ଭୁବନେଶ୍ୱର: ଭାରତୀୟ ରେଳବାଇ ସ୍ୱଚ୍ଛତା, ସୁରକ୍ଷା ଏବଂ ଉପଭୋକ୍ତା ଅଭିଜ୍ଞତା ବୃଦ୍ଧି ପାଇଁ ଟିକେଟିଂ ଭିତ୍ତିଭୂମିର ଏକ ବ୍ୟାପକ ଡିଜିଟାଲ୍ ପରିବର୍ତ୍ତନ କରିଛି। ଅତ୍ୟାଧୁନିକ ଆଣ୍ଟି-ବଟ୍ ସିଷ୍ଟମ୍ ଏବଂ ଏକ ଅଗ୍ରଣୀ କଣ୍ଟେଣ୍ଟ ଡେଲିଭରୀ ନେଟୱାର୍କ (ସିଡିଏନ୍) ସହ ସଂଯୋଗ ମାଧ୍ୟମରେ, ରେଳବାଇ ଅନୈତିକ ଏଜେଣ୍ଟମାନଙ୍କ ଦ୍ୱାରା ଅନଧିକୃତ ଅଟୋମେଟେଡ୍ ବୁକିଂକୁ ନିୟନ୍ତ୍ରଣ କରିଛି ଏବଂ ପ୍ରକୃତ ଉପଭୋକ୍ତାଙ୍କ ପାଇଁ ୱେବସାଇଟ୍ ପ୍ରବେଶକୁ ଉନ୍ନତ କରିଛି।

ନୂଆ ସିଷ୍ଟମ୍ ତତ୍କାଳ ବୁକିଂର ପ୍ରଥମ ପାଞ୍ଚ ମିନିଟରେ ପିକ୍ ହେଉଥିବା ବଟ୍ ଟ୍ରାଫିକ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି। ଯାହା ଏହି ସମୟରେ ମୋଟ ଲଗ୍‌ଇନ୍ ଚେଷ୍ଟାର ୫୦% ପର୍ଯ୍ୟନ୍ତ ଅଂଶକୁ ସଂଗଠିତ ଢଙ୍ଗରେ ନିୟନ୍ତ୍ରଣ କରୁଛି। ଏହି ଉନ୍ନତି ପ୍ରକୃତ ଉପଭୋକ୍ତାଙ୍କ ପାଇଁ ଏକ ସୁଖଦ ଅନୁଭବ ପ୍ରଦାନ କରିଛି। ଫଳସ୍ୱରୂପ, ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତା ଆଇଡିକୁ ଟିକେଟ୍ ବୁକିଂ ପାଇଁ ନିଷ୍କ୍ରିୟ କରାଯାଇଛି। ୨୨ ମଇ ୨୦୨୫ରେ ଏକ ମିନିଟରେ ୩୧,୮୧୪ ଟିକେଟ୍ ବୁକ୍ ହେବା ସହ ଏକ ଐତିହାସିକ ରେକର୍ଡ ହାସଲ ହୋଇଛି। ଯାହା ଉନ୍ନତ ପ୍ଲାଟଫର୍ମର ଦୃଢ଼ତା ଓ ସ୍କେଲେବିଲିଟିକୁ ପ୍ରଦର୍ଶନ କରୁଛି।

ନ୍ୟାୟପୂର୍ଣ୍ଣତା ଓ ଦକ୍ଷତା ବୃଦ୍ଧି ପାଇଁ ନୂଆ ଉପଭୋକ୍ତା ନିୟମ ପ୍ରଚଳନ କରାଯାଇଛି। ଆଧାର ସହ ପ୍ରାମାଣିକ ନ ହୋଇଥିବା ଉପଭୋକ୍ତାମାନେ ନିବନ୍ଧନର ୩ ଦିନ ପରେ ହିଁ ଓପନିଂ ଏଆରପି, ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ଟିକେଟ୍ ବୁକ୍ କରିପାରିବେ। ଯେଉଁମାନେ ଆଧାର ସହ ପ୍ରାମାଣିକ ହୋଇଛନ୍ତି ସେମାନେ ବିନା ବିଳମ୍ବରେ ଟିକେଟ୍ ବୁକ୍ କରିପାରିବେ।

ଏହି ପ୍ରୟାସରେ ପରିମାପଯୋଗ୍ୟ ଉନ୍ନତି ହାସଲ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଦୈନିକ ହାରାହାରି ଲଗ୍‌ଇନ୍ ୬୯.୦୮ ଲକ୍ଷ ଥିବାବେଳେ ୨୦୨୪-୨୫ରେ ଏହା ୮୨.୫୭ ଲକ୍ଷକୁ ବୃଦ୍ଧି ପାଇଛି। ଯାହାଦ୍ୱାରା ଟ୍ରାଫିକରେ ୧୯.୫୩% ବୃଦ୍ଧି ଦର୍ଶାଯାଇଛି। ଦୈନିକ ହାରାହାରି ଟିକେଟ୍ ବୁକିଂ ୧୧.୮୫% ବୃଦ୍ଧି ପାଇଛି। ଇ-ଟିକେଟିଂ ବର୍ତ୍ତମାନ ମୋଟ ସଂରକ୍ଷିତ ଟିକେଟ୍ ବୁକିଂର ୮୬.୩୮% ଅଂଶ ଗଠନ କରୁଛି।

ଏଆଇ ଆଲଗୋରିଦମ୍ ବ୍ୟବହାର କରି ବଟ୍ ଟ୍ରାଫିକ୍‌ର ସକ୍ରିୟ ଚିହ୍ନଟ ଓ ନିୟନ୍ତ୍ରଣ କରାଯିବା ସହ ୮୭% ଷ୍ଟାଟିକ୍ କଣ୍ଟେଣ୍ଟ ସିଡିଏନ୍ ମାଧ୍ୟମରେ ପରିବେଷିତ, ଦ୍ରୁତ ଲୋଡ୍ ଓ ସର୍ଭର ଲୋଡ୍ ହ୍ରାସ ପାଇଛି। ସନ୍ଦିଗ୍ଧ ଆଇଡି ନିଷ୍କ୍ରିୟକରଣ ଓ ସାଇବର କ୍ରାଇମ୍ ପୋର୍ଟାଲରେ ଅଭିଯୋଗ ଦାଖଲ ମଧ୍ୟ ସମ୍ଭବପର ହୋଇପାରିଛି। ଆଇଆରସିଟିସି ମାଧ୍ୟମରେ ଭାରତୀୟ ରେଳବାଇ ନିରବଚ୍ଛିନ୍ନ, ସୁରକ୍ଷିତ ଓ ଉପଭୋକ୍ତା-ଅନୁକୂଳ ଟିକେଟିଂ ଅଭିଜ୍ଞତା ପ୍ରଦାନ ପାଇଁ ପ୍ରତିବଦ୍ଧ। ନିରନ୍ତର ନବୀକରଣ ଓ ଆଧୁନିକୀକରଣ ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ପ୍ରବେଶ ଓ ସ୍ୱାର୍ଥ ସୁରକ୍ଷା ସୁନିଶ୍ଚିତ କରିବ।