ଭୁବନେଶ୍ୱର, ୧୩/୦୭: ବେଙ୍ଗାଲୁରୁ  ଠାରେ ଆୟୋଜିତ ସପ୍ତମ ଇଣ୍ଡିଆନ୍‌  ଓପନ ପାରା ଆଥଲେଟିକ୍ସ ଅନ୍ତର୍ଜାତୀୟ  ଚାମ୍ପିଅନସିପ୍‌ରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି । ଷ୍ଟାର୍‌ ମହିଳା  ଆଥଲେଟ୍‌ ଜୟନ୍ତୀ ବେହେରା ୨ଟି ସ୍ୱର୍ଣ୍ଣ  ଜିତିଥିବାବେଳେ ଜାଭେଲିନରେ ସୁଚିତ୍ରା  ପରିଡ଼ା ଏବଂ ଲଙ୍ଗଜମ୍ପରେ ଜାନକୀ ଓରାମ  ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ  ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଜୟନ୍ତୀ ମହିଳା (ଟି-୪୭) ୧୦୦ମି.  ଓ ୨୦୦ମି.ରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ  ହୋଇଥିଲେ । ୧୦୦ମି.ରେ ସେ ୧୩.୩୭  ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ  କରି ପ୍ରଥମ ସ୍ଥାନରେ ରହିଥିଲେ । ଆନ୍ଧ୍ରର  ଭବାନୀ (୧୩.୫୬ ସେକେଣ୍ଡ) ରୌପ୍ୟ ଓ  ଦିଲ୍ଲୀର କୀର୍ତ୍ତି (୧୪.୦୭ ସେକେଣ୍ଡ) ବ୍ରୋଞ୍ଜ  ଜିତିଛନ୍ତି । ସେହିପରି ୨୦୦ମି.କୁ ଜୟନ୍ତୀ  ୨୭.୮୭ ସେକେଣ୍ଡ ଟାଇମିଂ ନେଇ ସ୍ୱର୍ଣ୍ଣ  ଜିତିଥିଲେ । ଭବାନୀ (୨୯.୧୦ ସେକେଣ୍ଡ)  ଓ ହରିଆନାର ମାଫି (୩୧.୦୩ ସେକେଣ୍ଡ)  ବ୍ରୋଞ୍ଜ ହାସଲ କରିଛନ୍ତି । ଏହାବ୍ୟତୀତ ଜୟନ୍ତୀ  ମହିଳା ୪୦୦ମି.ରେ ମଧ୍ୟ ରୌପ୍ୟ ଜିତିଥିଲେ ।  ସେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିବା  ପାଇଁ ୧:୦୫.୩୦ ସେକେଣ୍ଡ ନେଇଥିଲେ । 

ମହିଳା (ଏଫ୍‌-୫୫) ଜାଭେଲିନରେ  ସୁଚିତ୍ରା ୧୭.୮୪ମିଟର ସହ ସ୍ୱର୍ଣ୍ଣ ପଦକ  ଜିତିଥିଲେ । ଉତ୍ତରାଖଣ୍ଡର ଗାରିମା  ଯୋଶୀ (୧୫.୯୮ମି.) ଓ ଫାତିମା ଖାତୁନ  (୧୬.୨୬ମି.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ  ହାସଲ କରିଥିଲେ । ମହିଳା ସଟ୍‌ପୁଟ୍‌ରେ  ସୁଚିତ୍ରା ୫.୭୫ମି. ଥ୍ରୋ କରି ରୌପ୍ୟରେ  ସନ୍ତୁଷ୍ଟ ହୋଇଥିଲେ । ତାମିଲନାଡ଼ୁର କୀର୍ତ୍ତିକା  ଜୟାଚନ୍ଦ୍ରନ ୬.୦୬ମି. ସହ ସ୍ୱର୍ଣ୍ଣ ଜିତିଛନ୍ତି । 

ମହିଳା (ଟି-୧୨/୧୩) ଲଙ୍ଗଜମ୍ପରେ  ଜାନକୀ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସେ ଏକମାତ୍ର  ପ୍ରତିଯୋଗୀ ଭାବେ ଏହି ଇଭେଣ୍ଟରେ ଭାଗ  ନେଇଥିଲେ ଏବଂ ୪.୦୫ମି. ଜମ୍ପ କରିଥିଲେ ।  ସେହିପରି ୧୦୦ମି.ରେ ସେ ରୌପ୍ୟ  ଜିତିଥିଲେ । ସେ ୧୪.୨୦ସେକେଣ୍ଡରେ  ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ ।  ଉତ୍ତରପ୍ରଦେଶର ସିମରନ (୧୨.୨୧  ସେକେଣ୍ଡ) ସ୍ୱର୍ଣ୍ଣ ଓ ଗୋଆର ସାକ୍ଷୀ କାଲେ  (୧୪.୮୩ ସେକେଣ୍ଡ) ବ୍ରୋଞ୍ଜ ଜିତିଛନ୍ତି ।  ୨୦୦ମି.ରେ ମଧ୍ୟ ଜାନକୀ (୨୯.୯୭  ସେକେଣ୍ଡ) ବ୍ରୋଞ୍ଜ ପଦକ ଜିତିଥିଲେ । 

ଅନ୍ୟ ଓଡ଼ିଆ ଆଥଲେଟ କମଳାକାନ୍ତ  ନାୟକ ପୁରୁଷ (୫୪/୫୫) ଜାଭେଲିନରେ  ରୌପ୍ୟ, ୮୦୦ମି.ରେ ରୌପ୍ୟ ଏବଂ ୪୦୦ମି. ରେ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ।  ଜାଭେଲିନରେ ସେ ୧୭.୪୯ମି. ଦୂର  ଫିଙ୍ଗିଥିବାବେଳେ ୮୦୦ମି.କୁ ୨:୩୦.୬୦  ସେକେଣ୍ଡ ଏବଂ ୪୦୦ମି.କୁ ୧:୧୫.୦୦  ସେକେଣ୍ଡ ଟାଇମିଂ ନେଇଥିଲେ ।