ପ୍ରମୂଖ ଖବର
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

IPL 2025: ରାତିରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଷ୍ଟାର୍କ-ହାଜେଲଉଡ୍‌ ମଧ୍ୟରେ ହେବ ଲଢ଼େଇ

Published By : Prameya | April 27, 2025 12:12 PM

ନୂଆଦିଲ୍ଲୀ, ୨୭/୪: ଚଳିତ ଆଇପିଏଲ୍‌ର  ୪୬ତମ ଲିଗ୍‌ ମୁକାବିଲାର ଦିଲ୍ଲୀ  କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁକୁ ଭେଟିବ । ଘରୋଇ ସମର୍ଥକଙ୍କ  ଗହଣରେ ବିଜୟ ଜାରି ରଖି କ୍ୟାପିଟାଲ୍ସ ପୂନର୍ବାର  ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି । ଠିକ ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ସହ  ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ପରୋକ୍ଷ ଭାବରେ  ଦେଖିବାକୁ ଗଲେ ଏହି ମ୍ୟାଚ୍‌ ଜରିଆରେ ଦୁଇ ଷ୍ଟାର୍‌  ଖେଳାଳି ବିରାଟ କୋହଲି ଓ କେଏଲ ରାହୁଲଙ୍କ  ମଧ୍ୟରେ ଏକ ଅଘୋଷିତ ଲଢେଇ ହେବ ।  

ଗତ ୧୦ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ  ମୁକାବିଲା ଖେଳାଯାଇଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସର  ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ  ଉକ୍ତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ  ବିଜୟ ହାସଲ କରିଥିଲା । ରାହୁଲ ଅପରାଜିତ ୯୩  ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ତାଙ୍କ  ସେଲିବ୍ରେସନ ମଧ୍ୟ ରୁକ୍ଷ ରହିଥିଲା । ଏହା ତାଙ୍କ  ଘରୋଇ ଗ୍ରାଉଣ୍ଡ ବୋଲି ବ୍ୟାଟ୍‌ ଜରିଆରେ ସେ  ଦର୍ଶକଙ୍କୁ ସଂକେତ ଦେଇଥିଲେ । ସତ କହିବାକୁ ଗଲେ  ରାହୁଲ ଏହି ଗ୍ରାଉଣ୍ଡରେ ବିଭିନ୍ନ ବୟସ ବର୍ଗ କ୍ରିକେଟ୍‌  ଖେଳି ବଡ ହୋଇଛନ୍ତି । ଆସନ୍ତା କାଲି କୋଟଲା  ଗ୍ରାଉଣ୍ଡ୍‌ରେ ମ୍ୟାଚ୍‌ ଖେଳାଯିବ । ଏହା କୋହଲିଙ୍କ  ଘରୋଇ ଗ୍ରାଉଣ୍ଡ୍‌ । କୋହଲି ଏହି ଗ୍ରାଉଣ୍ଡ୍‌ରେ ଦିଲ୍ଲୀ  ପକ୍ଷରୁ ବିଭିନ୍ନ ବୟସ ବର୍ଗ କ୍ରିକେଟ୍‌ ଖେଳି ବଡ଼ ହୋଇଛନ୍ତି । ତେଣଉ କ୍ରିକେଟ୍‌ ପ୍ରେମୀଙ୍କ ନଜର  କୋହଲିଙ୍କ ଉପରେ ରହିବା ନିଶ୍ଚିତ । 

ପୂର୍ବ ରେକର୍ଡ ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଥିଲେ ହେଁ ବର୍ତ୍ତମାନର ଫର୍ମକୁ ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୨ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ରୟାଲ୍‌  ଚ୍ୟାଲେଞ୍ଜର୍ସ ୧୯ଟି ମ୍ୟାଚ୍‌ ଜିତିଛି । ଦିଲ୍ଲୀ କ୍ୟାପିଟାଲ୍ସ  ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ଓ ଗୋଟିଏ  ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ରୟାଲ୍‌  ଚ୍ୟାଲେଞ୍ଜର୍ସ ମଧ୍ୟ ଇତି ମଧ୍ୟରେ ବାହାର ଗ୍ରାଉଣ୍ଡ୍‌ରେ  ଖେଳିଥିବା ୫ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଛି ।  

କୋଟଲା ଗ୍ରାଉଣ୍ଡରେ କୋହଲିଙ୍କ ପ୍ରଦର୍ଶନ ସର୍ବଦା ଉନ୍ନତ ରହିଛି । ଏହି ଗ୍ରାଉଣ୍ଡ୍‌ରେ ସେ ୧୦ଟି ଆଇପିଏଲ୍‌  ମ୍ୟାଚ୍‌ ଖେଳି ୬୯ହାର ଓ ୧୪୫.୫ ଷ୍ଟ୍ରାଇକ ରେଟ୍‌ରେ  ୪୮୩ ରନ ସଂଗ୍ରହ କରିଛନ୍ତି । ରାହୁଲ ମଧ୍ୟ ଚଳିତ ସିଜନରେ ଟି-ଟ୍ୱେଣ୍ଟି ଫର୍ମ ଫେରି ପାଇଛନ୍ତି । ପୂର୍ବ ବର୍ଷ ତୁଳନାରେ ସେ ଅଧିକ ଆକ୍ରମଣାତ୍ମକ ସଟ୍‌ ଖେଳୁଛନ୍ତି  ଓ କ୍ରିଜ୍‌ରେ ଜମି ରହି ବଡ଼ ଇନିଂସ ଖେଳିବାରେ ଗୁରୁତ୍ୱ  ଦେଉଛନ୍ତି । ସେ ଇତି ମଧ୍ୟରେ ୧୫୩.୮୦ ଷ୍ଟ୍ରାଇକ  ରେଟ୍‌ରେ ୩୨୩ ରନ ସଂଗ୍ରହ କରିସାରିଛନ୍ତି ।  

ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ବିଭାଗ ବେଶ୍‌  ସନ୍ତୁଳିତ ଓ ସମସ୍ତ ପ୍ରମୁଖ ବ୍ୟାଟର ଫର୍ମରେ ରହିଛନ୍ତି ।  ଆହତ ହୋଇ କିଛି ମ୍ୟାଚ୍‌ ଖେଳିପାରିନଥିବା ଫାଫ  ଡୁ ପ୍ଲେସି ମଧ୍ୟ ଫିଟ୍‌ ଘୋଷିତ ହୋଇଛନ୍ତି ଓ ଆଜି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ରୟାଲ  ଚ୍ୟାଲେଞ୍ଜର୍ସ ଏକାଦଶ ଅପରିବର୍ତ୍ତିତ ରହିବା ଏକ  ପ୍ରକାର ନିଶ୍ଚିତ । 

କୋହଲି-ରାହୁଲଙ୍କ ବ୍ୟତୀତ ଆଜି ମିଚେଲ ଷ୍ଟାର୍କ ଓ ଜୋସ ହାଜେଲଉଡ୍‌ଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଉଭୟ ଅଷ୍ଟ୍ରେଲୀୟ  ପେସ୍‌ ବୋଲର ନିଜ ନିଜ ଦଳର ବିଜୟରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଉଭୟ ଦଳର ସ୍ପିନର କୁଲଦୀପ ଯାଦବ ଓ କୃନାଲ୍‌ ପାଣ୍ଡ୍ୟାଙ୍କ  ଉପରେ ନଜର ରହିବ । ଉଭୟ ମଧ୍ୟ  ଓଭରଗୁଡିକରେ ଶୃଙ୍ଖଳିତ ବୋଲିଂ କରି ପ୍ରତିପକ୍ଷ  ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଲ ହୋଇଛନ୍ତି । ଉଭୟ ଇତି ମଧ୍ୟରେ ୧୨ଟି ଲେଖାଏଁ ୱିକେଟ୍‌ ନେଇ ସାରିଛନ୍ତି । 

ଗତ ସିଜନ ତୁଳନାରେ ଏଥର କୋଟଲା ଗ୍ରାଉଣ୍ଡ୍‌ର ପିଚ୍‌ ସାମାନ୍ୟ ମନ୍ଥର ରହିଛି । ତଥାପି ବ୍ୟାଟରଙ୍କୁ ବେଶ୍‌ ସହାୟତା କରୁଛି ପିଚ୍‌ । ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ତେଣୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଶାଳ ସ୍କୋର ଉପରେ ଗୁରୁତ୍ୱ ଦେବ । ସ୍ପିନରମାନେ ପ୍ରଥମ ଭାଗରେ ପିଚ୍‌ର  ଫାଇଦା ଉଠାଇ ପାରିବେ । ଏଠାରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ସ୍ପିନରମାନେ ୧୩ଟି ୱିକେଟ୍‌ ନେଇଛନ୍ତି । 

ସମ୍ଭାବ୍ୟ ଦ୍ବାଦଶ

ଦିଲ୍ଲୀ କ୍ୟାପିଟାଲ୍ସ :-  ଅଭିଷେକ ପୋରେଲ, ଫାଫ ଡୁ ପ୍ଲେସି, କରୁଣ  ନାଏର, କେଏଲ ରାହୁଲ, ଅକ୍ଷର ପଟେଲ  (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା,  ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ,  ମୁକେଶ କୁମାର, ଦୁଷ୍ମନ୍ତ ଚାମିରା । 

ରୟାଲ୍‌ ଚ୍ୟାଲେଞ୍ଜର୍ସ:- ବିରାଟ କୋହଲି, ଫିଲ ସଲ୍ଟ, ଦେବଦତ୍ତ  ପାଡ଼ିକଲ, ରଜତ ପାତିଦାର(ଅଧିନାୟକ),  ଜିତେଶ ଶର୍ମା, ରୋମାରିଓ ସେପର୍ଡ, ଟିମ  ଡେଭିଡ୍‌, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର,  ଜୋସ ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.