ନୂଆଦିଲ୍ଲୀ,୧୯/୦୧: ଚଳିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତୀୟ ମହିଳା ଓ  ପୁରୁଷ ଦଳ ଅବିଶ୍ୱସନୀୟ ପ୍ରଦର୍ଶନ ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରବିବାର ଉଭୟ ବର୍ଗର ଫାଇନାଲ୍‌ରେ ଭାରତ ଓ ନେପାଳ  ସାମ୍ନାସାମ୍ନି ହେବେ । ପୁରୁଷ ଓ ମହିଳା ଦଳ ନିକଟରେ ବିଶ୍ୱ ଚାମ୍ପିଅନ୍‌ ହେବାର ସୁବର୍ଣ୍ଣ  ସୁଯୋଗ ରହିଛି । 

ଶନିବାର ଅନୁଷ୍ଠିତ ମହିଳା ସେମି ଫାଇନାଲ୍‌ରେ ଭାରତ ୬୬-୧୬ ପଏଣ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିରେ ନେପାଳ  ୮୯-୧୮ରେ ୟୁଗାଣ୍ଡାକୁ ହରାଇଥିଲା । ସେହିପରି  ପୁରୁଷ ବିଭାଗରେ ଭାରତ ୬୨-୪୨ରେ ଦକ୍ଷିଣ  ଆଫ୍ରିକାକୁ ପରାଜିତ କରିଥିବାବେଳେ ନେପାଳ  ୭୨-୨୯ରେ ଇରାନକୁ ହରାଇଥିଲା । 

ପୁରୁଷ ବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା । ଚତୁର୍ଥ ତଥା ଅନ୍ତିମ ଟର୍ଣ୍ଣରେ ଭାରତ ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା । ପ୍ରଥମ ଓ ଦ୍ୱିତୀୟ ଟର୍ଣ୍ଣରେ ଦକ୍ଷିଣ ଆଫ୍ରିକା ଚମତ୍କାର ଖେଳ ପ୍ରଦର୍ଶନ କରି ଆଗୁଆ ରହିଥିଲା । ତୃତୀୟ  ଟର୍ଣ୍ଣରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର  ଦକ୍ଷିଣ ଆଫ୍ରିକା ୪୨-୨୮ରେ ଆଗୁଆ ରହିଥିଲା । ୧୪ପଏଣ୍ଟ ପଛରେ ଥିଲା ଭାରତ । ଶେଷ  ଟର୍ଣ୍ଣରେ ଭାରତୀୟ ଖେଳାଳି ସବୁ ଶକ୍ତି ଲଗାଇ  ଦେଇଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଚ୍‌  ଡିଫେଣ୍ଡରଙ୍କୁ ଆଉଟ୍‌ କରି ଭାରତ ୬ପଏଣ୍ଟ  ହାତେଇଥିଲା । ସ୍ଥିତି ୩୪-୪୨ରେ ପହଞ୍ଚିଥିଲା ।  ପରବର୍ତ୍ତୀ ୩୩ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ବ୍ୟାଚ୍‌  ଡିଫେଣ୍ଡରଙ୍କୁ ଆଉଟ୍‌ କରି ଦଳ ଆଉ ୬ପଏଣ୍ଟ  ହାସଲ କରି ମ୍ୟାଚ୍‌କୁ ୪୦-୪୨କୁ ଆଣିଥିଲା ।  ଏହାପରେ ଦଳ କ୍ରମାନ୍ୱୟରେ ପଏଣ୍ଟ ହାସଲ  କରି ୬୨-୪୨ରେ ବିଜୟ ହାସଲ କରିଥିଲା । 

ମହିଳା ଦଳର ସହଜ ବିଜୟ 

ଟସ୍‌ ଜିତିବା ପରେ ଭାରତୀୟ ମହିଳା ଦଳ ଡିଫେଣ୍ଡ  କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ମଳା, ଚୈତ୍ରା  ଓ ନାଜିଆ ଡିଫେଣ୍ଡ କରିଥିଲେ । ଚୈତ୍ରା ଦକ୍ଷିଣ  ଆଫ୍ରିକା ଖେଳାଳିଙ୍କର ୫ମିନିଟ୍‌ ୨୩ ସେକେଣ୍ଡ  ଅପଚୟ କରି ଭାରତକୁ ୫ପଏଣ୍ଟ ଭେଟି  ଦେଇଥିଲେ । ଭାରତୀୟ ଦଳ ପ୍ରଥମ ଟର୍ଣ୍ଣ ଶେଷ  ସୁଦ୍ଧା ୧୦-୫ରେ ଆଗୁଆ ରହିଥିଲା । ଏହାପରେ  ଦ୍ୱିତୀୟ ଟର୍ଣ୍ଣରେ ଭାରତ ଆଉ ୨୩ପଏଣ୍ଟ ହାସଲ କରିଥିଲେ । ଦଳ ୩୩-୧୦ରେ ଆଗୁଆ ରହି  ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲା । ସେହିପରି  ତୃତୀୟ ଟର୍ଣ୍ଣରେ ଭାରତକୁ ମାତ୍ର ୫ପଏଣ୍ଟ ଓ  ଦକ୍ଷିଣ ଆଫ୍ରିକାକୁ ୬ପଏଣ୍ଟ ମିଳିଥିଲା । ଅନ୍ତିମ ଟର୍ଣ୍ଣରେ ଭାରତ ଆଉ ୨୮ ପଏଣ୍ଟ ହାସଲ କରିବା  ସହ ମ୍ୟାଚ୍‌କୁ ୬୬-୧୬ରେ ଜିତି ନେଇଥିଲା ।