ନୂଆଦିଲ୍ଲୀ,୯।୫:ଅନ୍ତର୍ଜାତୀୟ ଜଳସୀମାରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବେ ଭାରତକୁ ପ୍ରଭାବିତ କରୁଛି। ହର୍ମୁଜରେ ଆଉ ଏକ ଭାରତୀୟ ଜାହାଜ ଗୁଳିମାଡ଼ର ଶିକାର ହୋଇଛି। ଗତ ଶୁକ୍ରବାର ଏହି ଘଟଣା ଘଟିଛି, ଯେତେବେଳେ ହର୍ମୁଜରେ ଦୁଇ ପକ୍ଷ ମଧ୍ୟରେ ଗୁଳିକାଣ୍ଡ ବେଳେ ଭାରତୀୟ ଜାହାଜ ଏହା ମଧ୍ୟରେ ଫଶିଯାଇଥିଲା। ଏହି କାରଣରୁ ଗୁଜରାଟର ଜଣେ ନାବିକଙ୍କର ମୃତ୍ୟୁ ହୋଇଛି, ସେଭଳି ଆହୁରି ୫ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ନାବିକ ଜଣକ ଗୁଜରାଟର ଦ୍ୱାରକା ଜିଲ୍ଲାର ଜାମ୍ ସଲାୟା ସହରର ବାସିନ୍ଦା ଥିଲେ ଏବଂ ଦୁବାଇରୁ ୟେମେନ୍ କୁ ମାଲବାହୀ ଜାହାଜ ନେଇ ଯାଉଥିଲେ।
ନାବିକଙ୍କ ଏକ ସଂଗଠନର ସୂଚନା ଅନୁସାରେ,ଏହା କାଠରେ ତିଆରି ଜାହାଜ ଥିଲା, ଯାହାର ପରିଚୟ ଅଲ୍ ଫୈଜ୍ ନୁର-ଇ-ସୁଲେମାନୀ ୧ ନାମରେ ରହିଛି। ଏହି ଜାହାଜରେ ୧୮ କ୍ରୁ ସଦସ୍ୟ ଥିଲେ। ସେମାନେ ୭ ମଇରେ ଦୁବାଇରୁ ବାହାରିଥିଲେ ଓ ୟେମେନର ମୁକ୍କମ ଆଡକୁ ଯାଉଥିଲା, ସେତେବେଳେ ୮ ମଇ ରାତି ପ୍ରାୟ ୧ଟା ବେଳେ, ହର୍ମୁଜ ପାର କରିବା ସମୟରେ ଗୁଳିମାଡ ହୋଇଥିଲା। ଉଲ୍ଲେଖନୀୟ ଯେ, ଇରାନ-ଆମେରିକା ଯୁଦ୍ଧ ପରେ ହର୍ମୁଜ ବିବାଦର କେନ୍ଦ୍ର ପାଲଟିଛି। ଇରାନ ଦୀର୍ଘ ସମୟ ହେବ ବିନା ଅନୁମତିରେ କୌଣସି ଜାହାଜକୁ ଯିବା ଉପରେ କଟକଣା ଲଗାଇଛି। ଏହି କାରଣରୁ ଅଶୋଧିତ ତୈଳର ଦାମ୍ ମଧ୍ୟ ବୃଦ୍ଧି ଘଟିଛି। ମୃତ ନାବିକଙ୍କୁ ଅଲତାଫ ତଲାବ କେର ଭାବରେ ଚିହ୍ନଟ କରାଯାଇଛି। ଦୁବାଇରେ ଥିବା ଭାରତୀୟ କନସୁଲେଟ୍ ଏହି ଘଟଣାକୁ ନିଶ୍ଚିତ କରିଛି ଏବଂ ଶୋକ ପ୍ରକାଶ କରିଛି।
ଅଧିକାରୀମାନେ ଲେଖିଥିବା ଏକ ଲେଟରରେ ଇଣ୍ଡିଆନ୍ ସେଲିଂ ଭେସେଲ୍ସ ଆସୋସିଏସନ୍ (ଗୁଜରାଟ)ର ମହାସଚିବ, ଆଦମ ଭାୟା ଏହି ଘଟଣାକୁ ଆମେରିକା ଓ ଇରାନର ସେନା ଭିତରେ ହୋଇଥିବା ଏକ ଦୁର୍ଭାଗ୍ୟଜନକ ଓ ହିଂସ୍ର ସଂଘର୍ଷ ଯୋଗୁଁ ହୋଇଥିଲା ବୋଲି କହିଛନ୍ତି। ମୃତକ ଅଲତାଫ୍ ତାଲାବ କେର ଏହି ଜାହାଜରେ ଇଞ୍ଜିନ ଡ୍ରାଇଭର ଭାବରେ କାମ କରୁଥିଲେ। ସେ ଗୁଜରାଟର ଦ୍ବାରକା ଜିଲ୍ଲାର ସଲାୟା ଗାଁରେ ରହୁଥିଲେ। ବାକି କ୍ରୁ ସଦସ୍ୟଙ୍କୁ ସକାଳ ପ୍ରାୟ ୭ଟା ବେଳେ (ସ୍ଥାନୀୟ ସମୟ) ଏମ୍ଏସ୍ଭି ପ୍ରେମ ସାଗର- 1 (BDI-1491) ଦ୍ବାରା ବଞ୍ଚାଇ ଦିଆଯାଇଛି ଓ ସେହି ଦିନ ସନ୍ଧ୍ୟା ୬ଟା ବେଳେ ଦୁବାଇ ପୋର୍ଟରେ ପହଁଞ୍ଚି ଯାଇଥିଲେ। ତାଙ୍କର ଚିକିତ୍ସା ଏକ ସ୍ଥାନୀୟ ହସ୍ପିଟାଲରେ ଚାଲିଛି। ସୁତ୍ର ଅନୁସାରେ, ଘଟଣାର ତୁରନ୍ତ ପରେ ଭାରତୀୟ ଦୂତବାସ ଅଧିକାରୀ ଉଦ୍ଧାର ହୋଇଥିବା ନାଗରିକଙ୍କୁ ସାକ୍ଷତ କରିଥିଲେ।
ଏହା ପୂର୍ବରୁ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ (ଏମ୍ଇଏ)ର ଅଫିସିଆଲ ମୁଖପାତ୍ର ରଣଧିର ଜୟସୱାଲ କହିଛନ୍ତି, ୧୧ ଭାରତୀୟ ଜାହାଜ ହର୍ମୁଜରୁ ବାହାରି ସାରିଥିଲେ, ସେଭଳି ୧୩ ଜାହାଜ ଏବେ ବି ଫାରସ୍ ଉପକୂଳରେ ରହିଛି। ଏକ ପ୍ରେସ୍ ବ୍ରିଫିଙ୍ଗକୁ ସମ୍ବୋଧିତ କରି, ରଣଧିର ଜୟସୱାଲଙ୍କୁ ଏହି ରିପୋର୍ଟ ବିଷୟରେ ପଚରାଯାଇଛି, କ’ଣ ଇରାନ ଜାହାଜ ଆମେରିକାର ନାକାବନ୍ଦୀରୁ ରକ୍ଷା ପାଇବା ପାଇଁ ପାକିସ୍ତାନୀ ସମୁଦ୍ର ସୀମା ଓ ପରେ ଭାରତୀୟ ସମୁଦ୍ର ସୀମା ଦେଇ ବାହାରିପାରେ। କ’ଣ ଏଭଳି କରିବା ପାଇଁ ଭାରତୀୟ ଅଧିକାରୀ ବିଶେଷ ଅନୁମତି ନେବାର ଆବଶ୍ୟକତା ରହିଛି।
ଜୟସୱାଲ କହିଛନ୍ତି, ଏହି ରିପୋର୍ଟ ସମ୍ପର୍କରେ ଇରାନ ଜାହାଜ ନାକାବନ୍ଦୀରୁ ରକ୍ଷା ପାଇଁ ଭାରତୀୟ ସମୁଦ୍ର ସୀମା ବାଟ ଦେଇ ଯାଇ ପାରିବ। ଯଦି ଅନ୍ୟ ଦେଶର ଜାହାଜ ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ଯିବାକୁ ଚାହାନ୍ତି, ତେବେ କୌଣସି ଅନୁମତିର ଆବଶ୍ୟକତା ନାହିଁ। ତେବେ ଭାରତୀୟ ଜଳକ୍ଷେତ୍ରରେ ପ୍ରବେଶ କରିବାର ପ୍ରଶ୍ନ ପାଇଁ ଏହା ଏକ ଟେକ୍ନିକାଲ ପ୍ରସଙ୍ଗ ରହିଛି। ଏହାର ଉତ୍ତର ସିପିଂ ମନ୍ତ୍ରଣାଳୟ କିମ୍ବା ସମ୍ପର୍କିତ ଟେକ୍ନୋଲୋଜି ଅଧିକାରୀଙ୍କୁ ଦେବାକୁ ହେବ।’