ନୂଆଦିଲ୍ଲୀ,୦୨/୧୨; ଭାରତୀୟ ମହିଳା ହକି ଦଳର ହେଡ୍ କୋଚ ହରେନ୍ଦ୍ର ସିଂହ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ହକି ଇଣ୍ଡିଆକୁ ଇ-ମେଲ କରି ପଦ ଛାଡିଛନ୍ତି ମୁଖ୍ୟ ପ୍ରଶିକ୍ଷକ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଗତ ନଭେମ୍ବର ୩୦ ତାରିଖରେ ଟିମ୍ ସହ ବୈଠକ କରିଥିଲେ ହରେନ୍ଦ୍ର । ଏପରି ଅଚାନକ ହରେନ୍ଦ୍ର ତୁରନ୍ତ ପ୍ରଭାବରୁ ଇସ୍ତଫା ଦେବେ ବୋଲି କେହି କିଛି ବି ଜାଣିନଥିଲେ । ଏ ନେଇ କାହାକୁ କିଛି ଆଭାସ ବି ନଥିଲା । ୧୫ ଦିନ ଭିତରେ ଘୋଷଣା ହୋଇପାରେ ନୂଆ କୋଚ୍ଙ୍କ ନାମ । ପୂର୍ବରୁ କୋଚ୍ ଥିବା ସୋର୍ଡ ମାରିନ୍ଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଫେବୃଆରୀରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍ ଏବଂ ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ ମହିଳା ଦଳ ବର୍ତ୍ତମାନ ବେଙ୍ଗାଲୁରୁରେ ଅଭ୍ୟାସ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ,୨୦୨୬ ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ହେଡ୍ କୋଚ୍ ହରେନ୍ଦ୍ରଙ୍କ ଇସ୍ତଫା ଦେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦ ଟୋକିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ହକି ଦଳର କୋଚ୍ ନେଦରଲାଣ୍ଡର ସୋର୍ଡ ମାରିନ୍ ହୋଇପାରନ୍ତି । ହରେନ୍ଦ୍ରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିପାରେ । ସୋର୍ଡ ମାରିନଙ୍କ ମାର୍ଗଦର୍ଶନରେ ମହିଳା ହକି ଦଳ ଅଲମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା । ମାରିନ୍ ଅଗଷ୍ଟ ୨୦୨୧ରେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ୨୦୨୪ରେ ପଦ ସମ୍ଭାଳିଥିଲେ ହରେନ୍ଦ୍ର ସିଂହ । ଏହା ପୂର୍ବରୁ ହରେନ୍ଦ୍ର ଲକ୍ଷ୍ନୌ ବିଶ୍ୱକପ ୨୦୧୬ ବିଜେତା ଜୁନିୟର ପୁରୁଷ ହକି ଟିମ୍ କୋଚ୍ ଥିଲେ । ଗତ ୧ ବର୍ଷ ଧରି ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।
ହରେନ୍ଦ୍ର ସିଂହଙ୍କ ଇସ୍ତଫା ପରେ ହକି ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି, ''ହରେନ୍ଦ୍ରଙ୍କ ସେବା ପାଇଁ ଧନ୍ୟବାଦ ଜଣାଉଛୁ । ଭାରତୀୟ ହକିର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସର୍ବସାଧାରଣରେ ଜଣାଶୁଣା । ବିଶ୍ୱକପ୍ ଯୋଗ୍ୟତା ପାଇଁ ଦଳର ପ୍ରସ୍ତୁତି ଯୋଜନା ଅନୁଯାୟୀ ଆମେ ଖୁବ୍ ଶୀଘ୍ର ଜଣେ ନୂଆ କୋଚ୍ଙ୍କ ନାମ ଘୋଷଣା କରିବୁ ।''