକାଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଥିଲା । ତେଣୁ ଭାରତ ମଧ୍ୟ ଇମିଗ୍ରେସନ ଆଇନକୁ ପାରଦର୍ଶି, ସୁରକ୍ଷିତ ଓ ସୁବ୍ୟବସ୍ଥିତ  କରିବାକୁ ଚାହୁଁଛି । ଯାହାକି ଭବିଷ୍ୟତରେ ଅବୈଧ ଭାରତୀୟଙ୍କୁ ନେଇ ସମସ୍ୟା ନ ଉପୁଯିବ ।