ନୂଆଦିଲ୍ଲୀ ୧୫/୦୧: ଭାରତୀୟ ନୌସେନାର ୨୦୦୦ ବର୍ଷ ପ୍ରାଚୀନ କୌଶଳରେ ନିର୍ମିତ ଜାହାଜ ଆଇଏନ୍ଏସ୍‌ଭି କୌଣ୍ଡିନ୍ୟ ୧୮ ଦିନର ଯାତ୍ରା ଜରିଆରେ ଗୁଜରାଟରୁ ଓମାନ ପହଞ୍ଚିଛି । କୌଣ୍ଡିନ୍ୟ ଗତ ଡିସେମ୍ବର ୨୯ରେ ଗୁଜରାଟର ପୋରବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା । ଗତ ବୁଧବାର ଅର୍ଥାତ୍ ୧୪ ତାରିଖ ଓମାନର ମସ୍କଟ୍‌ରେ ପହଞ୍ଚି ୧୪୦୦ କିମି ଯାତ୍ରା ଶେଷ କରିଛି ।

ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ପୁଣି ଥରେ ପୁନର୍ଜୀବିତ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ । ଆଇଏନ୍ଏସ୍‌ଭି  କୌଣ୍ଡିନ୍ୟ ୪ର୍ଥ-୫ମ ଶତାବ୍ଦୀର ଭାରତୀୟ ଜାହାଜ ମଡେଲ ଆଧାରରେ ନିର୍ମିତ ହୋଇଛି । ଏହାର ଓଜନ ୫୦ ଟନ୍ । ଉଚ୍ଚତା ୧୩ ଫୁଟ । ଏଥିରେ କୌଣସି ବଖରା ନାହିଁ । ବିଜୁଳିର ମଧ୍ୟ ବ୍ୟବସ୍ଥା ନ ଥିଲା । ଏଥିରେ ଥିବା ସମସ୍ତ ୧୬ ଜଣ କ୍ରୁ ସଦସ୍ୟ ସ୍ଲିପିଙ୍ଗ୍ ବ୍ୟାଗ୍‌ରେ ଶୋଉଥିଲେ । ଅନ୍ୟ ଜାହାଜଗୁଡ଼ିକୁ ଚେତାବନୀ ଦେବା ପାଇଁ କ୍ରୁ ପାଖରେ କେବଳ ହେଡ୍‌ଲ୍ୟାମ୍ପ୍ ଥିଲା, ଯାହାକୁ ସେମାନେ ମୁଣ୍ଡରେ ଲଗାଇ ରଖୁଥିଲେ । ସେମାନେ ଖେଚୁଡ଼ି ଓ ଆଚାର ଖାଇ ୧୮ ଦିନ ବିତାଇଲେ ।

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଂଜୀବ ସାନ୍ୟାଲ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଜାହାଜ ଓମାନ ପହଞ୍ଚିବାର ସୂଚନା ଦେଇଛନ୍ତି । ସେ ସ୍କିପର କମାଣ୍ଡର ବିକାଶ ଶ୍ୟୋରାଣ ଓ ପ୍ରୋଜେକ୍ଟ ହେଡ୍ ହେମନ୍ତ କୁମାରଙ୍କ ସହ ଫଟୋ ପୋଷ୍ଟ୍ କରି ଲେଖିଛନ୍ତି, ଏହି ମୁହୂର୍ତ୍ତର ଆନନ୍ଦ ନେଉଛୁ... ଆମେ କରି ଦେଖାଇଲୁ । ଜାହାଜର ଅନ୍ୟତମ ସଦସ୍ୟ ପୋଷ୍ଟ୍ କରିଛନ୍ତି ‘ମସ୍କଟ୍ ଦିଶିଗଲା । ଗୁଡ୍ ମର୍ନିଂ ଇଣ୍ଡିଆ, ଗୁଡ୍ ମର୍ନିଂ ଓମାନ ।’

ସମୁଦ୍ର ମାର୍ଗରେ ନିରନ୍ତର ଯାତ୍ରା କରି ଏକାକୀ ବିଶ୍ୱ ଭ୍ରମଣ କରିଥିବା ପ୍ରଥମ ଭାରତୀୟ, ଅବସରପ୍ରାପ୍ତ ନୌସେନା କମାଣ୍ଡର ଅଭିଳାଷ ଟମି ମଧ୍ୟ କୌଣ୍ଡିନ୍ୟର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମ ଶତାବ୍ଦୀର ପ୍ରସିଦ୍ଧ ଭାରତୀୟ ନାବିକ କୌଣ୍ଡିନ୍ୟଙ୍କ ନାମ ଅନୁସାରେ ଜାହାଜର ନାମକରଣ ହୋଇଛି । ସେ ଭାରତ ମହାସାଗର ଅତିକ୍ରମ କରି ମେକାଙ୍ଗ ଡେଲ୍ଟାକୁ ଯାତ୍ରା କରିଥିଲେ । ସେଠାରେ ଜଣେ କାମ୍ବୋଡ଼ିଆ ରାଜକୁମାରୀଙ୍କୁ ବିବାହ କରିଥିଲେ ।

 

ଏହି ଜାହାଜ ଭାରତର ସାମୁଦ୍ରିକ ଅନ୍ୱେଷଣ, ବ୍ୟବସାୟ ଓ ସାଂସ୍କୃତିକ ଆଦାନ-ପ୍ରଦାନ ପରମ୍ପରାର ପ୍ରତୀକ ଭାବେ ପରିଚିତ । ଏହାର ଡିଜାଇନ୍ ଅଜନ୍ତା ଗୁମ୍ଫାର ୫ ଶତାବ୍ଦୀର ଏକ ଚିତ୍ରକଳା ଉପରେ ପର୍ଯ୍ୟବସିତ । ଗୋଆର ଏକ କମ୍ପାନି ପ୍ରାୟ ୨୦୦୦ ବର୍ଷ ତଳର ସିଲେଇ ପଦ୍ଧତିରେ ଏହାକୁ ନିର୍ମାଣ କରିଛି । କାଠ ପଟାରେ ନିର୍ମିତ ଏହି ଜାହାଜକୁ ନଡ଼ିଆ କତା ରଶିରେ ସିଲେଇ କରାଯାଇଛି । ଜାହାଜ ପାଲରେ ଗଣ୍ଡଭେରୁଣ୍ଡ ଓ ସୂର୍ଯ୍ୟଙ୍କ ପ୍ରତୀକ ରହିଛି । ଡେକ୍ରେ ହରପ୍ପା ଶୈଳୀର ପ୍ରତୀକାତ୍ମକ ପଥରର ଲଙ୍ଗର ଲାଗିଛି ।