ନୂଆଦିଲ୍ଲୀ,୨୪।୯: ଦୀପାବଳି ଏବଂ ଛଟ୍ ପୂଜା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୧୦.୯୧ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ୍ ଭାବରେ ୧,୮୬୫.୬୮ କୋଟି ପ୍ରଦାନ କରିବାକୁ ଅନୁମୋଦନ କରିଛି। ସରକାର କହିଛନ୍ତି, ଏହି ବୋନସ୍ ଦୀପାବଳି ପୂର୍ବରୁ ରେଳ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବ।ଗତ ବର୍ଷ ମଧ୍ୟ ମୋଦି ସରକାର ରେଳ କର୍ମଚାରୀଙ୍କ ପାଇଁ 2,୦୨୯ କୋଟି ଟଙ୍କାର ବୋନସ ମଞ୍ଜୁର କରିଥିଲେ, ଯାହା ଦ୍ୱାରା ୧୧,୭୨,୨୪୦ କର୍ମଚାରୀ ଉପକୃତ ହୋଇଥିଲେ।
ବୋନସ୍ ରାଶି ସିଧାସଳଖ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ ଏବଂ ଖୁବ୍ ଶୀଘ୍ର ଦେୟ ଆରମ୍ଭ ହେବ। ବୋନସ୍ ରେଲଓ୍ବେ କର୍ମଚାରୀଙ୍କ ଆକାଉଣ୍ଟକୁ ଯିବ। ବିଭିନ୍ନ ଶ୍ରେଣୀର କର୍ମଚାରୀ ଯେପରକି ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମିନିଷ୍ଟ୍ରିଆଲ ଷ୍ଟାଫ୍, ଗ୍ରୁପ୍ ସି କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ। ଅଣ-ଗେଜେଟେଡ୍ ରେଳ କର୍ମଚାରୀମାନେ ବୋନସ୍ ପାଆନ୍ତି, ଯାହାକୁ ପ୍ରଡକ୍ଟଭିଟି ଲିଙ୍କ୍ଡ୍ ବୋନସ୍ (PLB) କୁହାଯାଏ।
ଦଶହରା ଏବଂ ଦୁର୍ଗା ପୂଜା ପୂର୍ବରୁ ଏହି ବୋନସ୍ ରାଶି କର୍ମଚାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ। ସରକାର ବିଶ୍ୱାସ କରନ୍ତି ଯେ ଏହି ବୋନସ୍ କେବଳ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ନାହିଁ ବରଂ ପାର୍ବଣ ଋତୁରେ ସେମାନଙ୍କ ପରିବାର ପାଇଁ ଖୁସି ଆଣିବ। ଏହା ବଜାରରେ ବ୍ୟବହାର ଏବଂ ଚାହିଦାକୁ ମଧ୍ୟ ବୃଦ୍ଧି କରିବ।