ନୂଆଦିଲ୍ଲୀ: ଭାରତୀୟ ଦଳ ଏସିଆ କପ୍ ଜିତିବାର ପ୍ରାୟ ତିନି ସପ୍ତାହ ବିତିଗଲାଣି। ଫାଇନାଲରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ଜିତିଥିଲା।  ଏତେ ଦିନ ପରେ ମଧ୍ୟ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ପ୍ରକୃତରେ ଫାଇନାଲ ପରେ, ଏସିସି ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭି  ଟ୍ରଫି ନେଇ ଯାଇଥିଲେ।  ତେବେ ନକଭି ଏସିଆ କପ୍‌ ଟ୍ରଫି କେଉଁଠି ରଖିଛନ୍ତି ?

କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇସ୍ଥିତ ଏସୀୟ କ୍ରିକେଟ ପରିଷଦ (ଏସିସି) କାର୍ଯ୍ୟାଳୟରେ ରଖାଯାଇଛି। ଟିମ୍ ଇଣ୍ଡିଆ କେବେ ଟ୍ରଫି ଗ୍ରହଣ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସେପ୍ଟେମ୍ବର ୩୦ରେ ଦୁବାଇରେ ଏସୀୟ କ୍ରିକେଟ ପରିଷଦର ବୈଠକ ହୋଇଥିଲା । ସେଠାରେ ଏସୀୟ ଟେଷ୍ଟ ଖେଳୁଥିବା ଦେଶ  ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ବୋର୍ଡ ଟ୍ରଫି ବିବାଦ ଉପରେ ଆଲୋଚନା କରିଥିଲେ । ବିବାଦର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।  ଆସନ୍ତା ମାସରେ  ଆଇସିସି ବୈଠକରେ ମଧ୍ୟ ସମାନ ପ୍ରସଙ୍ଗରେ ଆଲୋଚନା ହେବ । 

ସେପଟେ ମୋହସିନ ନକଭି ଯଦି ଏହି ବୈଠକରେ ଯୋଗ ନଦିଅନ୍ତି, ତେବେ ବିବାଦ ଆହୁରି ବଢ଼ିବ । ସେ ଚଳିତ ବର୍ଷ ଜୁଲାଇରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ନଥିଲେ। ଏସୀୟ କ୍ରିକେଟ ପରିଷଦର କିଛି ଅଧିକାରୀଙ୍କ ଅନୁସାରେ, ନକଭି  ଆଗାମୀ ବୈଠକରେ ନିଜେ ଯୋଗ ନଦେଇ ଅନ୍ୟ ଜଣେ ପ୍ରତିନିଧିଙ୍କୁ ପଠାଇପାରନ୍ତି।

ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବୈଠକ ପାଇଁ ଆହୁରି କିଛି ସମୟ ବାକି ଅଛି  ଏବଂ ସେହି ସମୟ ମଧ୍ୟରେ ବୋର୍ଡ ପରବର୍ତ୍ତୀ ନିଷ୍ପତ୍ତି ବିଷୟରେ ବିଚାର କରିବ। ସେପଟେ ଏସିସି ଅଧ୍ୟକ୍ଷ ମୋହସିନ ନକଭିଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ତାଙ୍କ ଅନୁମତି ବିନା  ଟିମ୍ ଇଣ୍ଡିଆ କିମ୍ବା ବିସିସିଆଇକୁ ଟ୍ରଫି ପ୍ରଦାନ କରାଯିବ ନାହିଁ ।