ଭୁବନେଶ୍ୱର/ବୁର୍ଲା,୦୩/୦୧: ବହୁମୁଖୀ ଶିକ୍ଷା, ଯୁଗ୍ମ ଶୈକ୍ଷକ କାର୍ଯ୍ୟକ୍ରମ ଓ ଗବେଷଣାକୁ ଗୁରୁତ୍ୱ ଦେଇ ସମ୍ବଲପୁରରେ ହେବ ଶିକ୍ଷା କ୍ଲଷ୍ଟର । ଏଥିରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଗବେଷଣା ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ନେତୃତ୍ୱରେ ୬ଟି ବଡ଼ ବଡ଼ ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା ବ୍ୟତୀତ ଅନ୍ୟ ବିଷୟରେ ନିଜର ଦକ୍ଷତା ବୃଦ୍ଧି କରିବେ ଓ ନବସୃଜନକୁ ପରିପ୍ରକାଶ କରିବାର ଏହା ପ୍ରମୁଖ ମାଧ୍ୟମ ହେବ । ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଶିକ୍ଷା କ୍ଲଷ୍ଟର ଦେଶର ପ୍ରଥମ । ଏଥିପାଇଁ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏମ୍ଓୟୁ ଅନୁଯାୟୀ ଏହି କ୍ଲଷ୍ଟରକୁ ସମ୍ବଲପୁର ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ କ୍ଲଷ୍ଟର ହାର୍ବର (ସର୍ଚ୍ଚ) ନାଁରେ ନାମିତ କରାଯାଇଛି ।

ଏହି କ୍ଲଷ୍ଟର ପାଇଁ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଚିପିଲିମା, ଭିସୁଟ୍ ସହ ବୀର ସୁରେନ୍ଦ୍ର ସାଏ ମେଡିକାଲ ସାଇନ୍ସ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ଙ୍କ ମଧ୍ୟରେ ୫ ବର୍ଷିଆ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଉଚ୍ଚଶିକ୍ଷାନୁଷ୍ଠାନରେ ୟୁନିଫାଏଡ୍ ଏକାଡେମିକ୍ ଫ୍ରେମ୍ୱାର୍କ କାର୍ଯ୍ୟକାରୀ ହେବ ।

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ଏପରି ଏକ ପଦକ୍ଷେପ ନିଆଯାଇଛି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ କେବଳ ବହି ପଢ଼ାରେ ସୀମିତ ନରଖି, ସେମାନଙ୍କୁ ସେମାନଙ୍କ ଦକ୍ଷତା, ଅନ୍ୟ ବିଷୟରେ ଜ୍ଞାନ ଆହୋରଣ କରିବାର ସୁଯୋଗ ପ୍ରଦାନ କରିବ । ଏହି ଏମ୍ଓୟୁ ଦ୍ୱାରା ଏହି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସଂପର୍କ ମଜଭୁତ ହେବ । ଏଥିରେ ଶୈକ୍ଷିକ ସମନ୍ୱୟ ସୁଦୃଢ଼ ହେବ । ଉଚ୍ଚଶିକ୍ଷାନୁଷ୍ଠାମାନେ ଏକାଠି ହୋଇ ଗବେଷଣା କରିବେ । ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ପାଇଁ କାର୍ଯ୍ୟ କରିବେ । ଆନ୍ତଃବହୁମୁଖୀ ଶୈକ୍ଷିକ ପାଠ୍ୟକ୍ରମ ସହ ସହଭାଗୀ କ୍ରେଡିଟ୍ ସୁଯୋଗ ପ୍ରଦାନ କରିବ । ଚୁକ୍ତି ଅନୁଯାୟୀ ଏମ୍ଓୟୁ କରିଥିବା ଶିକ୍ଷାନୁଷ୍ଠାନମାନେ ମିଶି ସେମିନାର, ସମ୍ମିଳନୀ ଓ ତାଲିମ କାର୍ଯ୍ୟକ୍ରମ ମଧ୍ୟ କରିବେ । ଏକାଡେମିକ୍ ବ୍ୟାଙ୍କ୍ ଅଫ କ୍ରେଡିଟ୍ (ଏବିସି) ଫ୍ରେମ୍ୱାର୍କ ଅଧୀନରେ ଏକୀକରଣ ସୁବିଧା କରାଯିବ । ଫଳରେ ଜଣେ ଶିକ୍ଷାର୍ଥୀକୁ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନର ସୁଯୋଗ ପ୍ରଦାନ କରିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ବିଷୟଗତ ଦକ୍ଷତାର ଉପଯୋଗ କରି ଯୁଗ୍ମ ଡିଗ୍ରୀ କିମ୍ବା ସାର୍ଟିଫିକେଟ କୋର୍ସ ହେବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଏହି ସମସ୍ତ ଅନୁଷ୍ଠାନରୁ ଶ୍ରେଷ୍ଠ ଜ୍ଞାନ ଅର୍ଜନ କରିପାରିବେ ।

ଷ୍ଟାର୍ଟଅପ୍ ଓ ଶିଳ୍ପ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏହାକୁ ଆଧାର କରି ଇକ୍ୟୁବେସନ୍ ସେଣ୍ଟର ଖୋଲିବ । ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଫିଜିକାଲ ଓ ଡିଜିଟାଲ ଭିତ୍ତିଭୂମିର ଆଦାନପ୍ରଦାନ ହେବ । ଗବେଷକଙ୍କୁ ମେଣ୍ଟରସିପ୍ ଓ କୋ-ଗାଇଡାନ୍‌ସ ମିଳିବ । ଏହି ଏମ୍ଓୟୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ କ୍ଲଷ୍ଟର କୋର୍ଡିନେସନ୍ କମିଟି (ସିସିସି) ଗଠନ ହୋଇଛି । ଏହି କମିଟି ଆକ୍ଟିଭିଟିକୁ ତଦାରଖ କରିବ । ମିଳିତ ଭାବେ ପଲିସି ହେବ । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ସହ ଏକାଡେମିକ୍ ଗ୍ରାଣ୍ଟକୁ ଗୁରୁତ୍ୱ ଦିଆଯିବ । ଏନେଇ ଭିସୁଟ୍ର କୁଳପତି ପ୍ରଫେସର ଦୀପକ କୁମାର ସାହୁ କହିଛନ୍ତି, ଏହା ଦେଶର ପ୍ରଥମ ଶିକ୍ଷା କ୍ଲଷ୍ଟର । ଭିସୁଟ୍ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଏହି ନୂତନ ପଦକ୍ଷେପ ନିଆଯାଇଛି ।