ଭୁବନେଶ୍ୱର,୨୧/୦୮: ହକି ଏସିଆ କପ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଭେଟେରାନ ଡ୍ରାଗ ଫ୍ଲିକର ହର୍ମନପ୍ରୀତ ସିଂ ପୂର୍ବଭଳି ଦଳର ନେତୃତ୍ୱ ସମ୍ଭାଳିବେ । ଆସନ୍ତା ୨୯ ତାରିଖରୁ ବିହାରର ରାଜଗିରରେ ଏସିଆ କପ୍ ଆରମ୍ଭ ହେବ । ଚାମ୍ପିଅନ ଦଳ ୨୦୨୬ ହକି ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ । ଘୋଷିତ ଦଳରେ ୨ ଜଣ ଓଡ଼ିଆ ଅଲିମ୍ପିଆନ ଡିଫେଣ୍ଡର ଅମିତ ରୋହିଦାସ ଏବଂ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସାମିଲ ରହିଛନ୍ତି । ନୀଲମ ସଞ୍ଜୀପ ଖେସ୍ ବିକଳ୍ପ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।
ଟୁର୍ଣ୍ଣାମେଣ୍ଟ ୨୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖରେ ଶେଷ ହେବ । ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଚୀନକୁ ଭେଟିବ । କ୍ରିଷନ ବାହାଦୂର ପାଠକ ଓ ସୂରଜ କାରକେରା ଗୋଲକିପର ରହିଛନ୍ତି । ଅଧିନାୟକ ହର୍ମନପ୍ରୀତ, ଅମିତଙ୍କ ସହ ୬ ଜଣ ଡିଫେଣ୍ଡର ରହିଛନ୍ତି । ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦଙ୍କୁ ନେଇ ୫ ଜଣ ମିଡଫିଲ୍ଡର ଏବଂ ୫ ଜଣ ଫରୱାର୍ଡ ଅଛନ୍ତି । ମନଦୀପ ସିଂ, ଶିଳାନନ୍ଦ, ଅଭିଷେକ, ସୁଖଜିତ ଓ ଦିଲପ୍ରୀତ ସିଂ ଫରୱାର୍ଡରେ ରହିଛନ୍ତି । ନୀଲମ ଓ ସେଲଭମ କାର୍ଥି ବିକଳ୍ପ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି ।
ଭାରତୀୟ ହକି ଦଳର ମୁଖ୍ୟ କୋଚ୍ କ୍ରାଗ ଫୁଲଟନ କହିଛନ୍ତି, ‘ଆମେ ଏକ ଅଭିଜ୍ଞ ଦଳ ଚୟନ କରିଛୁ । ଯେଉଁ ଦଳକୁ ଚାପରେ କେମିତି ଖେଳାଯାଏ ତାହା ବେଶ ଭଲ ଭାବେ ଜଣା । ଏସିଆ କପ୍ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ବିଶ୍ୱକପ୍କୁ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଯୋଗ୍ୟତା ହାସଲ କରି ହେବ। ତେଣୁ ଆମକୁ ସେମିତି ଖେଳାଳି ଲୋଡ଼ା ଯେଉଁମାନଙ୍କର ମାନସିକ ସନ୍ତୁଳନ ଉନ୍ନତ ରହିଥିବ ଏବଂ ଆଦୌ ଅସ୍ଥିର ନଥିବେ । ମୋର ବିଶ୍ୱାସ, ଘୋଷିତ ଦଳ ଆମର ମୁଖ୍ୟ ଉଦ୍ଦେଶ୍ୟ ପୂରଣ କରି ପାରିବ ।’
ଶିଳାନନ୍ଦ ଲାକ୍ରା ଏ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍ ଖେଳିବାରେ ସଫଳ ହୋଇଛନ୍ତି । ୨୦୧୮ ସୁଲତାନ ଆଜଲାନ ଶାହ କପ୍ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ସେ ୬ଟି ଗୋଲ୍ ଦେବାରେ ସଫଳ ହୋଇଛି । ୨ ଥର ଅଲିମ୍ପିକ୍ସ ପଦକ ବିଜେତା ଅମିତ ରୋହିଦାସ ୨୦୮ଟି ମ୍ୟାଚ୍ ଖେଳି ୨୮ଟି ଗୋଲ୍ ସ୍କୋର କରିଛନ୍ତି ।
ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ସେମାନଙ୍କ ସ୍ଥାନରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି । ପୁଲ ଏ’ରେ ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ଏବଂ ପୁଲ ବି’ରେ ବାଂଲାଦେଶ, ମାଲେସିଆ, କୋରିଆ ଓ ଚାଇନିଜ ତାଇପେ ରହିଛନ୍ତି । ୨୯ ତାରିଖରେ ଭାରତୀୟ ଦଳ ଚୀନକୁ, ୩୧ରେ ଜାପାନକୁ ଏବଂ ସେପ୍ଟେମ୍ବର ୧ରେ କାଜାଖସ୍ତାନକୁ ଭେଟିବାର ସୂଚୀ ରହିଛି।
ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ସୂରଜ କାରକେରା । ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂ, ହର୍ମନପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂ ଓ ଦିଲପ୍ରୀତ ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।