ଭୁବନେଶ୍ୱର,୨୧/୦୮: ହକି ଏସିଆ କପ୍‌  ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା  କରାଯାଇଛି । ଭେଟେରାନ ଡ୍ରାଗ ଫ୍ଲିକର ହର୍ମନପ୍ରୀତ ସିଂ ପୂର୍ବଭଳି ଦଳର ନେତୃତ୍ୱ ସମ୍ଭାଳିବେ । ଆସନ୍ତା ୨୯ ତାରିଖରୁ ବିହାରର ରାଜଗିରରେ ଏସିଆ କପ୍‌ ଆରମ୍ଭ ହେବ । ଚାମ୍ପିଅନ ଦଳ ୨୦୨୬ ହକି ବିଶ୍ୱକପ୍‌  ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ । ଘୋଷିତ ଦଳରେ ୨ ଜଣ ଓଡ଼ିଆ ଅଲିମ୍ପିଆନ ଡିଫେଣ୍ଡର ଅମିତ ରୋହିଦାସ ଏବଂ ଫରୱାର୍ଡ  ଶିଳାନନ୍ଦ ଲାକ୍ରା ସାମିଲ ରହିଛନ୍ତି । ନୀଲମ ସଞ୍ଜୀପ ଖେସ୍‌ ବିକଳ୍ପ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।  

ଟୁର୍ଣ୍ଣାମେଣ୍ଟ ୨୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର  ୭ ତାରିଖରେ ଶେଷ ହେବ । ଭାରତ ତା’ର ପ୍ରଥମ  ମ୍ୟାଚ୍‌ରେ ଚୀନକୁ ଭେଟିବ । କ୍ରିଷନ ବାହାଦୂର  ପାଠକ ଓ ସୂରଜ କାରକେରା ଗୋଲକିପର  ରହିଛନ୍ତି । ଅଧିନାୟକ ହର୍ମନପ୍ରୀତ, ଅମିତଙ୍କ  ସହ ୬ ଜଣ ଡିଫେଣ୍ଡର ରହିଛନ୍ତି । ମନପ୍ରୀତ  ସିଂ, ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦଙ୍କୁ  ନେଇ ୫ ଜଣ ମିଡଫିଲ୍ଡର ଏବଂ ୫ ଜଣ  ଫରୱାର୍ଡ ଅଛନ୍ତି । ମନଦୀପ ସିଂ, ଶିଳାନନ୍ଦ,  ଅଭିଷେକ, ସୁଖଜିତ ଓ ଦିଲପ୍ରୀତ ସିଂ ଫରୱାର୍ଡରେ  ରହିଛନ୍ତି । ନୀଲମ ଓ ସେଲଭମ କାର୍ଥି ବିକଳ୍ପ  ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି । 

ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ କ୍ରାଗ  ଫୁଲଟନ କହିଛନ୍ତି, ‘ଆମେ ଏକ ଅଭିଜ୍ଞ ଦଳ ଚୟନ  କରିଛୁ । ଯେଉଁ ଦଳକୁ ଚାପରେ କେମିତି ଖେଳାଯାଏ ତାହା ବେଶ ଭଲ ଭାବେ ଜଣା । ଏସିଆ କପ୍‌ ଆମ  ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ବିଶ୍ୱକପ୍‌କୁ  ଏହି ଟୁର୍ଣ୍ଣାମେଣ୍ଟ  ମଧ୍ୟରେ ଯୋଗ୍ୟତା ହାସଲ କରି ହେବ। ତେଣୁ ଆମକୁ  ସେମିତି ଖେଳାଳି ଲୋଡ଼ା ଯେଉଁମାନଙ୍କର  ମାନସିକ ସନ୍ତୁଳନ ଉନ୍ନତ ରହିଥିବ ଏବଂ ଆଦୌ  ଅସ୍ଥିର ନଥିବେ । ମୋର ବିଶ୍ୱାସ, ଘୋଷିତ ଦଳ  ଆମର ମୁଖ୍ୟ ଉଦ୍ଦେଶ୍ୟ ପୂରଣ କରି ପାରିବ ।’

ଶିଳାନନ୍ଦ ଲାକ୍ରା ଏ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍‌  ଖେଳିବାରେ ସଫଳ ହୋଇଛନ୍ତି । ୨୦୧୮ ସୁଲତାନ  ଆଜଲାନ ଶାହ କପ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ସେ ୬ଟି ଗୋଲ୍‌  ଦେବାରେ ସଫଳ ହୋଇଛି । ୨ ଥର ଅଲିମ୍ପିକ୍ସ  ପଦକ ବିଜେତା ଅମିତ ରୋହିଦାସ ୨୦୮ଟି  ମ୍ୟାଚ୍‌ ଖେଳି ୨୮ଟି ଗୋଲ୍‌ ସ୍କୋର କରିଛନ୍ତି ।  

ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି  ଯାଇଛନ୍ତି । ସେମାନଙ୍କ ସ୍ଥାନରେ ବାଂଲାଦେଶ  ଓ କାଜାଖସ୍ତାନ ସାମିଲ ହୋଇଛନ୍ତି । ପୁଲ ଏ’ରେ ଭାରତ ସମେତ ଜାପାନ, ଚୀନ ଓ  କାଜାଖସ୍ତାନ ଏବଂ ପୁଲ ବି’ରେ ବାଂଲାଦେଶ,  ମାଲେସିଆ, କୋରିଆ ଓ ଚାଇନିଜ ତାଇପେ ରହିଛନ୍ତି । ୨୯ ତାରିଖରେ ଭାରତୀୟ ଦଳ  ଚୀନକୁ, ୩୧ରେ ଜାପାନକୁ ଏବଂ ସେପ୍ଟେମ୍ବର  ୧ରେ କାଜାଖସ୍ତାନକୁ ଭେଟିବାର ସୂଚୀ ରହିଛି।

ଭାରତୀୟ ଦଳ: ଗୋଲକିପର-କ୍ରିଷନ  ବାହାଦୂର ପାଠକ, ସୂରଜ କାରକେରା । ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ,  ହାର୍ଦ୍ଦିକ ସିଂ, ହର୍ମନପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ  ଲାକ୍ରା, ଅଭିଷେକ, ସୁଖଜିତ ସିଂ ଓ ଦିଲପ୍ରୀତ  ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।