ନୂଆଦିଲ୍ଲୀ,୧୫/୧୨: ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ସମୟରେ ବିବାଦ ଘେରରେ ରହିଥାଏ। ପୁଣିଥରେ ଏହି ଟ୍ରେନରେ ପରସା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ସୂଚନା ମିଳିଛି। ଏନେଇ ଯାତ୍ରୀ ଜଣକ ଅଭିଯୋଗ ପରେ କ୍ୟାଟରିଂ ସର୍ଭିସ ଉପରେ ଜୋରିମାନା ଲଗାଇଲା ଆଇଆରସିଟିସି । 

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିକାଶ କୁମାର ନାମକ ଜଣେ ଯାତ୍ରୀ  ବାରାଣାସୀରୁ ନୂଆଦିଲ୍ଲୀ ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା କରୁଥିଲେ। ଆଉ ସେହି ସମୟରେ ସେ ଖାଦ୍ୟ ଅର୍ଡର କରିଥିବା ବେଳେ ଟ୍ରେନର କ୍ୟାଟରିଂ ସେବା ତାଙ୍କୁ ଖାଦ୍ୟ ଦେଇଥିଲା ।  ହେଲେ  ଦିଆଯାଇଥିବା ଖାଦ୍ୟରେ ପୋକ ଥିବା ଯାତ୍ରୀ ଜଣକ ଦେଖିଥିଲେ ।  ଯାହାପରେ ସେ ଆଇଆରସିଟିସିରେ ଅଭିଯୋଗ କରିଥିଲେ। ଏନେଇ ବିକାଶ କହିଛନ୍ତି ଯେ, ଏହି ଘଟଣା ଫତେହପୁର ନିକଟରେ ଘଟିଛି। ଟ୍ରେନରେ କ୍ୟାଟରିଂ ସେବା ଦିଲ୍ଲୀର ଆର.କେ ଆସୋସିଏଟ୍ସ ଦ୍ୱାରା ପ୍ରଦାନ କରାଯାଇଛି । ତେଣୁ ସେ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏଥିସହିତ ଆଇଆରସିଟିସି ଅଭିଯୋଗକୁ ଗୁରୁତର ସହ ନେଇଥିବା ବେଳେ କ୍ୟାଟରିଂ ସେବା ଯୋଗାଉଥିବା କମ୍ପାନି ଉପରେ ଜୋରିମାନା ଲାଗୁ କରାଯିବ ବୋଲି କହିଛି। ପ୍ରକାଶ ଥାଉକି, ସେହିପରି ସେପ୍ଟେମ୍ବର ମାସରେ ମଧ୍ୟ  ବନ୍ଦେ ଭାରତ ଟ୍ରେନର ଜଳଖିଆରେ ଏକ ପୋକ ମିଳିଥିଲା। ଯାତ୍ରୀ ଜଳଖିଆ ପାଇଁ ଓମଲେଟ୍ ମାଗିଥିଲେ ଏବଂ ଯେତେବେଳେ ସେ ଅମଲେଟ୍ ଖାଇବା ଆରମ୍ଭ କଲେ, ସେତେବେଳେ ସେ ଏକ ପୋକ ଦେଖିଥିଲେ ।