ନୂଆଦିଲ୍ଲୀ: ଇରାନର ଶାସକ ଖାମେନି ଏବେ ହିଂସ୍ର ହୋଇ ପଡିଛନ୍ତି। ଏହି ସମୟରେ ଆନ୍ଦୋଳନକାରୀଙ୍କ ଉପରକୁ ଆଖିବାଜୁ ଗୁଳିମାଡ କରିବାକୁ ଖୋଲା ନିର୍ଦ୍ଦେଶ ଦେଇଛନ୍ତି । ଇରାନରେ ବର୍ତ୍ତମାନ ଜାରି ରହିଥିବା ଜନବିଦ୍ରୋହକୁ ୨୦୦୯ ଏବଂ ୨୦୨୨ ପରେ ସବୁଠାରୁ ବଡ଼ ପ୍ରତିବାଦ ବୋଲି ବିବେଚନା କରାଯାଉଛି। ଲକ୍ଷ ଲକ୍ଷ ଲୋକ ଶାସକଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଏବଂ ଅନେକ ଅଞ୍ଚଳରେ ସଂଘର୍ଷ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସରକାର ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲାକଆଉଟ୍ ଲାଗୁ କରିଛନ୍ତି, ଯାହା ବିଦେଶୀ ନାଗରିକ ଏବଂ ସେମାନଙ୍କ ପରିବାର ଏବଂ ଦୂତାବାସ ମଧ୍ୟରେ ଯୋଗାଯୋଗକୁ ବାଧାପ୍ରାପ୍ତ କରୁଛି। ଆଉ ଏଭଳି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି।

ବର୍ତମାନ ସମୟରେ ପ୍ରଶ୍ନ ଉଠୁଛି କି, ଇରାନରେ କେତେ ସଂଖ୍ୟକ ଭାରତୀୟ ଫସି ରହିଛନ୍ତି ? ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ସରକାରଙ୍କ ପାଇଁ କେତେ କଷ୍ଟକର ହେବ ? ଆଉ ଏହି ସମ୍ପୂର୍ଣ୍ଣ କାର୍ଯ୍ୟରେ ସରକାରଙ୍କୁ କେତେ କ୍ଷତି ସହିବାକୁ ପଡ଼ିପାରେ ?

ଭାରତ ସରକାରଙ୍କ ସଦ୍ୟତମ ଆଡଭାଇଜରି…

ଜାନୁଆରୀ ୫ ରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିଙ୍କୁ ବିସ୍ତାର କରି, ଏବେ ଭାରତୀୟ ନାଗରିକ ମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଲୋକମାନେ ଉପଲବ୍ଧ ଉପାୟ ବ୍ୟବହାର କରି, ବିଶେଷକରି ବାଣିଜ୍ୟିକ ବିମାନ ବ୍ୟବହାର କରି ତୁରନ୍ତ ଦେଶ ଛାଡନ୍ତୁ। ସେମାନେ ପ୍ରତିବାଦ ସ୍ଥଳରୁ ଦୂରେଇ ରହିବା, ସତର୍କତା ଅବଲମ୍ବନ କରିବା ଏବଂ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଭାରତୀୟ ସର୍ବଦା ସେମାନଙ୍କର ପାସପୋର୍ଟ ଏବଂ ପରିଚୟପତ୍ର ପ୍ରସ୍ତୁତ ରଖିବା ଉଚିତ।

ଇରାନରେ କେତେ ଜଣ ଭାରତୀୟ ଅଛନ୍ତି ?

ସରକାର ଏବଂ ଦୂତାବାସର ଆକଳନ ଅନୁଯାୟୀ, ପ୍ରାୟ ୧୦ ହଜାରରୁ ୧୨ ହଜାର ଭାରତୀୟ ନାଗରିକ ଇରାନରେ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଛାତ୍ର, ବିଶେଷକରି ଯେଉଁମାନେ ଡାକ୍ତରୀ ଏବଂ ଧାର୍ମିକ ଅଧ୍ୟୟନ ସହ ଜଡିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ବ୍ୟବସାୟୀ, ବୈଷୟିକ ବୃତ୍ତିଗତ ଏବଂ କିଛି ପର୍ଯ୍ୟଟକ ମଧ୍ୟ ଅଛନ୍ତି।

ଏମାନଙ୍କୁ ସୁରକ୍ଷା ଦେବା କେତେ ଜଟିଳ ?

ଇରାନରୁ ଭାରତୀୟ ମାନଙ୍କୁ ବାହାର କରିବା ଏକ ସହଜ କାର୍ଯ୍ୟ ନୁହେଁ। ଇଣ୍ଟରନେଟ୍ ବନ୍ଦ ହେବା ଦ୍ୱାରା ସେମାନଙ୍କ ପାଖରେ ସୂଚନା ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡୁଛି। ଅନେକ କ୍ଷେତ୍ରରେ ଯାତ୍ରା ପ୍ରତିବନ୍ଧକ ଲଗାଯାଇଥାଏ ଏବଂ ବିମାନ ଉପଲବ୍ଧତା ମଧ୍ୟ ହ୍ରାସ ପାଇପାରେ। ଏପରି ପରିସ୍ଥିତିରେ, ସରକାରଙ୍କୁ ଚାର୍ଟର୍ଡ ବିମାନ, ସ୍ୱତନ୍ତ୍ର କୂଟନୈତିକ ଅନୁମତି ଏବଂ ବିକଳ୍ପ ମାର୍ଗ ବିଷୟରେ ବିଚାର କରିବାକୁ ପଡ଼ିପାରେ। ପଡ଼ୋଶୀ ଦେଶ ଗୁଡ଼ିକରେ ବିମାନବନ୍ଦର ବ୍ୟବହାର କରିବା ମଧ୍ୟ ଏକ ବିକଳ୍ପ ହୋଇପାରେ।

ସରକାର କେତେ ଖର୍ଚ୍ଚ କରି ପାରିବେ?

ଯଦି ସ୍ବତନ୍ତ୍ର ବିମାନରେ ବହୁ ସଂଖ୍ୟକ ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଏ, ତେବେ ପ୍ରତି ବ୍ୟକ୍ତି ପାଇଁ ହାରାହାରି ଖର୍ଚ୍ଚ ୬୦ ହଜାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏଥିରେ ବିମାନ ଚାର୍ଟର, ସୁରକ୍ଷା, ଲଜିଷ୍ଟିକ୍ସ ଏବଂ ଜରୁରୀକାଳୀନ ସହାୟତା ଅନ୍ତର୍ଭୁକ୍ତ। ମୋଟ ଖର୍ଚ୍ଚ ଅନେକ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ତଥାପି, ସରକାର ସାଧାରଣତଃ ଖର୍ଚ୍ଚ ସୀମିତ କରିବା ପାଇଁ ବାଣିଜ୍ୟିକ ବିମାନ ଉଡ଼ାଣକୁ ପ୍ରାଥମିକତା ଦିଅନ୍ତି।

ଏହା ସହ ପଢନ୍ତୁ : ସରକାରୀ ସ୍ତରରେ ଆଉ ହେବନି ‘ହରିଜନ’ ଏବଂ ‘ଗିରିଜନ’ ଶବ୍ଦର ବ୍ୟବହାର, ସମସ୍ତ ବିଭାଗକୁ ଚିଠି ଲେଖିଲେ ଏହି ରାଜ୍ୟର ସରକାର…