ନୂଆଦିଲ୍ଲୀ,୦୪/୦୭; ଲୋକପ୍ରିୟ ଗାୟକ ଏବଂ 'ଇଣ୍ଡିଆନ୍ ଆଇଡଲ୍ ୧୨' ଫାଇନାଲିଷ୍ଟ ମହମ୍ମଦ ଦାନିଶଙ୍କ ଘରକୁ ପୁଣି ଥରେ ଖୁସି ଆସିଛି । ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି ଦାନିଶ । ୨୦୨୪ରେ ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପରେ, ୨୦୨୬ରେ ସେ ଓ ତାଙ୍କ ପତ୍ନୀ ଫରହିନ ଆଫ୍ରିଦି ଏକ କନ୍ୟା ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ଏହି ଖୁସି ଖବର ମହମ୍ମଦ ଦାନିଶ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସେ ନବଜାତ କନ୍ୟା ସହ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଥିବା ବେଳେ, ଭିଡିଓରେ ତାଙ୍କୁ ଝିଅର କାନରେ ଆଜାନ୍ ପଢ଼ୁଥିବାର ଦେଖିବାକୁ ମିଳିଛି । ଭିଡିଓ ସହ ଦାନିଶ ଲେଖିଛନ୍ତି, "ଆମର ଛୋଟ ରାଜକୁମାରୀ ଆସିଛନ୍ତି । ଆଲ୍ଲାଙ୍କ ସବୁଠାରୁ ମୂଲ୍ୟବାନ ଆଶୀର୍ବାଦ ପାଇଁ ଆଲହାମଦୁଲିଲ୍ଲାହ ।" ତାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ମହମ୍ମଦ ଦାନିଶ ଏବଂ ତାଙ୍କ ପତ୍ନୀ ଫରହିନ ଆଫ୍ରିଦି ଗୋଟିଏ ପୁଅ ଓ ଗୋଟିଏ ଝିଅର ପିତାମାତା ହୋଇଛନ୍ତି ।
ମହମ୍ମଦ ଦାନିଶ ଜଣେ ଲୋକପ୍ରିୟ ଭାରତୀୟ ପ୍ଲେବ୍ୟାକ୍ ଗାୟକ ଏବଂ ସଙ୍ଗୀତଜ୍ଞ । ସୁଫି ଗାୟନ ଓ ଶକ୍ତିଶାଳୀ ମଞ୍ଚ ପ୍ରଦର୍ଶନ ପାଇଁ ସେ ବେଶ ପରିଚିତ। ସେ ପ୍ରଥମେ 'ଦି ଭଏସ୍' ସିଜନ୍–୨ରେ ନଜର ଆସିଥିଲେ। ତେବେ 'ଇଣ୍ଡିଆନ୍ ଆଇଡଲ୍ ୧୨' ମାଧ୍ୟମରେ ସେ ଦେଶବ୍ୟାପୀ ଲୋକପ୍ରିୟତା ହାସଲ କରିଥିଲେ । ଦାନିଶ ଏହି ସିଜନ୍ ଫାଇନାଲରେ ପହଞ୍ଚି ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେହି ସିଜନ୍ର ବିଜେତା ଥିଲେ ପବନଦୀପ ରାଜନ ।
ଏହା ବି ପଢନ୍ତୁ...Preity Zinta: AI ଡିପଫେକ୍ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରୀତି
ମହମ୍ମଦ ଦାନିଶ ଫରହିନ ଆଫ୍ରିଦିଙ୍କୁ ବିବାହ କରିଛନ୍ତି । ବିବାହ ପରେ ଏହି ଦମ୍ପତିଙ୍କ ପରିବାରରେ ପ୍ରଥମେ ଏକ ପୁଅ ଏବଂ ବର୍ତ୍ତମାନ ଏକ କନ୍ୟା ସନ୍ତାନର ଆଗମନ ହୋଇଛି । ଦ୍ୱିତୀୟ ଥର ପିତା ହେବା ପରେ ଦାନିଶଙ୍କ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।