ନୂଆଦିଲ୍ଲୀ,୧୯/୦୪: ବାଣିଜ୍ୟିକ ଆଲୋଚନା ପାଇଁ  ଭାରତୀୟ ଅଧିକାରୀମାନଙ୍କ ଏକ ଟିମ୍‌ ଆସନ୍ତା ସପ୍ତାହରେ  ୱାଶିଂଟନ ଗସ୍ତ କରିବେ । ଭାରତ-ଆମେରିକା ଦ୍ୱିପାକ୍ଷିକ  ବାଣିଜ୍ୟ ଚୁକ୍ତି(ବିଟିଏ) ପାଇଁ ଔପଚାରିକ ଆଲୋଚନା ଆରମ୍ଭ  କରିବା ପୂର୍ବରୁ କେତେକ ପ୍ରସଙ୍ଗ ଉପରେ ରହିଥିବା ମତାନ୍ତର  ନେଇ କଥାବାର୍ତ୍ତା କରିବାକୁ ଏ ଟିମ୍‌ ଆମେରିକା ଗସ୍ତରେ  ଯାଉଥିବା ଜଣାପଡ଼ିଛି । ଆମେରିକାର ଏକ ଉଚ୍ଚସ୍ତରୀୟ ଟିମ୍‌ର  ଭାରତ ଗସ୍ତର ମାତ୍ର କେଇ ସପ୍ତାହ ମଧ୍ୟରେ ଭାରତୀୟ ଟିମ୍‌  ସେଠାକୁ ଯାଉଛନ୍ତି । ବିଟିଏ ଉପରେ ଆଲୋଚନାକୁ ଗତି ମିଳୁଥିବା ଆମେରିକୀୟ ପ୍ରତିନିଧିଦଳ ପ୍ରକାଶ କରିଥିଲେ ।

ଭାରତୀୟ ଟିମ୍‌ର ନେତୃତ୍ୱ ନେବେ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲ । ଉଭୟ ଦେଶ  ମଧ୍ୟରେ ଏହା ହେବ ପ୍ରଥମ ଇନ୍‌-ପର୍ସନ ଟକ୍‌ । ଗତ  ମାସ ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭାରତ  ଆସିଥିଲେ । ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆସିଷ୍ଟାଣ୍ଟ  ବାଣିଜ୍ୟ ପ୍ରତିନିଧି ବ୍ରେନ୍‌ଡାନ୍‌ ଲିଞ୍ଚ୍‌ ମାର୍ଚ୍ଚ ୨୫ରୁ ୨୯  ଯାଏ ଭାରତରେ ଥିଲେ । ଏ ଅବସରରେ ସେ ଭାରତୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରମୁଖ ବାଣିଜ୍ୟିକ ପ୍ରସଙ୍ଗ  ଉପରେ ଆଲୋଚନା କରିଥିଲେ । ଆମେରିକା ବର୍ତ୍ତମାନ  ଭାରତ ସହିତ ୭୫ଟି ରାଷ୍ଟ୍ରଙ୍କ ପାଇଁ ୯୦ ଦିନିଆ ଟାରିଫ୍‌  ରୋକ୍‌ ଘୋଷଣା କରିଥିବାବେଳେ ଏହି ସମୟକୁ ଭାରତ  ବ୍ୟବହାର କରିବ । ଉଭୟ ରାଷ୍ଟ୍ର ବାଣିଜ୍ୟିକ ଚୁକ୍ତି ପାଇଁ  ଟର୍ମସ ଅଫ୍‌ ରେଫରେନ୍ସ(ଟିଓଆର୍‌) ଚୂଡ଼ାନ୍ତ କରିଛନ୍ତି ।  ଏପ୍ରିଲ ୧୫ରେ ବାଣିଜ୍ୟ ସଚିବ ସୁନିଲ ଭର୍ଥୱଲ କହିଥିଲେ  ଯେ, ଭାରତ ଆମେରିକା ସହ ଯଥାଶୀଘ୍ର ବୁଝାମଣା କରିବ ।